ଗୃହାବଦ୍ଧ ଖେଳାଳିକୁ ପାଞ୍ଚ ପରାମର୍ଶ: ପରିବାର ସହ ସମୟ କାଟନ୍ତୁ, ଖାଦ୍ୟ ନିୟନ୍ତ୍ରଣ କରନ୍ତୁ

ନୂଆଦିଲ୍ଲୀ: ବିଶ୍ବକୁ ଘାରିଥିବା ଅପ୍ରତ୍ୟାଶିତ ପରିସ୍ଥିତି ନିଶ୍ଚିତ କିଛି ଅପୂର୍ବ ପଦକ୍ଷେପର ଆବଶ୍ୟକତା ରଖିଛି। ସମଗ୍ର ବିଶ୍ବ ଏବେ ସୀମିତ ହୋଇଯାଇଛି କହିଲେ ଅତ୍ୟୁକ୍ତ ହେବ ନାହିଁ। ଏହି ଅଦୃଶ୍ୟ ଶତ୍ରୁ କରୋନା କିନ୍ତୁ ଟୋକିଓ ଅଲିମ୍ପିକ୍ସ ସହିତ ଅନେକ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଭାବିତ କରି ସାରିଛି। ଖେଳାଳିଙ୍କ ପ୍ରଶିକ୍ଷଣ, ପ୍ରସ୍ତୁତି ଏବଂ ଶିବିର ଆଦିକୁ ବି ପ୍ରଭାବିତ କରିଛି ଏହି ମହାମାରୀ। ଏହି ଅବସରରେ ଲକ୍ଷ୍ୟ ଫାଉଣ୍ଡେସନ୍‌ର ମାନସିକ ସ୍ଥିତି ଓ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଶିକ୍ଷକ ଡାକ୍ତର ସ୍ବରୂପ ସାଭାନୁରଙ୍କ ସହିତ ଆଲୋଚନା ବେଳେ ସେ କିଛି ପରାମର୍ଶ ଦେଇଥିଲେ। ଭାରତର କିଛି ପ୍ରମୁଖ‌ ଖେଳାଳି ଶରଥ କମଲ (ଟେବୁଲ୍‌ ଟେନିସ୍), ସୁମ୍ରନଜିତ୍ କଉର୍ ଓ ପୂଜା ରାଣୀ (ମୁଷ୍ଟିଯୁଦ୍ଧ) ଏବଂ ସୁନୀଲ କୁମାର (କୁସ୍ତି) ପ୍ରମୁଖଙ୍କୁ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ କରୁଥିଲେ ସ୍ବରୂପ। ଅଲିମ୍ପିକ୍ସ ଘୁଞ୍ଚିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହାବଦ୍ଧ ଘୋଷଣା ପର‌ିପ୍ରେକ୍ଷୀରେ ଡାକ୍ତର ସ୍ବରୂପ ଏହି ସମୟ ମଧ୍ୟରେ‌ ଖେଳାଳିମାନେ କ’ଣ କରିବା ଉଚିତ୍‌ ବୋଲି ୫ଟି ପରାମର୍ଶ ଦେଇଛନ୍ତି।

ପରିବାର ସହ ସମୟ କାଟନ୍ତୁ
ପରିବାର ଓ ପିଲାଙ୍କ ସହିତ ଏହି ସମୟର ଉପଯୋଗ କରନ୍ତୁ। ପରିବାର ସହ ରହିବାର ଏହା ବଡ଼ ସୁଯୋଗ ଦେଇଛି। ପରିବାର ସମର୍ଥନ କାରଣରୁ ଖେଳକୁ ଆପଣମାନେ କ୍ୟାରିୟର କରିଛନ୍ତି। ଏବେ ସେମାନଙ୍କୁ ସମୟ‌ ଦେବାର ବେଳ ବି ଆସିଛି। ବର୍ତମାନର ପରିସ୍ଥିତିକୁ ଭୁଲି ପରିବାର ସହ ଖୁସି ରହିବା ଲାଗି ମୁଁ କହିବି।
ଲକ୍ଷ୍ୟ ପୁନଃଧାର୍ଯ୍ୟ କରନ୍ତୁ
ଏବେଠାରୁ ମାସକ ପର୍ଯ୍ୟନ୍ତ ଆପଣ ସକାରାତ୍ମକ ଚିନ୍ତା କରନ୍ତୁ। ଖୁବ୍ ଶୀଘ୍ର ଆପଣଙ୍କ ତାଲିମ ଆରମ୍ଭ ହୋଇଯିବା ଏବଂ ଆଗ ତୁଳନାରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରତିଯୋଗିତା ବି ଆସିଯିବ। ତେଣୁ ଏହି ବିରାମ ସମୟରେ ନିଜ ଲକ୍ଷ୍ୟକୁ ପୁନଃଧାର୍ଯ୍ୟ କରନ୍ତୁ। ନିଜ ରୁଟିନ୍‌ ଜୀବନ ଉପରେ ଏକାଗ୍ର ରହିବାକୁ ଏହା ଆପଣଙ୍କୁ ପ୍ରବର୍ତ୍ତାଇବ। ପରିସ୍ଥିତିକୁ ନେଇ ଚିନ୍ତିତ କି ଉତ୍ସୁକ ନ ହୋଇ ନିଜକୁ ସତେଜ ଓ ପ୍ରସ୍ତୁତ ଥିବାର ଆତ୍ମବିଶ୍ବାସରେ ରଖନ୍ତୁ। ପ୍ରତିଦିନ ନିଜକୁ ପ୍ରସ୍ତୁତ ଥିବା ଏବଂ ପ୍ରବର୍ତ୍ତାଇ ରଖନ୍ତୁ ଯେଭଳି ଖୁବ୍‌ ଶୀଘ୍ର ପ୍ରତିଯୋଗିତା ଆରମ୍ଭ‌ ହୋଇଯିବ।
ପ୍ରତିଯୋଗିତା ଓ ନିଜକୁ ଜାଣନ୍ତୁ
ମିଳିଥିବା ବିରତିର ସୁଯୋଗ କାରଣରୁ ନିଜ ଖେଳର ବିଭିନ୍ନ ପ୍ରତିଯୋଗିତା ସମ୍ପର୍କିତ ତଥ୍ୟ ଏବଂ ଭିଡିଓ ଦେଖନ୍ତୁ। ଅନ୍ୟ ପ୍ରମୁଖ ପ୍ରତିଯୋଗୀମାନେ କିଭଳି ସଫଳ ହେଉଛନ୍ତି ଏବଂ ପ୍ରଦର୍ଶନ କରୁଛନ୍ତି ତାକୁ ଅନୁଧ୍ୟାନ କରନ୍ତୁ। ନିଜର ପ୍ରଦର୍ଶନକୁ ସେହି ଅନୁସାରେ ତୁଳନା ବି କରନ୍ତୁ। ନିଜ ପ୍ରଦର୍ଶନର ଭିଡିଓକୁ ବି ଅନୁଶୀଳନ କରନ୍ତୁ। ନିଜର ଶକ୍ତି, ସାମର୍ଥ୍ୟ ଏବଂ ଦୁର୍ବଳତାକୁ ଚିହ୍ନଟ କରନ୍ତୁ।ଏହା ଦ୍ବାରା ନିଜ ଖେଳରେ ବି ଉନ୍ନତି ଆଣିବାର ସୁଯୋଗ ପାଇବେ। ଏହି ଗୋଟିଏ ପଦକ୍ଷେପ ଆପଣଙ୍କ ଖେଳ ଜୀବନରେ ବଡ଼ ପରିବର୍ତନ ଆଣିବାରେ ନିର୍ଣ୍ଣାୟକ ହୋଇପାରିବ। ସେହିଭଳି ପ୍ରତିପକ୍ଷର ଶକ୍ତି ଓ ସାମର୍ଥ୍ୟକୁ ମଧ୍ୟ ଅନୁଧ୍ୟାନ କରି ନିଜକୁ ଅଧିକ ପ୍ରସ୍ତୁତ କରିପାରିବେ।
ଖାଦ୍ୟ ନିୟନ୍ତ୍ରଣ କରନ୍ତୁ
ଘରେ ରହୁଛନ୍ତି ମାନେ ମା’ଙ୍କ ହାତରନ୍ଧା ଖାଦ୍ୟ ଖାଇବାର ମଜା ବି ନେଉଥିବେ। କିନ୍ତୁ ଜାଣି ରଖନ୍ତୁ ଏହା ସେଭଳି ବିରତିର ସମୟ ନୁହେଁ। ଏହି ବିରତିର ବାସ୍ତବତାକୁ ହୃଦୟଙ୍ଗମ କରିବା କଥା। ନିଜ ଓଜନ ବଢ଼ାଇବା ଠିକ୍ ନୁହେଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ଖାଇବା ଅଭ୍ୟାସକୁ ବଦଳାଇଦେବା କଥା ନୁହେଁ। ଖେଳାଳି ପାଇଁ ଆବଶ୍ୟକ ଫିଟନେସ୍‌କୁ କେତେ କଷ୍ଟରେ ଆଣିଛନ୍ତି, ଏହାକୁ ହାତଛଡ଼ା କରନ୍ତୁ ନାହିଁ। ଏହା ତୁମ ବିରତି ପରବର୍ତ୍ତି ଆତ୍ମବିଶ୍ବାସରେ ନକାରାତ୍ମକ ପ୍ରଭାବ ପକାଇବ ଏବଂ ପ୍ରଦର୍ଶନକୁ ପ୍ରଭାବିତ କରିବାର ଦ୍ବନ୍ଦ୍ବ ବି ବଢ଼ାଇଦେବ। ତେଣୁ ଏହି ଗୃହାବଦ୍ଧ ଦିନଗୁଡିକୁ କେବଳ ମାନସିକ ବିରାମ ନୁହେଁ ଶାରୀରିକ ବିଶ୍ରାମ ଭାବେ ବିଚାର କରନ୍ତୁ।
ନିତ୍ୟକର୍ମର ଦାସ
ଖେଳାଳିମାନେ ସର୍ବଦା ନିତ୍ୟକର୍ମର ଦାସ। ଏହା ବିନା ଜଣେ ଖେଳାଳି ଅସହାୟ। ଏଭଳି କିଛି ନିତ୍ୟକର୍ମ ପ୍ରସ୍ତୁତ ରଖନ୍ତୁ ଏବଂ ଅନୁସରଣ କରନ୍ତୁ। (୧) ଶାରୀରିକ ତାଲିମ ସମୟ ନିର୍ଧାରଣ କରନ୍ତୁ। ଶକ୍ତି ଓ ସାମର୍ଥ୍ୟ ଜନିତ ତାଲିମରେ ଘଣ୍ଟାଏ ବିତାନ୍ତୁ, କେଉଁ କ୍ଷେତ୍ରରେ ନିଜକୁ ଗୁରୁତ୍ବ ଦେବାକୁ ହେବ ତାଲିମଦାତାକୁ ପରାମର୍ଶ ନିଅନ୍ତୁ। (୨) ନିର୍ଧାରିତ ସମୟକୁ ଛାଡ଼ିଦେଲେ ସେଲ୍‌ଫୋନ୍‌ ସର୍ବଦା ସମୟର ଅପଚୟ ମାତ୍ର। ଏହାକୁ ଏକ ବଦଭ୍ୟାସରେ ପରିଣତ ହେଲେ ମାନସିକ ବିକାର ଆଣିପାରେ। ଏଭଳି ପରିସ୍ଥିତି ଆଗରେ ହାର ମାନିବା କଥା ନୁହେଁ। (୩) ‌ଯେଉଁ ଖେଳ ଖେଳୁଥାନ୍ତୁ ନା କାହିଁକି ଏହା ନିଶ୍ଚିତ କିଛି ବୈଷୟିକ ତାଲିମର ଅଭ୍ୟାସ ମାଗିଥାଏ। ଏଭଳି ଅଭ୍ୟାସ ଜାରି ରଖନ୍ତୁ, ନିଜ ତ୍ରୁଟିକୁ ସୁଧାରି ଚାଲନ୍ତୁ। ଦର୍ପଣ ସମ୍ମୁଖରେ ବି ଆପଣ ଏଭଳି କରିପାରିବେ। (୪) ଶୋଇବା ସମୟରେ ବି ଅନିୟମିତତା ଆଣନ୍ତୁ ନାହିଁ। ବିରତି ସମୟ ଆପଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ‌ ଚେଇଁବାର ବଦଭ୍ୟାସରେ ପକାଇପାରେ। ପାରିବାରିକ କାରଣରୁ ଏହା ଥରେ ଦୁଇ ଥର ହୋଇପାରେ, କିନ୍ତୁ ଏହାକୁ ସାମାଜିକ ଗଣମାଧ୍ୟମରେ ବିନିଯୋଗ କରନ୍ତୁ ନାହିଁ କିମ୍ବା ମୁଭି ଦେଖନ୍ତୁ ନାହିଁ। (୫) ପୂର୍ବରୁ କୁହାଯାଇଛି, ପ୍ରତିଯୋଗିତା ଭିଡିଓ ଓ ନିଜ ପ୍ରଦର୍ଶନକୁ ଦେଖନ୍ତୁ ଓ ଅନୁଧ୍ୟାନ କରନ୍ତୁ। ସ୍ଥିତି ସ୍ବାଭାବିକ ହେବା ପରେ ପ୍ରତିଯୋଗିତା ବେଳକୁ ଏହା ଠିକଣା ମାନସିକ ଓ ଆତ୍ମବିଶ୍ବାସ ପ୍ରଦାନ କରିବ। ଏକଥାକୁ ଭୁଲିବେ ନାହିଁ ଯେ ମହାନ ଇଂରାଜୀ ଲେଖକ ସେକ୍ସପିୟର୍‌ ସପ୍ତଦଶ ମସିହାର ପ୍ଲେଗ୍‌ ସମୟରେ ଏକାନ୍ତବାସରେ ଥାଇ ‘କିଙ୍ଗ୍‌ ଲିୟର୍‌’ ଭଳି ପୁସ୍ତକ ଲେଖିଥିଲେ।

ସମ୍ବନ୍ଧିତ ଖବର