ଗାଙ୍ଗୁଲିଙ୍କ ପ୍ରଥମ ଓ ଶେଷ ପାଳିର ସାଥୀ ଥିଲେ ସଚିନ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟର୍‌ ଦୁଇ ମହାନ ଖେଳାଳି। ବିଶ୍ବ କ୍ରିକେଟ୍‌ର ସବୁଠୁ ବିଧ୍ବଂସୀ ପ୍ରାରମ୍ଭିକ ଯୋଡ଼ି ଭାବେ ମଧ୍ୟ ଜଣାଶୁଣା। ବିଶେଷ କରି ଦିନିକିଆରେ ଏହ‌ି ପରିଚୟ ପାଇଁ ସେମାନେ ଏବେ ବି ମନେ ପଡନ୍ତି। ଉଭୟ ଭାରତ ପାଇଁ ୧୩୬ ଦିନିକିଆ ମ୍ୟାଚ୍‌ରେ ପାଳି ଆରମ୍ଭ କରି ମିଳିତ ଭାବେ ୬,୬୦୯ ରନ୍‌ ସଂଗ୍ରହ କରିଥିଲେ। ଯାହାର ହାରାହାରି ହେଉଛି ୪୮ରୁ ଊର୍ଧ୍ବ। ଏହା ମଧ୍ୟରେ ୨୧ଟି ଶତକୀୟ ଭାଗୀଦାରି ଏବଂ ୨୩ଟି ଅର୍ଧଶତକୀୟ ଭାଗୀଦାରି ରହିଛି। ଉଭୟଙ୍କ ମଧ୍ୟରେ ଥିବା ଏହି ଭାଗୀଦାରି କେବଳ ଖେଳ ଜୀବନ ସମୟରେ ସୀମିତ ରହିନାହିଁ। ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ସେଭଳି ବଂଧୁତା ଏବଂ ବଂଧନ ରହିଛି। ପରସ୍ପରର ଘନିଷ୍ଠ ବଂଧୁତ୍ବକୁ ବଜାୟ ରଖିଛନ୍ତି ଏହି କ୍ରିକେଟ୍‌ କିଂବଦନ୍ତି। କିନ୍ତୁ ଅନେକଙ୍କୁ ଗୋଟିଏ କ୍ରିକେଟ୍‌ କଥା ଜଣାନଥିବ ଯାହା ମଜାଦାର ତଥ୍ୟର ଅବତାରଣା କରିଛି। ସୌରଭ ଗାଙ୍ଗୁଲିଙ୍କ ଉଭୟ ପ୍ରଥମ ଏବଂ ଶେଷ ଅନ୍ତର୍ଜାତୀୟ ପାଳି ବେଳେ ସଚିନ ତେନ୍ଦୁଲକର ନନ୍‌ଷ୍ଟ୍ରାଇକର୍ସ ପାର୍ଶ୍ବରେ ରହିଥିଲେ। ୧୯୯୨ ମସିହାରେ ଗାଙ୍ଗୁଲି ଯେତେବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ସଚିନ ଅନ୍ୟ ପାର୍ଶ୍ବରେ ଥିଲେ। ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଗାଙ୍ଗୁଲି ମାତ୍ର ୩ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଅନୁରୂପ ଭାବେ ୨୦୦୮ ନଭେମ୍ବର ୬-୮ ମଧ୍ୟରେ ନାଗପୁରରେ‌ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ୍‌ରେ ମଧ୍ୟ ଉଭୟ ମିଳିତ ଭାବେ ବ୍ୟାଟିଂ କରିଥିଲେ। କେବଳ‌ ଗୋଟିଏ ପାଳି ନୁହେଁ ଉଭୟ ପାଳିରେ ବ୍ୟାଟିଂ କରିଥିଲେ। ପ୍ରଥମ ପାଳିରେ ସଚିନ କ୍ରିଜ୍‌ରେ ଥିବାବେଳେ ଗାଙ୍ଗୁଲି ବ୍ୟାଟିଂ କରିବାକୁ ଆସିଥିଲେ। ଆଉଟ୍ ବେଳକୁ ସଚିନ ଅନ୍ୟ ପାର୍ଶ୍ବରେ ଥିଲେ। ଭାରତ ପାଇଁ ଗାଙ୍ଗୁଲି ୧୧୩ ଟେଷ୍ଟ୍‌ ଏବଂ ୩୧୧ ଦିନିକିଆ ଖେଳିଥିଲେ। ଗାଙ୍ଗୁଲିଙ୍କ ୫ ବର୍ଷ ପରେ ଅବସର ନେଇଥିବା ସଚିନ ୨୦୦ ଟେଷ୍ଟ୍‌ ଖେଳିଥିଲେ ଏବଂ ୪୬୩ ଦିନିକିଆରେ ଦେଶର ପ୍ରତିନିଧିତ୍ବ କରିଥିଲେ। ଗାଙ୍ଗୁଲିଙ୍କ ବ୍ୟାଟ୍‌ରୁ ୭୨୧୨ ଟେଷ୍ଟ୍‌ ଏବଂ ୧୧,୩୬୩ ଦିନିକିଆ ରନ୍‌ ମିଳିଥିଲା। ଏହି ଦୁଇ ଫର୍ମାଟ୍‌ରୁ ସଚିନ ଯଥାକ୍ରମେ ୧୫,୯୨୧ ଏବଂ ୧୮,୪୨୬ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର