ସୁନୀଲ ଗାଭାସ୍କର। ବିଶ୍ବ କ୍ରିକେଟ୍ରେ ପ୍ରଥମ ଭାରତୀୟ ସୁପର୍ଷ୍ଟାର୍। କପିଳ ଦେବ। ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତର ପ୍ରଥମ ମ୍ୟାଚ୍-ବିଜୟୀ ଖେଳାଳି। ଦୁହେଁ କିମ୍ବଦନ୍ତୀ କ୍ରିକେଟ ତାରକା। କେହି ଭାରତୀୟ ଖେଳାଳି ଯେ ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ବସ୍ତରୀୟ ପ୍ରଦର୍ଶନ କରିପାରନ୍ତି, ତାହା ଗାଭାସ୍କର ପ୍ରଥମେ ଦେଖାଇଲେ। ଅନ୍ୟ ପକ୍ଷରେ ବିଶ୍ବର ଆଚ୍ଛାଆଚ୍ଛା ଦଳକୁ ଭାରତ ମାତ୍ ଦେଇପାରିବାର ପ୍ରମାଣ ପ୍ରଥମ କରି କପିଳ ହିଁ ଦେଇଥିଲେ। ପ୍ରାୟ ୯ ବର୍ଷ ଦୁହେଁ ଏକାଠି ଗୋଟିଏ ଦଳରେ ଥିଲେ ମଧ୍ୟ ଅଧିନାୟକତ୍ବକୁ ଛାଡ଼ିଦେଲେ ଖେଳର ଅନ୍ୟ କୋୖଣସି ଗୋଟିଏ ବି ବିଭାଗରେ ଉଭୟେ କେହି କାହାରି ପ୍ରତିଦ୍ବନ୍ଦ୍ବୀ ନଥିଲେ। ଗାଭାସ୍କର ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ ତ କପିଳ ଦ୍ରୁତବୋଲିଂ-ଅଲ୍ରାଉଣ୍ଡର୍। ବୟସରେ କପିଳଙ୍କ(୧୯୫୯)ଠାରୁ ଗାଭାସ୍କର(୧୯୪୯) ଦଶବର୍ଷ ବଡ଼। ଟେଷ୍ଟ କ୍ରିକେଟକୁ ଗାଭାସ୍କର ସାତବର୍ଷ ଆଗରୁ ଆସିଥିଲେ। ଉଭୟେ ଦୀର୍ଘକାଳ ଦଳର ଅଧିନାୟକ ମଧ୍ୟ ହୋଇଛନ୍ତି। ତେଣୁ ସେହି ନଅବର୍ଷ ଦଳରେ ଏକ ସମୟରେ ଦୁହେଁଯାକ ଥିବା ସମୟରେ ସ୍ବାଭାବିକ ଭାବେ ଦଳରେ ଦୁଇଟି କ୍ଷମତା କେନ୍ଦ୍ର ଥିଲାପରି ଲାଗୁଥିଲା। ବିଶ୍ବାସ କରାଯାଏ, ଗାଭାସ୍କର ଅଧିନାୟକ ପଦରୁ ଯିବା ଦିନଠାରୁ ହିଁ କୁଆଡ଼େ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା। ବିଶେଷ କରି ୧୯୮୩ ବିଶ୍ବକପ୍ ବିଜୟ ପରେ ସେହିବର୍ଷ ଘରୋଇ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ଠାରୁ ହାରିବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିଥିବା କୁହାଯାଏ। ୧୯୮୪ରେ ଦିଲ୍ଲୀ ଟେଷ୍ଟରେ ଅପେକ୍ଷାକୃତ ଦୁର୍ବଳ ମନେ ହେଉଥିବା ଇଂଲଣ୍ଡ ଦଳଠାରୁ ହାରିବା ଯୋଗୁଁ କପିଳ ଓ ସନ୍ଦୀପ ପାଟିଲଙ୍କୁ ଦାୟୀ କରି ପରବର୍ତ୍ତୀ କଲିକତା ଟେଷ୍ଟରୁ ଉଭୟଙ୍କୁ ଦଳରୁ ବାଦ୍ ଦେବା ଘଟଣା ଏହି ପ୍ରସଙ୍ଗକୁ ଅଧିକ ଜଟିଳ କରିଥିଲା। ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ପରାଜୟ ଏଡ଼ାଇବା ପାଇଁ ୱିକେଟ୍ରେ ଅଧିକ ସମୟ ତିଷ୍ଠିବା ଦରକାର ହେଉଥିବା ବେଳେ ଉଭୟେ ଦାୟିତ୍ବହୀନ ସଟ୍ ଖେଳି ପରାଜୟକୁ ଡାକି ଆଣିଥିବା ଅଭିଯୋଗ ହୋଇଥିଲା। ଏପରିକି କିଛିକାଳ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ‘ଟକିଂ ଟର୍ମ’ ସୁଦ୍ଧା ନଥିଲା ବୋଲି ଗଣମାଧ୍ୟମ ସେତେବେଳେ ଲେଖୁଥିଲା। ହେଲେ ନିକଟରେ ଜଣାଶୁଣା ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ‘ଆଜ୍ ତକ୍’ ପକ୍ଷରୁ ଦିଲ୍ଲୀରେ ଉଭୟ କିମ୍ବଦନ୍ତୀ ତାରକାଙ୍କୁ ନେଇ ଆୟୋଜିତ ଏକ ଖୋଲାମଞ୍ଚ ଟିଭି କାର୍ଯ୍ୟକ୍ରମ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କଥା କହେ। ଉଭୟେ ସେଦିନ ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ବିକ୍ରାନ୍ତ ଗୁପ୍ତାଙ୍କ ଦ୍ବାରା ଉଠାଯାଇଥିବା ପ୍ରତିଟି ପ୍ରସଙ୍ଗ ଉପରେ ପାଖାପାଖି ଘଣ୍ଟେ କାଳ ଯେପରି ମନଖୋଲା କଥାମାନ କହିଲେ, ଦୁହିଁଙ୍କ ଭିତରେ କେବେ ସାମାନ୍ୟ ବିବାଦ ଥିଲା ବୋଲି ଉକ୍ତ ଟିଭି ସୋ’ ଦେଖିଥିବା ଦର୍ଶକମାନେ ଆଦୋୖ ବିଶ୍ବାସ କରିବେନି। ଗଣମାଧ୍ୟମକୁ ନିରିଖେଇ ଦେଖୁଥିବା ତଥ୍ୟାଭିଜ୍ଞ ମହଲଙ୍କ ମନକୁ କିନ୍ତୁ ଏହି ଟିଭି ସୋ’ପରେ ଅନେକ ପ୍ରଶ୍ନ ଆସୁଥିବ। ସତରେ କ’ଣ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ଆଦୋୖ ବିବାଦ ନଥିଲା। ସତରେ କ’ଣ ସବୁକିଛି ଥିଲା ଗଣମାଧ୍ୟମର ଉଦ୍ଭଟ ବିଚାର? ଏହା ମଧ୍ୟ ବିଚାର୍ଯ୍ୟ, ଯଦି ସତରେ ବିନା ନିଆଁରୁ ସେତେବେଳେ ଗଣମାଧ୍ୟମ ଧୂଅାଁ ବାହାର କରି ଉଭୟ କିମ୍ବଦନ୍ତୀ କ୍ରିକେଟର୍ଙ୍କ ସମ୍ପର୍କ ପ୍ରସଙ୍ଗରେ ଦେଶବାସୀଙ୍କ ପାଇଁ ଏତେ ଅସ୍ବସ୍ତିକର ବାତାବରଣ ସୃଷ୍ଟି କରୁଥିଲା, ଦୁହେଁ ସେତେବେେଳ ଏକତ୍ର ତା’ର ପ୍ରତିବାଦ ନ କରି ଏମିତି ମଜା ଦେଖୁଥିଲେ କାହିଁକି?
ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅରବିନ୍ଦ ଦାସଙ୍କ ଉପସ୍ଥାପନା।
Sambad is now on WhatsApp
Join and get latest news updates delivered to you via WhatsApp
ଗାଭାସ୍କରଙ୍କୁ କପିଳ ପ୍ରଶଂସାରେ ପୋତିପକାନ୍ତି
ମିଡିଆ ତା’କାମ କରୁଥିଲା। ତେବେ କୁଆଡୁ ଏତେ ଗୁଲିଗପ ପାଇଲା?
ଏତେ ବଡ଼ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ରେ ଏକାଠି ହେବା ମୋ ପରି ଚଣ୍ଡିଗଡ଼ରୁ ଆସିଥିବା ଜଣେ ଯୁବକ ପାଇଁ ବହୁତ ବଡ଼ କଥା ଥିଲା। ଯାହାଙ୍କୁ ଦେଖିକି ଆମେ ବଡ଼ ହେଇଥିଲୁ, ତାଙ୍କୁ ଅତି ନିକଟରେ ପାଇ ତାଙ୍କର ସବୁକିଛି ଲକ୍ଷ୍ୟ କରୁଥିଲୁ। ସେ କେମିତି ଖାଉଛନ୍ତି, କେମିତି ଲୁଗା ପିନ୍ଧୁଛନ୍ତି, କେମିତି ଜୋତା ପିନ୍ଧୁଛନ୍ତି..। ତା’ପରେ ତାଙ୍କ ସହ ଅନେକ ଥର ରୁମ୍ ବି ସେୟାର୍ କରିଛୁ। ପରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, କହିବା ତ ଦୂରର କଥା, ଆଦୋୖ ଭାବିନଥିବା କଥାଗୁଡ଼ିକ ମଧ୍ୟ ମିଡିଆ କେମିତି ଲେଖିପକଉଛି? ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଏତେ ପ୍ରତିଦ୍ବନ୍ଦ୍ବିତା ଥାଏ ଯେ ସେମାନେ ମନଗଢ଼ା କାହାଣୀ ସବୁ ଲେଖିପକାଇବା ସ୍ବାଭାବିକ। ସନ୍ଧ୍ୟାରେ ଆମେ ଫୁର୍ସତ୍ ବେଳେ ଏହି କଥା ପକେଇ ଅନେକ ହସୁ। ମିଡିଆ ତା’କାମ କରୁଥିଲା। ନହେଲେ (ପରିହାସ ଛଳରେ) ଆମେ ଏତେ ଚର୍ଚ୍ଚିତ କେମିତି ହୋଇଥା’ନ୍ତୁ? ସୁନୀଲ ଗାଭାସ୍କରଙ୍କୁ ଆମେ ସନ୍-ସାଇନ୍ କହୁ, କାରଣ ତାଙ୍କର ସବୁବେଳେ ଚମକ ଥାଏ।
ପୁରୁଣା ଖେଳସାଥୀଙ୍କ ଭିତରୁ ସନିଭାଇଙ୍କ ସହ ମୁଁ ସବୁଠୁ ବେଶି ଘନିଷ୍ଠ
ଆମର ଏମିତି ଅନେକ ପୁରୁଣା ଖେଳସାଥୀ ଅଛନ୍ତି ଯାହାଙ୍କ ସାଙ୍ଗରେ ତ ଦୁଇଅଢ଼େଇ ବର୍ଷରେ କେବେକେମିତି ଥରେଅଧେ ବି କଥା ହେଉଥିବୁ ନା ନାଇଁ ସନ୍ଦେହ। କିନ୍ତୁ ସନିଭାଇଙ୍କ ସାଙ୍ଗରେ ଏବେ ବି ଆଠଦଶଦିନରେ ଥରେ ଆମେ ନିଶ୍ଚିତ କଥା ହେଉ। ମାସେ ଦୁଇ ମାସରେ ଥରେ ସେ ଦିଲ୍ଲୀ ଆସନ୍ତି। ଆସିଲେ ମୋ ଅଫିସକୁ ନିଶ୍ଚିତ ଆସିବେ। ଆମେ ଉଭୟେ ଉଭୟଙ୍କର ପ୍ରଶଂସକ ଥିଲୁ। ମତଭେଦର ଅର୍ଥ ନୁହେଁ କି ଆମ ଭିତରେ ଝଗଡ଼ା ଚାଲିଥିଲା।
ମୋତେ ଗଢ଼ିବାରେ ତାଙ୍କ ଭୂମିକା ବହୁତ
କ୍ରିକେଟ୍ରେ ସବୁଠୁ ବଡ଼ ଶିକ୍ଷା ତ ମୁଁ ସନିଭାଇଙ୍କଠାରୁ ହିଁ ପାଇଥିଲି। ମୁଁ ଟେଷ୍ଟ କ୍ରିକେଟକୁ ଆସିନଥାଏ। ୱିଲ୍ସ ଜୋନାଲ୍ କ୍ରିକେଟ୍ରେ ମୁଁ ଉତ୍ତରାଂଚଳ ତରଫରୁ ବୋଲିଂ କଲାବେଳେ ବିପକ୍ଷ ପଶ୍ଚିମାଂଚଳ ଦଳରେ ସନିଭାଇ ଥା’ନ୍ତି। ମୋ ପାଖକୁ ଆସି କହିେଲ, ତୁମେ ଯେତେବେେଳ ଷ୍ଟମ୍ପ୍ ପାଖରୁ ବୋଲିଂ କରୁଛ, ଲେଟ୍ଆ-ଉଟ୍ସ୍ବିଙ୍ଗର୍ ହେଉଛି। ଫଳରେ ବଲ୍କୁ ବୁଝିବାରେ ଅସୁବିଧା ହେଉଛି। ଏହା ତୁମେ ନିଜେ ଅନୁଭବ କରିପାରୁଛ ନା ନାହିଁ? ସାଙ୍ଗେ ସାଙ୍ଗେ ମୋର କିଛି ସାଥୀ ଖେଳାଳି ମୋତେ ତାଗିଦ କରି କହିେଲ, ସନିଭାଇର କଥା ମୋଟେ ଶୁଣିବନି। ମୁଁ କିନ୍ତୁ ସନିଭାଇଙ୍କୁ ସେଦିନ ଶୁଣିନଥିଲେ ଆଜି ଯାହା ହେଇଛି, ହେଇପାରିନଥା’ନ୍ତି।
କାହାର ହିରୋ ନଥିଲେ ସେ?
ଆପଣଙ୍କ ଭିତରେ ଆଦୋୖ ବିବାଦ ନଥିଲା କି ବୋଲି ଏକ ପ୍ରଶ୍ନରେ କପିଳ କହନ୍ତି, କିଏ ନିଜ ହିରୋ ସହ ଲଢ଼େ କି? ଗାଭାସ୍କର ଆପଣଙ୍କର ହିରୋ ଥିଲେ କି ବୋଲି ପ୍ରଶ୍ନରେ ‘ସନିଭାଇ କାହାର ହିରୋ ନଥିଲେ କି’ ବୋଲି ପାଲଟା ପ୍ରଶ୍ନ କରନ୍ତି କପିଳ। ଖାଲି ମୋ’କଥା କାହିଁକି, ଦୁନିଆରେ ଏମିତି କେହି କ୍ରିକେଟର୍ ନଥିଲେ ଯେ କି ୟାଙ୍କୁ ହିରୋ ମାନୁନଥିଲେ। ଭାରତରେ କେହି ଫାଷ୍ଟ ବୋଲର୍ ନଥିଲେ। ତେଣୁ ସନିଭାଇ ଦ୍ରୁତବୋଲରଙ୍କ ବିପକ୍ଷରେ ପ୍ରାକ୍ଟିସ କରିବାକୁ ସୁଯୋଗ ପାଇନଥିଲେ। ବୋଲିଂ ମେସିନ୍ ମଧ୍ୟ ନଥିଲା। ତଥାପି ଫାଷ୍ଟ-ବୋଲିଂ ବିପକ୍ଷରେ ଏତେ ଭଲ ଖେଳିବା..।
ଗାଭାସ୍କର ଭାରତର ପ୍ରଥମ ପେସାଦାର କ୍ରିକେଟ ଖେଳାଳି
ସେ ସମୟରେ ବି ସନିଭାଇଙ୍କ ପେସାଦାର ଆଭିମୁଖ୍ୟ ଦେଖିବା ଭଳି। ସେ ଯୁଗରେ ମୋବାଇଲ ନ ଥିଲା। କେବଳ ଫ୍ଲାସ୍ଲାଇଟ୍ କେମେରାରେ ଫଟୋ ଉଠାଯାଉଥିଲା। ହେଲେ କେହି ତାଙ୍କର ଫଟୋ ନେବାକୁ ଚାହିଲେ ସନିଭାଇ ମୁହଁ ମୋଡ଼ିଦଉଥିଲେ। ପୋଜ୍ କାହିଁକି ଦଉନ ପଚାରିଲେ କହିବେ, ଫ୍ଲାସ୍ଲାଇଟ୍ କିଛି ମୁହୂର୍ତ୍ତ ପାଇଁ ମଣିଷକୁ ଅନ୍ଧ କରିଦିଏ। ସେମିତି ନାଇଟ୍ କ୍ଲବ୍ରେ ଦୁଇଚାରି ମିନିଟ୍ ରହି ସେ ଚାଲିଆସିବେ। କାରଣ ପଚାରିଲେ କହିବେ, କ୍ରିକେଟ୍ ଆଖିର ଖେଳ। ସେଠି ଧୂଅାଁ ବହୁତ। ଆମେ ବିନୁ ମଙ୍କଡ଼୍ଙ୍କ ପ୍ରଫେସନାଲିଜମ୍ ବାବଦରେ ଶୁଣିଥିଲୁ। ସନିଭାଇଙ୍କୁ ଦେଖିଲୁ।
କଲିକତା ଟେଷ୍ଟରୁ ମୋତେ ବାଦ୍ ଦିଆଯିବା ଯଥାର୍ଥ ଥିଲା
ତୁମେ ଯେତେ ବଡ଼ ଖେଳାଳି ହୁଅ ନା କାହିଁକି, ଯଦି ଖରାପ୍ ସଟ୍ ଖେଳୁଛ ଓ ସେଥିପାଇଁ ଦଳ ହାରିଲା ବୋଲି ଦଳର ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ଏକ ସିଦ୍ଧାନ୍ତରେ ପହଞ୍ଚିଲେ, ତୁମକୁ ଦଳରୁ ବାଦ୍ ଦେବା ଯଥାର୍ଥ। ମୁଁ ସେଥର ମୋତେ ଦଳରୁ ବାଦ୍ ଦେବାକୁ ସେମାନଙ୍କୁ ସୁଯୋଗ ଦେଲି ବୋଲି ତ ସେମାନେ ମୋତେ ବାଦ୍ ଦେଇପାରିଲେ! ଏହା ପ୍ରତି କ୍ରିକେଟର୍ଙ୍କ ପାଇଁ ଶିକ୍ଷା ହେବା ଉଚିତ୍। ଏତିକିରେ ଏହି ମାମଲାର ପୂର୍ଣ୍ଣଛେଦ ପଡ଼ିଯିବା ଉଚିତ।
କପିଳଙ୍କ ପ୍ରଶଂସାରେ ଗାଭାସ୍କର ଶତମୁଖ
କପିଳ ଦେଶର ସର୍ବଶ୍ରେଷ୍ଠ କ୍ରିକେଟର୍
ମୋ ମତରେ କପିଳ ହିଁ ଏ ଯାବତ୍ ଦେଶର ଶ୍ରେଷ୍ଠ କ୍ରିକେଟର୍। କାରଣ ସେ ଉଭୟ ବଲ୍ ଓ ବ୍ୟାଟ୍ରେ ଏକାକୀ ଦଳକୁ ଜିତାଇବାର ସାମର୍ଥ୍ୟ ରଖୁଥିଲେ। ତେବେ ଏହି ମ୍ୟାଚ୍ବିଜୟୀ ଖେଳାଳିଙ୍କ ମୁଣ୍ଡରେ ଯଦି ଜଣେ ବୋଲିଂ-ଅଲ୍ରାଉଣ୍ଡରର ଛାପ ପଶିନଥା’ନ୍ତା, ସେ ୨/୩ ହଜାର ଅଧିକ ଟେଷ୍ଟ-ରନ୍ ମଧ୍ୟ କରିପାରିଥା’ନ୍ତେ।
ଆଇପିଏଲ୍ର ସବୁଠୁ ଦାମୀ ଖେଳାଳି ହୋଇଥା’ନ୍ତେ
ଆଇପିଏଲ୍ରେ ସବାର୍ଧିକ ୭/୮ କୋଟିରେ ଦାମୀ ଖେଳାଳିଙ୍କୁ କିଣାହେଉଛି। ସେତେବେଳେ ଯଦି ଆଇପିଏଲ୍ ଥା’ନ୍ତା, ଏବର ମୁଦ୍ରାରେ କପିଳ ୨୫ କୋଟିରେ ବିକ୍ରି ହୋଇଥା’ନ୍ତେ।
ମୁଁ କ’ଣ ଏତେ ମୂର୍ଖ ଯେ କପିଳଙ୍କୁ ଡ୍ରପ୍ କରିବି?
ତାଙ୍କ ଇଙ୍ଗିତରେ କପିଳଙ୍କୁ ଡ୍ରପ୍ କରାଯିବା ପ୍ରସଙ୍ଗରେ ଗାଭାସ୍କର କହନ୍ତି, ମୁଁ ଚୟନକର୍ତ୍ତାଙ୍କ ବୈଠକରେ ପ୍ରଥମରୁ ନ ଥିଲି। ଦିଲ୍ଲୀ ଟେଷ୍ଟରେ ଆମେ ହାରିଯାଇ ଥିବାରୁ ସେଦିନ ସନ୍ଧ୍ୟାରେ ମୁଁ କିଛି ସମୟ ଦଳ ସହ କଟାଇବାର ଆବଶ୍ୟକତା ଥିଲା। ତେଣୁ ଉକ୍ତ ବୈଠକରେ ମୂଳରୁ ନରହି ଶେଷଆଡ଼କୁ ଗଲି। ଆମ ଦଳରେ ସେେତବେଳେ କପିଳ ଏକମାତ୍ର ମ୍ୟାଚ୍ୱିନର୍। ମୁଁ କ’ଣ ଏତେ ମୂର୍ଖ ଅଧିନାୟକ ଯେ ଦଳର ଏକମାତ୍ର ମ୍ୟାଚ୍ବିଜୟୀ ଖେଳାଳିକୁ ଡ୍ରପ୍ କରିବା ପ୍ରସ୍ତାବ ଦେବି? ତାଙ୍କୁ ଡ୍ରପ୍ କରିବା ପ୍ରସ୍ତାବ ଦେବା ତ ଦୂରର କଥା, ଏନେଇଁ ମୁଁ ଭାବି ସୁଦ୍ଧା ପାରିବି କି?
ଦଳର ଏକମାତ୍ର ମ୍ୟାଚ୍ୱିନର୍ଙ୍କ ସହ କଳିର ପ୍ରଶ୍ନ ଉଠୁନାହିଁ
କପିଳ ଆମ ଦଳର ଶ୍ରେଷ୍ଠ ଖେଳାଳି। ତେଣୁ ତାଙ୍କ ପ୍ରତି ମୋର ଦୁର୍ବଳତା ଥିଲା। ଜୀବନରେ କେବଳ ଥରେ ତାଙ୍କ ସହ ଟିକେ ରାଗିକି କଥା ହେଇଚି। ପାକିସ୍ତାନ ବିପକ୍ଷରେ ଆମେ ଏକାଠି କ୍ରିଜ୍ରେ ଥାଉ। ମୁଁ ୧୬୬ ରନ୍ କରି ଖେଳୁଥାଏ। ଇମ୍ରାନ୍ଙ୍କ ଗୋଟିଏ ଓଭର୍ର ୪ର୍ଥ ବଲ୍ଟିକୁ ପଏଣ୍ଟକୁ ଠେଲିଦେଇ ସିଙ୍ଗିଲ୍ଟିଏ ନେବାକୁ ଚାହିଲି। କପିଳ ଶୁଣିଲେ ନାହିଁ। ଶେଷ ବଲ୍ରେ ଆଉଟ୍ ହେବାରୁ ରାଗିଗଲି। କପିଳ ଭଲ ହୁକ୍-ପୁଲ୍ କରନ୍ତି ଭାବି ସେ ଇମ୍ରାନଙ୍କ ଶେଷ ବଲ୍ ଖେଳନ୍ତୁ ବୋଲି ଚାହୁଥିଲି।
ଜିମ୍ବାୱେ ବିପକ୍ଷରେ କପିଳଙ୍କ ୧୭୫* ଶ୍ରେଷ୍ଠତମ ଦିନିକିଆ ଇନିଂସ
ଦିନିକିଆ କ୍ରିକେଟରେ ଏହାଠାରୁ ଭଲ ଇନିଂସଟିଏ ମୁଁ ଦେଖିନାହିଁ। ସେଦିନ ସବୁକିଛି ପ୍ରତିକୂଳ ଥିଲା। ଶୀତଳ ପବନ ବହୁଥିଲା। ବଲ ଜୋର୍ଦାର୍ ସ୍ବିଙ୍ଗ୍ ହେଉଥିଲା। ଦଳ ୧୭/୫କୁ ଖସିବା ପରେ କପିଳ ୭୦/୮୦ ଯାଏ ଧୀରେସୁସ୍ଥେ ନିଜ ଇନିଂସକୁ ଗଢ଼ିଲେ। ତା’ପରେ ଯାହାହେଲା ଇତିହାସ।
ଭାରତୀୟ ବୋଲର୍ ବି ଫାଷ୍ଟ ବୋଲିଂ କରିପାରନ୍ତି
ଫୈସଲାବାଦ ଟେଷ୍ଟରେ ଟୋପି ପିନ୍ଧି ବ୍ୟାଟିଂ କରିବାକୁ ଆସିଥିବା ପାକ୍ ଓପନିଂ ବ୍ୟାଟ୍ ସାଦିକ୍ ମହମ୍ମଦ ଜାଣିନଥିଲେ ତାଙ୍କୁ ଭାରତର କେହି ଜଣେ ବାଉନ୍ସର୍ ମାରିବେ। କପିଳଙ୍କ ପ୍ରଥମ ବାଉନ୍ସର୍ର ଗତି ସାଦିକ୍ ଦେଖିଲା ମାତ୍ରେ ସେ ହେଲ୍ମେଟ୍ ମଗାଇଲେ। ତାଙ୍କ ଅନୁମାନ ସତ ହେଲା। ପରବର୍ତ୍ତୀ ବଲ୍ଟି ଏକ ଦ୍ରୁତ ବାଉନ୍ସର୍। ଏହା ସାଦିକ୍ଙ୍କ ହେଲ୍ମେଟ୍ରେ ବାଜିଲା। ଓଭର୍ ପିଛା ୪/୫ ବାଉନ୍ସର୍ ପକାଉଥିବା ପାକିସ୍ତାନ ଦଳ ସେଦିନ ଜାଣିଗଲା ଯେ ତାଙ୍କ ଦଳ ଭଳି ଭାରତୀୟ ଦଳରେ ବି ଚୋଖା ଦ୍ରୁତ ବୋଲର୍ ଅଛନ୍ତି। ଆଜି ଯଦି ଭାରତୀୟ ଦଳରୁ ମଧ୍ୟ କ୍ବାଲିଟି ଦ୍ରୁତ ବୋଲର୍ ବାହାରୁଛନ୍ତି, ତା’ର ମୁଖ୍ୟ ଶ୍ରେୟ କପିଳଙ୍କୁ ଯିବ।