କ୍ରିକେଟର୍‌ଙ୍କ ପାଇଁ ଟେନିସ୍ କ୍ରିକେଟ୍ ପ୍ଲାଟ୍‌ଫର୍ମ: କହ୍ନୈୟା

ଭୁବନେଶ୍ବର: କ୍ରିକେଟ୍ ମୁଖ୍ୟ ସ୍ରୋତରେ ରହିଥିବା ବେଳେ ଟେନିସ୍ କ୍ରିକେଟ୍ ଏବେ ନିଜ ପରିଚୟ ଓ ପ୍ରତିଷ୍ଠା ବଢ଼ାଇବାରେ ଲାଗିଛି। କେବଳ‌ ଟେନିସ୍ ବଲ୍‌ ବ୍ୟବହାରକୁ ଛାଡ଼ିଦେଲେ ଉଭୟ ଖେଳ ମଧ୍ୟରେ ବିଶେଷ କିଛି ଫରକ ନାହିଁ। ସେହି ଦୃଷ୍ଟିରୁ ‘ଟେନିସ୍ କ୍ରିକେଟ୍’ ଦିନେ ଲୋକପ୍ରିୟତା ଅର୍ଜନ କରିବ ଏବଂ ଏହାର ଭବିଷ୍ୟତ ନିଶ୍ଚିତ ଉଜ୍ବଳ ବୋଲି କହିଛନ୍ତି ଏହି ଖେଳର ସ୍ରଷ୍ଟା ତଥା ଭାରତୀୟ ଟେନିସ୍ କ୍ରିକେଟ୍‌ ସଂଘ ସମ୍ପାଦକ କହ୍ନୈୟା ଗୁର୍ଜର। ଏହି ଖେଳ ଦିନେ ନିଶ୍ଚିତ ଅର୍ଥସର୍ବସ୍ବ ପାଲଟିଯିବ ‌ବୋଲି ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି ଗୁର୍ଜର। ‌ଏବେଠାରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖା ଦେଇଥିବା ଉତ୍ସାହରୁ ଏହି ବିଶ୍ବାସ ଆସିଛି। ଟେନିସ୍ କ୍ରିକେଟ୍ ହିଁ ଦେଶର ମୁଖ୍ୟ ସ୍ରୋତରେ କ୍ରିକେଟର୍‌ଙ୍କୁ ଗଢ଼ୁଛି ବୋଲି ମଧ୍ୟ ଗୁର୍ଜର ଦାବି କରୁଛନ୍ତି। ବିଶ୍ବକପ୍ ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗଙ୍କ ପର୍ଯ୍ୟନ୍ତ ଦେଶର ଅଧିକାଂଶ ବଡ଼ ବଡ଼ କ୍ରିକେଟ୍‌ ଖେଳାଳି ଟେନିସ୍ କ୍ରିକେଟ୍ ଖେଳି ଆଗକୁ ବଢ଼ିଛନ୍ତି। ଧୋନିଙ୍କ ହେଲିକପ୍ଟର ସଟ୍‌ ‌ସେ ଟେନିସ୍ କ୍ରିକେଟ୍‌ରେ ଅଭ୍ୟାସ କରିବା ପରେ ହିଁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟୋଗ କରିଥିଲେ। ଏବେ ବି ବହୁ ବଡ଼ ଖେଳାଳି ଟେନିସ୍ କ୍ରିକେଟ୍‌ରେ ଅଭ୍ୟାସ କରିବାକୁ ପସନ୍ଦ କରିଥାନ୍ତି। ବିଦେଶରେ ବାଉଁସୀ ପିଚ୍‌ ଖେଳିବାକୁ ଯିବା ପୂର୍ବରୁ ବି ଭାରତୀୟ ଖେଳାଳି ଟେନିସ୍ ବଲ୍ କ୍ରିକେଟ୍ ଖେଳି ନିଜକୁ ପ୍ରସ୍ତୁତ କରିଥାନ୍ତି। ସେହି ଦୃଷ୍ଟିରୁ ଟେନିସ୍ କ୍ରିକେଟ୍‌ର ଭବିଷ୍ୟତ ଉଜ୍ବଳ ହେବାକୁ ଯାଉଛି। ବିସିସିଆଇ ସରକାରଙ୍କ ଅଧୀନରେ ରହୁନଥିବା ବେଳେ ସରକାରଙ୍କ ଦ୍ବାରା ପରିଚାଳିତ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜେଏଫ୍‌ଆଇ)ର ୩ଟିଯାକ ବୟସ ବର୍ଗ (୧୪, ୧୭, ୧୯)ରେ ଟେନିସ୍ କ୍ରିକେଟ୍‌ ସାମିଲ ହୋଇସାରିଛି। ଏବେ ଦେଶରେ ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ‌ ସଂଘ ଏହି ଖେଳ ସହ ଅନୁବଂଧିତ ହୋଇସାରିଛନ୍ତି। ବିଶ୍ବରେ ୨୨ ଦେଶ ସକ୍ରିୟ ଭାବେ ଟେନିସ୍ କ୍ରିକେଟ୍ ଖେଳୁଛନ୍ତି। ଆହତ ସମସ୍ୟାଠାରୁ ଢେର ଦୂରରେ ରହୁଥିବା ଟେନିସ୍ କ୍ରିକେଟ୍ ନିଶ୍ଚିତ ଦେଶରେ ଆଗଧାଡ଼ିର ଖେଳ ହେବାକୁ ଯାଉଛି‌ ବୋଲି ଦୃଢ଼ତାର ସହ କହିଥିଲେ ଏସ୍‌ଜିଏଫ୍‌ଆଇ ଯୁଗ୍ମ ସମ୍ପାଦକ ଥିବା କହ୍ନୈୟା।

ସମ୍ବନ୍ଧିତ ଖବର