ଗୋଟିଏ ଓଭରରୁ ସର୍ବାଧିକ ରନ୍: ଭାରତୀୟଙ୍କ ନାଁରେ ତିନିଟି ଯାକ ଫର୍ମାଟ୍ କୀର୍ତ୍ତିମାନ

ବର୍ମିଂହାମ: ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରରୁ ୩୫ ରନ୍ ଅମଳ କରି ଭାରତର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍‌ରା ବର୍ମିଂହାମ ଟେଷ୍ଟ୍‌ରେ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର୍ ବ୍ରାଏନ ଲାରାଙ୍କୁ ଟପି ଟେଷ୍ଟ୍ କ୍ରିକେଟ୍‌ରେ ଗୋଟିଏ ଓଭରରୁ ସର୍ବାଧିକ ରନ୍ ସଂଗ୍ରହ କରିବାର କୀର୍ତ୍ତିମାନ ନିଜ ନାଁରେ କରି ନେଇଛନ୍ତି ସେ। ତେବେ କେବଳ ଟେଷ୍ଟ୍ ନୁହେଁ କ୍ରିକେଟ୍‌ର ଅନ୍ୟ ଦୁଇ ଫର୍ମାଟ୍‌ ଯଥା ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ର ଗୋଟିଏ ଓଭରରୁ ସର୍ବାଧିକ ରନ୍ ସଂଗ୍ରହ କରିବାର କୀର୍ତ୍ତିମାନ ବି ଭାରତୀୟଙ୍କ ନାଁ’ରେ ରହିଛି। ଆଉ ଏହି ଦୁଇ ଭାରତୀୟ ହେଉଛନ୍ତି ଯୁବରାଜ ସିଂହ ଏବଂ ଯଶକରଣ ମାଲହୋତ୍ରା। ବଡ଼ କଥା ହେଲା ଦୁଇଟି କୀର୍ତ୍ତିମାନ (ଟେଷ୍ଟ୍ ଓ ଏକଦିବସୀୟ) ବ୍ରଡ୍‌ଙ୍କ ଓଭରରୁ ହିଁ ଆସିଛି।

୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଯୁବରାଜ ତାଙ୍କର ଗୋଟିଏ ଓଭରରୁ ୬ ଛକା ମାରି ୩୬ ରନ୍ ସଂଗ୍ରହ କରିଥିଲେ। ଯାହା ଆଜି ବି ଟ୍ବେଣ୍ଟି-୨୦ର ସବୁଠୁ ମହଙ୍ଗା ଓଭର ହୋଇରହିଛି। ଅନ୍ୟପକ୍ଷରେ ଏକଦିବସୀୟ କ୍ରିକେଟ୍‌ର ଗୋଟିଏ ଓଭରରୁ ସର୍ବାଧିକ ରନ୍ କରିବାର କୀତ୍ତିମାନ ଆମେରିକାର ଭାରତୀୟ ବଂଶୋଦ୍ଭବ କ୍ରିକେଟର ଯଶକରଣଙ୍କ ନାଁ’ରେ ରହିଛି। ପାପୁଆ ନ୍ୟୁଗିନି ବିପକ୍ଷରେ ଗୋଟିଏ ଓଭରରୁ ୩୬ ରନ୍ କରିଥିଲେ ସେ। ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ଯଶକରଣ ହିମାଚଳ ରଣଜୀ ଦଳର ନେତୃତ୍ବ ନେଇଥିଲେ। ତେବେ ୨୦୧୮ ମସିହାରେ ଆମେରିକା ଚାଲିଯାଇ ସେଠାକାର ଜାତୀୟ କ୍ରିକେଟ୍ ଦଳରୁ ଖେଳିବାର ସୁଯୋଗ ପାଇଥିଲେ। ଅବଶ୍ୟ ୨୦୦୭ ମସିହା ଏକଦିବସୀୟ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ହରଶ୍ଚେଲ ଗିବ୍ସ ଅନଭିଜ୍ଞ ନେଦରଲାଣ୍ଡର ଦ୍ରୁତ ବୋଲର ଡିଏଲ୍ଏସ୍ ଭାନ୍ ବଙ୍ଗେଙ୍କ ଗୋଟିଏ ଓଭରରୁ ୬ ଛକା ମାରି ୩୬ ରନ୍ ଅମଳ କରିଥିଲେ। ଯଶକରଣ ୨୦୨୧ରେ ଗିବ୍ସଙ୍କ ସମକକ୍ଷ ହୋଇଥି‌ଲେ।

ସମ୍ବନ୍ଧିତ ଖବର