ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ: ଟେନିସ୍ ଖେଳାଳିଙ୍କୁ ଦୁଷ୍କର୍ମ କଲେ ପ୍ରଶିକ୍ଷକ

ଜୟପୁର: ଗୁରୁ-ଶିଷ୍ୟ ପରମ୍ପରାରେ ପୁଣି ଥରେ କଳଙ୍କ ଲଗିଛି। ରାଜସ୍ଥାନ ରାଜଧାନୀ ଜୟପୁରର ଜଣେ ଟେନିସ୍ ପ୍ରଶିକ୍ଷକ ତାଙ୍କ ଅଧୀନରେ ତାଲିମ ନେଉଥିବା ଜଣେ ୧୭ ବର୍ଷୀୟା ଉଦୀୟମାନ କ୍ରୀଡ଼ା ତାରକାଙ୍କୁ ଦୁଷ୍କର୍ମ କରିବା ଭଳି ଘୃଣ୍ୟକାମ କରି ଗିରଫ ହୋଇଛନ୍ତି। ଗୌରାଙ୍ଗ ନଲୱାୟା ନାମକ ଏହି ନରରୂପୀ ରାକ୍ଷାସ ପ୍ରଶିକ୍ଷକ ଜଣକ ସଂପୃକ୍ତ ଖେଳାଳିଙ୍କୁ ବଡ଼ ବଡ଼ ପ୍ରତିଯୋଗିତା ଖେଳିବାର ସୁଯୋଗ ଦେବା ସହ ଜଣେ ଭଲ ଖେଳାଳି ବୋଲି ପ୍ରମାଣପତ୍ର ଦେବା ‌ଲୋଭ ଦେଖାଇ ନିଜ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ନାବାଳିକା ଜଣକ ଏହି ବୟସ୍କ ପ୍ରଶିକ୍ଷକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଶୋଷିତ ହୋଇଚାଲିଥିଲେ। ବାଳିକା ଜଣକ ସ୍ଥାନୀୟ ସବାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ବେଳେ ଗୌରାଙ୍ଗ ଯୋଜନାବଦ୍ଧ ଭାବେ ଏହି କଳଙ୍କିତ କାଣ୍ଡ ଘଟାଇଥିଲେ।

ବାଳିକା ଜଣକର ଆଚାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ ହେବା ଲକ୍ଷ୍ୟ କରି ପରିବାରବର୍ଗ ତାଙ୍କୁ ପଚରାଉଚରା କରିବା ପରେ ସେ ନିରବତା ଭାଙ୍ଗିଥିଲେ। ମାତା-ପିତାଙ୍କୁ ତାଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣାକୁ ବର୍ଣ୍ଣନା କରିଥିଲେ। ଏପରିକି ଗୌରାଙ୍ଗ ତାଙ୍କ ସହ ଏକାଧିକ ଥର ଶାରୀରିକ ସଂପର୍କ ରଖି ଆସୁଥିବା ଭଳି ଚାଞ୍ଚଲ୍ୟକର କଥା ବି କହିଥିଲେ। ଏକଥା ଶୁଣି ମାତା-ପିତା ମୁଣ୍ଡରେ ହାତ ଦେଇଥିଲେ। ଏହା ପରେ ପରିବାରବର୍ଗ ଘଟଣା ବିଷୟରେ ପୁଲିସକୁ ଜଣାଇବା ସହ ତାଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଜୟପୁରର ଜ୍ୟୋତି ନଜର ପୁଲିସ ଗୌରାଙ୍ଗଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୋଧରେ ବିଭିନ୍ନ ଧାରା ଲଗାଇ ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଶିକ୍ଷକ ଜଣକ ଚଳିତବର୍ଷ ମାର୍ଚ ମାସରେ ବଡ଼ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦେବା କଥା କହି ଏହି ବାଳିକା ଜଣକୁ ଉଦୟପୁର ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହି ଘଟଣା ରାଜସ୍ଥାନ ଟେନିସ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର