ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହେଲେ ବାସନ୍ଦାଦେଶ ବିରୋଧରେ ପୁନଃଆବେଦନ କରିବେ କନେରିଆ

ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍‌ଙ୍କ ପରେ କଳଙ୍କିତ ପାକିସ୍ତାନୀ ଲେଗ୍ ସ୍ପିନର ଡାନିଶ କନେରିଆ ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହୁଅନ୍ତୁ ବୋଲି ସମର୍ଥନ ଜଣାଇଛନ୍ତି। ଏକ ଇଂଲିସ୍ କାଉଣ୍ଟି ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗରେ କନେରିଆଙ୍କ ଉପରେ ଏବେ ଆଜୀବନ ବାସନ୍ଦାଦେଶ ଲାଗୁ ରହିଛି। କନେରିଆ କିନ୍ତୁ ନିଜ ସ୍ବାର୍ଥ ପାଇଁ ଗାଙ୍ଗୁଲିଙ୍କୁ ସମର୍ଥନ କରିବା କଥା ଉଠାଇଛନ୍ତି। ସୌରଭ ଗାଙ୍ଗୁଲି ଯଦି ଆଇସିସି ଅଧ୍ୟକ୍ଷ ହେ‌ବେ ତେବେ ମୁଁ ଆଜୀବନ ବାସନ୍ଦ ବିରୋଧରେ ପୁନଃଆବେଦନ କରିବି ବୋଲି କହିଛନ୍ତି କନେରିଆ। ମୁଁ ଗାଙ୍ଗୁଲିଙ୍କ ନିକଟରେ ଆବେଦନ କରିବି ଏବଂ ଆଶା ରଖିବି ଆଇସିସି ମୋତେ ଏ ଦିଗରେ ପୂର୍ଣ୍ଣ ସହଯୋଗ କରିବ। ଗାଙ୍ଗୁଲି ଜଣେ ଚମତ୍କାର କ୍ରିକେଟର୍‌ ଏବଂ ଆଇସିସି ସଭାପତି ପଦ ପାଇଁ ସେ ଉପଯୁକ୍ତ ପ୍ରାର୍ଥୀ ବୋଲି କହିଛନ୍ତି କନେରିଆ। ପାକିସ୍ତାନ ପାଇଁ ୨୬୧ ୱିକେଟ୍ ନେଇଥିବା କନେରିଆଙ୍କଠାରୁ କେବଳ ୱାସିମ୍ ଆକ୍ରମ, ୱାକର୍‌ ୟୁନିସ୍‌ ଓ ଇମ୍ରାନ୍‌ ଖାନ୍‌ ଅଧିକ ୱିକେଟ୍‌ ନେଇଛନ୍ତି। ୨୦୧୨ରେ ଏସେକ୍ସ ପାଇଁ ଖେଳୁଥିବା ବେଳେ ତାଙ୍କ ନାମରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ଆସିଥିଲା। ଏହାକୁ ସେ ଅସ୍ବୀକାର କରୁଥିଲେ ମଧ୍ୟ ୨୦୧୮ରେ ସ୍ବୀକାର କରିଥିଲେ।

ଗାଙ୍ଗୁଲି ଭାରତକୁ ଭଲ ନେତୃତ୍ବ ଦେଇଥିଲେ ଯାହାକୁ ପରେ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ଆଗକୁ‌ ବଢ଼ାଇଛନ୍ତି। ବର୍ତମାନ ସେ ବିସିସିଆଇର ସଭାପତି ରହିଛନ୍ତି, ମୋର ଦୃଢ଼ ବିଶ୍ବାସ ରହିଛି ସେ ଆଇସିସି ମୁଖ୍ୟ ହେଲେ କ୍ରିକେଟ୍‌କୁ ଆହୁରି ଆଗକୁ‌ ନେଇପାରିବେ। ନିଜ ପାଇଁ ଗାଙ୍ଗୁଲି ଦୃଢ଼ ଦାବିଦାର ରହିଛନ୍ତି, ଏପରିକି ପିସିବିର ସମର୍ଥନ ତାଙ୍କ ପାଇଁ ଲୋଡ଼ା ନାହିଁ ବୋଲି କନେରିଆ ପ୍ରକାଶ କରିଛନ୍ତି। ଗାଙ୍ଗୁଲିଙ୍କ ବିସିସିଆଇ କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଛି। ସୁପ୍ରିମକୋର୍ଟ ଯଦି କାର୍ଯ୍ୟକାଳ ବଢ଼ାଇବାକୁ ଅନୁମୋଦନ ପ୍ରଦାନ କରନ୍ତି ତେବେ ସେ ରହିବେ। ଅନ୍ୟପକ୍ଷରେ ବର୍ତମାନର ଆଇସିସି ସଭାପତି ଶଶାଙ୍କ ମନୋହରଙ୍କ ବଦଳରେ ଗାଙ୍ଗୁଲି ପରବର୍ତୀ ଦାୟିତ୍ବ ଗ୍ରହଣ କରିବେ ବୋଲି ରିପୋର୍ଟ ଆସୁଛି।

ସମ୍ବନ୍ଧିତ ଖବର