ଗୋଲାପି ବଲ୍‌ରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷା : ଭାରତ ପାଇଁ ଅନେକ ଭଲ କଥା

ମ୍ୟାକଡରମଟ୍, ୱାଇଲ୍ଡରମୁଥଙ୍କ ଶତକ, ଅଭ୍ୟାସ ମ୍ୟାଚ୍ ଅମୀମାଂସିତ

ସିଡ୍‌ନି : ଆଡିଲେଡ୍‌ର ଗୋଲାପି ବଲ୍ ଟେଷ୍ଟ୍ ପୂର୍ବରୁ ସିଡ୍‌ନିରେ ଖେଳିଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌କୁ ଭାରତୀୟ କ୍ରିକେଟ୍ ଦଳ ଅମୀମାଂସିତ ରଖିଛି। ମ୍ୟାଚ୍ ଜିତି ପାରିନଥିଲେ ମଧ୍ୟ ଗୋଲାପି ବଲ୍‌କୁ ନେଇ ଭାରତୀୟ କ୍ରିକେଟ୍ ଦଳ ଉଚିତ ଶିକ୍ଷା ଲାଭ କରିଛି। ଗୋଲାପି ବଲ୍ ନରମ ହେଲା ପରେ ଏଥି‌ରେ ବ୍ୟାଟିଂ କରିବା ଯେ ଅତ୍ୟନ୍ତ ସହଜ ହୋଇଯାଏ, ସେକଥା ଭଲ ଭାବରେ ଜାଣି ପାରିଛନ୍ତି ଭାରତୀୟ ଖେଳାଳି। ୨୫ ରନ୍‌ରେ ୩ ୱିକେଟ୍ ହରାଇବା ସତ୍ତ୍ବେ ରବିବାର ଦିନ ତମାମ ଭାରତୀୟ ବୋଲରଙ୍କୁ ନୟାନ୍ତ କରି ଅଷ୍ଟ୍ରେଲିଆ ‘ଏ’ ମ୍ୟାଚ୍ ଡ୍ର’ କରିନେବା‌ ମଧ୍ୟ ଏକଥାକୁ ପ୍ରମାଣିତ କରିଛି। ତଥାପି ଏହି ଦିବା-ରାତ୍ର ଅଭ୍ୟାସରୁ ଭାରତୀୟ ଦଳ ଅନେକ ସକାରାତ୍ମକ ଫାଇଦା ପାଇଛି। ପ୍ରଥମ ପାଳିରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା (୫୫*, ୫୭ ବଲ୍, ୬ ଚୌକା, ୨ ଛକା) ଦମ୍‌ଦାର ଅର୍ଧଶତକ ଅର୍ଜନ କରିବା ପରେ ତାଙ୍କ କ୍ରିକେଟ୍ ଦକ୍ଷତାର ଆଉ ଏକ ଚମକପ୍ରଦ ଦିଗ ଉନ୍ମୋଚିତ ହୋଇଛି। ମହମ୍ମଦ ସାମି (୩/୨୯) ଓ ନଭଦୀପ ସୈନି (୩/୧୯)ଙ୍କ ସୁନ୍ଦର ବୋଲିଂ ମଧ୍ୟ ଭାରତୀୟ ବୋଲିଂ ବାହିନୀର ଆତ୍ମବଳ ବଢ଼ାଇଛି। ଦ୍ବିତୀୟ ପାଳିରେ ମୟଙ୍କ ଅଗ୍ରୱାଲ (୬୧) ଓ ଶୁବମନ ଗିଲ୍‌ (୬୫) ଅର୍ଧଶତକ ଅର୍ଜନ କରିବା ପରେ ହନୁମା ବିହାରୀ (୧୦୪*) ଓ ଋଷବ ପନ୍ତ (୧୦୩*) ଷ୍ଟ୍ରୋକଭରା ଶତକ ହାସଲ କରି ଆଡିଲେଡ୍ ଟେଷ୍ଟ୍‌ର ଚୂଡ଼ାନ୍ତ ଏକାଦଶ ଲାଗି ନିଜ ନିଜର ଦାବି ଉପସ୍ଥାପନା କରିଛନ୍ତି। ରବିବାର ‌ଅନ୍ତିମ ଦିନ ଖେଳର ୧୨ ଓଭର ଭିତରେ ଅଷ୍ଟ୍ରେଲିଆ ‘ଏ’ର ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରିଥିବା ଭାରତୀୟ ବୋଲରମାନେ ପରବର୍ତ୍ତୀ ୬୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ନେବା ଅବଶ୍ୟ ପ୍ରଶଂସକଙ୍କୁ ଟିକିଏ ନିରାଶ କରିଛି। ସେପଟେ ବେନ୍ ମ୍ୟାକଡରମଟ୍ (୧୦୭*) ଓ ଜ୍ୟାକ୍ ୱାଇଲଡରମୁଥ୍ (୧୧୧*) ଶତକୀୟ ପାଳି ଖେଳିବା ଘରୋଇ ଅଷ୍ଟ୍ରେଲିଆକୁ ବହୁ ପ୍ରତୀକ୍ଷିତ ପ୍ରଥମ ଟେଷ୍ଟ୍ ପୂର୍ବରୁ ଉତ୍ସାହିତ କରିଛି। ଉଭୟ ପାଳିରେ ‌ଜୋ ବର୍ନସ ବିଫଳ ହେବା ଅବଶ୍ୟ କଙ୍ଗାରୁ ଦଳକୁ ଅନୁରୂପ ଭାବେ ନିରାଶ କରିଛି।

ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଉଭୟ ଦଳ ବିଫଳ ହୋଇଥିଲେ। ଭାରତୀୟ ଦଳ ମାତ୍ର ୪୮.୩ ଓଭର‌ ଖେଳି ୧୯୪ ରନ୍ କରିପାରିଥିଲା। ସେହିଭଳି ଅଷ୍ଟ୍ରେଲିଆ ‘ଏ’ ଭାରତୀୟ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୩୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୧୦୮ ରନ୍ କରିପାରିଥିଲା। ପ୍ରଥମ ପାଳି ଭିତ୍ତିରେ ୧୮୬ ରନ୍‌ରେ ଆଗୁଆ ରହିଥିବା ଭାରତୀୟ ଦଳ ଦ୍ବିତୀୟ ପାଳିରେ ତୁଳନାତ୍ମକ ଭା‌ବେ ଯଥେଷ୍ଟ ଭଲ ବ୍ୟାଟିଂ କରି ଶନିବାର ଦ୍ବିତୀୟ ଦିନର ଖେଳ ବନ୍ଦ ସୁଦ୍ଧା ୪ ୱିକେଟ୍ ବିନିମୟରେ ୩୮୬ ରନ୍ କରି ନେଇଥିଲା। ରବିବାର ଖେଳ ଆରମ୍ଭ ପୂର୍ବରୁ ଭାରତ ସେହି ସ୍କୋରରେ ପାଳି ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ‘ଏ’ ସମ୍ମୁଖରେ ସର୍ବା‌ଧିକ ୯୦ ଓଭରରୁ ୪୭୩ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମହମ୍ମଦ ସାମି ଓ ମହମ୍ମଦ ସିରାଜ ଘାତକ ବୋଲିଂ କରି ୨୫ ରନ୍‌ରେ ଅଷ୍ଟ୍ରେଲିଆ ‘ଏ’ର ଶୀର୍ଷ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ଭାରତ ପାଇଁ ବିଜୟ ଆଶା ସଂଚାର ହୋଇଥିଲା। ତେବେ ମ୍ୟାକଡରମଟ୍ ପ୍ରଥମେ ୱି‌କେଟ୍ ରକ୍ଷକ ଆଲେକ୍ସ କ୍ୟାରି (୫୮)ଙ୍କ ସହ ଚତୁର୍ଥ ୱିକେଟ୍‌ରେ ୧୧୭ ରନ୍ ଯୋଡ଼ି ବିପଦ ଟାଳିଥିଲେ। ତା’ ପରେ ୱାଇଲ୍ଡରମୁଥଙ୍କୁ ସାଥୀ କରି ଅବିଭାଜିତ ପଞ୍ଚମ ୱି‌କେଟ୍‌ରେ ୧୬୫ ରନ୍ ସଂଗ୍ରହ କରି ମ୍ୟାଚ୍‌ ଡ୍ର’ ହେବାକୁ ସୁନିଶ୍ଚିତ କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ୭୫ ଓଭରରେ ୪ ୱିକେଟ୍ ହରାଇ ୩୦୭ ରନ୍ କରିଥିବା ବେଳେ ଉଭୟ ଦଳର ଅଧିନାୟକଙ୍କ ସହମତିରେ ମ୍ୟାଚ୍‌କୁ ଅମୀମାଂସିତ ଘୋଷଣା କରାଯାଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୪୮.୩ ଓଭରରେ ୧୯୪। ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ପାଳି ୩୨.୨ ଓଭରରେ ୧୦୮। ଭାରତ ଦ୍ବିତୀୟ ପାଳି ୩୮୬/୪ (ଘୋଷିତ)। ଅଷ୍ଟ୍ରେଲିଆ ‘ଏ’ ଦ୍ବିତୀୟ ପାଳି ୭୫ ଓଭରରେ ୩୦୭/୪ (ବେନ୍ ମ୍ୟାକଡରମଟ୍ ୧୦୭*, ଜ୍ୟାକ୍ ୱାଇଲଡରମୁଥ୍ ୧୧୧*, ମହମ୍ମଦ ସାମି ୨/୫୮, ହନୁମା ବିହାରୀ ୧/୧୪, ମହମ୍ମଦ ସିରାଜ ୧/୫୪)।

କଙ୍ଗାରୁ।ସେନାକୁ ଫେରିଲେ ଷ୍ଟାର୍କ
ଆଡିଲେଡ୍‌ର ଐତିହାସିକ ଗୋଲାପି ବଲ୍ ଟେଷ୍ଟ୍ ପୂର୍ବରୁ ରବିବାର ଅଷ୍ଟ୍ରେଲିଆକୁ ଏକ ବଡ଼ ଖୁସୀ ଖବର ମିଳିଛି। ପାରିବାରିକ କାରଣ ପାଇଁ ଭାରତ ବିପକ୍ଷ ଶେଷ ଦୁଇ ଟ୍ବେଣ୍ଟି-୨୦ରୁ ଓହରି ଯାଇଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଦଳକୁ ଫେରିଛନ୍ତି। ସେ ଆଜି ଅଷ୍ଟ୍ରେଲିଆ ‘ଏ’ ଦଳର ଖେଳାଳିଙ୍କ ସହ ସିଡ୍‌ନିରୁ ଆଡିଲେଡ୍ ଯାତ୍ରା କରିଛନ୍ତି। ଦିବା-ରାତ୍ର ଟେଷ୍ଟ୍ ଲାଗି ପ୍ରସ୍ତୁତି କରିବା ପାଇଁ ଷ୍ଟାର୍କଙ୍କୁ କମ୍ ସମୟ ମିଳିଥିଲେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତନ ଦଳର ବୋଲିଂ ଶକ୍ତିକୁ ବଢ଼ାଇଛି ବୋଲି ସାଥୀ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ପ୍ରେସ୍ ବିଜ୍ଞପ୍ତି ଜାରି କରି ଷ୍ଟାର୍କଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛି। ଦିବା-ରାତ୍ର ଟେଷ୍ଟ୍‌ରେ ଷ୍ଟାର୍କଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା ବେଳେ ୭ ମ୍ୟାଚ୍ ଖେଳି ସେ ୪୨ ୱିକେଟ୍ କରାୟତ କରିଛନ୍ତି। ଯାହା କ୍ରିକେଟ୍ ଅଷ୍ଟ୍ରେଲିଆକୁ ଉତ୍ସାହିତ କରିଛି। ସେ ଫେରିବା‌ କିନ୍ତୁ ଭାରତୀୟ ଦଳର ଚିନ୍ତା ବଢ଼ାଇଛି। ଷ୍ଟାର୍କଙ୍କୁ ଫ୍ଲଡ୍ ଲାଇଟ୍ ତଳେ ସମ୍ମୁଖୀନ ହେବା ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଆଦୌ ସହଜ ହେବନି ବୋଲି କ୍ରିକେଟ୍ ପଣ୍ଡିତମାନେ ବି ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧିତ ଖବର