କୋହଲି ନେଲେ କୁନି ପ୍ରଶଂସକଙ୍କ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଜଣେ ୭ ବର୍ଷୀୟ ପ୍ରଶଂସକଙ୍କ ଅଟୋଗ୍ରାଫ ନେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚିତ ହେବାରେ ଲାଗିଛି। ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ କୋହଲିଙ୍କର ଟିକିଏ ଝଲକ ପାଇବା ଏବଂ ତାଙ୍କ ଅଟୋଗ୍ରାଫ ନେବାର ସ୍ବପ୍ନ ଦେଖୁଥିଲା ବେଳେ ନିଜେ କୋହଲି ଜଣେ କୁନି ପ୍ରଶଂସକଙ୍କ ଅଟୋଗ୍ରାଫ ନେବା ସମସ୍ତଙ୍କୁ ଚକିତ କରିଛି।

ଅମିତ ନାମକ ଜଣେ କ୍ରିକେଟ୍ ପ୍ରେମୀ ଏହି ଭିଡିଓ ପ୍ରକାଶ କରିବା ପରେ ଏହାକୁ ହଜାର ହଜାର ଲାଇକ୍ ମିଳି ସାରିଲାଣି। କୁନି ପ୍ରଶଂସକ ଜଣକ ତାଙ୍କ ଭଣଜା ବୋଲି ଅମିତ ଲେଖିଛନ୍ତି। ସେ ମଧ୍ୟ କୋହଲି ତାଙ୍କ ଭଣଜାର ଅଟୋଗ୍ରାଫ୍ ନେବାର କାହାଣୀ ବର୍ଣ୍ଣନା କରିଛନ୍ତି। ତଦନୁଯାୟୀ ଭାରତ-ଇଣ୍ଡିଜ୍ ପ୍ରଥମ ଟେଷ୍ଟ ବେଳେ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଯାଉଥିଲା ବେଳେ ପିଲାଟି ତାଙ୍କ ନିକଟକୁ ଯାଇ ଆପଣ ମୋ ଅଟୋଗ୍ରାଫ ନେବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲା? ଯାହା ଶୁଣି କୋହଲି ଅବାକ ହୋଇ ଯାଇଥିଲେ। ପରେ ଖୁସିରେ ପିଲାଟିର ଅଟୋଗ୍ରାଫ ସେ ଆଣିଥିବା କାଗଜରେ ନେଇ ପାଖରେ ରଖିଥିଲେ। ଭିଡିଓରେ ଅନୁଷ୍କା ଅତ୍ୟନ୍ତ ଆନନ୍ଦିତ ହୋଇ ପିଲାଟିକୁ ଚକୋଲେଟ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର