ଚହର ହ୍ୟାଟ୍ରିକ୍‌ରେ ଶୃଙ୍ଖଳା ବିଜୟ: ବାଂଲାଦେଶ ୩୦ ରନ୍‌ରେ ପରାସ୍ତ

ନାଗପୁର: ନାଗପୁର ଟ୍ବେଣ୍ଟି-୨୦କୁ ୩୦ ରନ୍‌ରେ ଜିତି ବାଂଲାଦେଶ ବିପକ୍ଷ ତିନି ଟିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ବାଂଲାଦେଶ ବିଜୟୀ ହେବା ପରେ ରାଜକୋଟରେ ଖେଳିଥିବା ଦ୍ବିତୀୟ ମୁକାବିଲାକୁ ଜିତି ଭାରତ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଥିଲା। ସେହିଭଳି ରବିବାର ନାଗପୁରରେ ନାଟକୀୟ ଭାବେ ବିଜୟୀ ହୋଇ ଶୃଙ୍ଖଳା କବଜା କରି ନେଇଥିଲା। ସ୍ଥିତି ୧-୧ରେ ଥିବାରୁ ନାଗପୁର ଲଢ଼େଇ ଶୃଙ୍ଖଳା ନିର୍ଣ୍ଣାୟକ ଥିଲା। ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୧୭୫ ରନ୍‌ର ଲକ୍ଷ୍ୟ ଦେଇଥିଲା। ବାଂଲାଦେଶ ମାତ୍ର ୧୨ ରନ୍‌ରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ସତ୍ତ୍ବେ ଯୁବ ତାରକା ମହମ୍ମଦ ନଇମ (୭୧)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ‌ନେବା ଦ୍ବାର ଦେଶରେ ଥିଲା। ତେବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଦୀପକ ଚହର ନଇମଙ୍କ ସାଥୀ ମହମ୍ମଦ ମିଥୁନ (୨୭)ଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିବା ପରେ ଭାରତ ଆଡ଼କୁ ମ୍ୟାଚ୍ ଢଳି ଥିଲା। ଚହର ଏବଂ ନବାଗତ ଅଲରାଉଣ୍ଡର ଶିଭମ ଦୁବେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ବାଂଲାଦେଶକୁ ୪ ବଲ୍ ପୂର୍ବରୁ ମାତ୍ର ୧୪୪ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ନଇମ ଏବଂ ମିଥୁନଙ୍କ ଛଡ଼ା ଅନ୍ୟ ୮ ବାଂଲା ବ୍ୟାଟ୍ସମ୍ୟାନ୍ ଏକ ଅଙ୍କରେ ସୀମିତ ରହିଥିଲେ। ଚହର ମାତ୍ର ୭ ରନ୍ ଦେଇ ୬ ୱିକେଟ୍ ନେବା ସହ ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ବିପଜ୍ଜନକ ନଇମଙ୍କ ସହ ମୁସଫିକର ରହିମ ଏବଂ ଆଫିଫ ହୁସେନଙ୍କୁ ଆଉଟ୍ କରି ଶିଭମ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଅଷ୍ଟାଦଶ ଓଭରର ଶେଷ ବଲ୍ ସହ ଅନ୍ତିମ ଓଭରର ପ୍ରଥମ ଦୁଇ ବଲ୍‌ରେ ୱିକେଟ୍ ନେଇ ଚହର ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି-୨୦ରେ ହ୍ୟାଟ୍ରିକ୍ ହାସଲ କରିଥିଲେ। ତାଙ୍କ ବୋଲିଂ ଚିତ୍ର ମଧ୍ୟ ଭାରତର ଟ୍ବେଣ୍ଟି-୨୦ ଇତିହାସର ଅନ୍ୟତମ ସ୍ମରଣୀୟ ପ୍ରଦର୍ଶନ ଥିଲା।

ଶ୍ରେୟସଙ୍କ ପ୍ରଥମ ଅର୍ଧଶତକ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଲୋକେଶ ରାହୁଲ (୫୨) ଓ ଶ୍ରେୟସ୍ ଆୟର (୬୨)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୪ ରନ୍ କରି ନେଇଥିଲା। ଭାରତର ଆରମ୍ଭ କିନ୍ତୁ ଆଶାଜନକ ଭାବେ ହୋଇ ନଥିଲା। ରାଜକୋଟ ବିଜୟର ମହାନାୟକ ତଥା ଅଧିନାୟକ ରୋହିତ ଶର୍ମା (୨)ଙ୍କୁ ସାଫିଉଲ୍ ଇସଲାମ୍ ଇନସୁଇଂଗରରେ କ୍ଲିନ୍ ବୋଲ୍ଡ କରିବା ପରେ ଶିଖର ଧାୱନ (୧୯) ଷଷ୍ଠ ଓଭରରେ ତାଙ୍କର ଦ୍ବିତୀୟ ଶିକାର ହୋଇଥିଲେ। ୩୫ ରନ୍‌ରେ ହିଁ ଭାରତ ତା’ର ପ୍ରାରମ୍ଭିକ ଯୋଡ଼ିକୁ ହରାଇଥିଲା। ଏହା ପରେ ରାହୁଲ ଏବଂ ଶ୍ରେୟସ୍ ତୃତୀୟ ୱିକେଟ୍‌ରେ ବହୁମୂଲ୍ୟ ୫୯ ରନ୍ ସଂଗ୍ରହ କରି ସ୍ଥିତି ସୁଧାରି ନେଇଥିଲେ। ରାହୁଲ କେତେକ ଦର୍ଶନୀୟ ସଟ୍ ଖେଳି ୭ ଚୌକା ସହ ୩୩ ବଲ୍‌ରୁ ନିଜ ଷଷ୍ଠ ଶତକ ପୂରଣ କରିଥିଲେ। ତେବେ ଭାରତୀୟ ପାଳିର ପ୍ରମୁଖ ଆକର୍ଷଣ ଥିଲା ଶ୍ରେୟସଙ୍କ ବ୍ୟାଟିଂ। ବାଂଲା ସ୍ପିନର ଆଫିଫ ହୁସେନଙ୍କୁ ହ୍ୟାଟ୍ରିକ୍ ଛକା ମାରିବା ସହ ଅତ୍ୟନ୍ତ ଦାୟିତ୍ବର ସହ ଖେଳି ସେ ମାତ୍ର ୨୭ ବଲ୍‌ରୁ ନିଜ ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ରାହୁଲ ଓ ଶ୍ରେୟସ୍ ପ୍ୟାଭିଲିୟନ ଫେରିବା ପୂର୍ବରୁ ଭାରତ ଏକ ସମ୍ମାନଜନକ ସ୍କୋର ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହୋଇ ସାରିଥିଲା। ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ (୬) ପୁଣି ଥରେ ବିଫଳ ହୋଇଥିଲେ। ତେବେ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଖେଳିଥିବା ମନୀଷ ପଣ୍ଡେ (୨୨*) ଏବଂ ନବାଗତ ଶିଭମ ଦୁବେ (୯*) ଅବିଭାଜିତ ଷଷ୍ଠ ୱିକେଟରେ ୩୦ ରନ୍ ଯୋଡ଼ି ଭାରତ ସ୍କୋରକୁ ୧୭୪ରେ ପହଞ୍ଚାଇ ଦେଇଥିଲେ। ପ୍ରଥମ ୧୦ ଓଭରରେ ୨ ୱିକେଟ୍ ହରାଇ ୭୧ ରନ୍ କରିଥିବା ଭାରତ ପରବର୍ତୀ ୧୦ ଓଭରରେ ୩ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରି ନେଇଥିଲା। ଶ୍ରେୟସ୍ ମାତ୍ର ୧ ରନ୍‌ରେ ଥିଲା ବେଳେ ଏକ ସହଜ କ୍ୟାଚ୍ ହାତଛଡ଼ା କରିବା ବାଂଲାଦେଶ ପାଇଁ ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର