ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦ୍‌ଘାଟିତ: ଝାଡ଼ଖଣ୍ତ ଓ ଏସ୍‌ଏସ୍‌ସିବି ଦଳଗତ ବିଜେତା

କଟକ: ବାରବାଟୀ ଷ୍ଟାଡିୟମରେ ରବିବାରଠୁ ଆରମ୍ଭ ହୋଇଛି ୩୯ତମ ଜାତୀୟ ବରିଷ୍ଠ ତୀରନ୍ଦାଜୀ ପ୍ରତିଯୋଗିତା। ପ୍ରଥମ ଦିନ ଅନୁଷ୍ଠିତ ରିକର୍ଭ ପର୍ଯ୍ୟାୟ ମହିଳା ଏକକରେ ଆର‌୍‌ଏସ୍‌ପିବିର ବୋମ୍ବାଲ୍ୟା ଦେବୀ ୬୪୨ ପଏଣ୍ଟ ସହ ଶୀର୍ଷରେ ରହିଥିଲା ବେଳେ ଝାଡ଼ଖଣ୍ତର ଅଙ୍କିତା ଭକତ ୬୩୯ ପଏଣ୍ଟ ସହ ଦ୍ବିତୀୟ ଓ ହରିଆଣାର ପ୍ରୀତି ୬୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତିକ ପଦକ ବିଜେତା ଦୀପିକା କୁମାରୀ ୬୨୨ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି। ମହିଳା ଦଳଗତ ବିଭାଗରେ ଦ୍ବିତୀୟ ରାଉଣ୍ତ ସୁଦ୍ଧା ଝାଡ଼ଖଣ୍ତ ୧୮୮୩ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ହରିଆଣା ୧୮୮୧ ପଏଣ୍ଟ ସହ ଦ୍ବିତୀୟ ଓ ଆର‌୍‌ଏସ୍‌ପିବି ୧୮୪୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ପୁରୁଷ ଏକକରେ ମହାରାଷ୍ଟ୍ରର ସୁଖମଣି ବାବ୍ରେକର ୬୫୫, ଏସ୍‌ଏସ୍‌ସିବିର ପ୍ରବୀଣ ଯାଦବ ୬୫୩ ଓ ତରୁଣଦୀପ ରାଏ ୬୫୨ ପଏଣ୍ଟ ସହ ଶୀର୍ଷ ତିନି ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଦଳଗତ ବିଭାଗରେ ଏସ୍‌ଏସ୍‌ସିବି ୧୯୫୨ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ, ମହାରାଷ୍ଟ୍ର (୧୯୨୯) ଦ୍ବିତୀୟ ଓ ଦିଲ୍ଲୀ (୧୯୦୦) ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ମିଶ୍ରିତ ବିଭାଗରେ ଝାଡ଼ଖଣ୍ତର ଅଙ୍କିତା ଭକତ ଓ ଗୁରୁଚରଣ ବେସ୍ରାଙ୍କ ଯୋଡ଼ି ୧୨୮୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଆର‌୍‌ଏସ୍‌ପିବିର ଏଲ୍‌ ‌ବୋମ୍ବାଲ୍ୟା ଦେବୀ ଓ ମଙ୍ଗଳ ସି˚ହ ଚମ୍ପିଆଙ୍କ ଯୋଡ଼ି ୧୨୮୨ ପଏଣ୍ଟରେ ଦ୍ବିତୀୟ ଏବ˚ ହରିଆଣାର ପ୍ରୀତି ଓ ବସନ୍ତଙ୍କ ଯୋଡ଼ି ୧୨୭୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସୋମବାର ଅଲିମ୍ପିକ୍‌ ପର୍ଯ୍ୟାୟ ଖେଳ ଅନୁଷ୍ଠିତ ହେବ।  ଓଡ଼ିଶା ପାଇଁ ଦ୍ବିତୀୟ ରାଉଣ୍ତ ସୁଦ୍ଧା ମହିଳା ଏକକରେ ଚନ୍ଦମଣି ମୁଣ୍ତା (୪୯୯) ୮୫ତମ ସ୍ଥାନରେ, ବାଳି ବନସି˚ହ (୪୭୮) ୯୦ତମ ସ୍ଥାନରେ, ଆଶାଲତା ଦାସ (୪୭୨) ୯୨ ତମ ସ୍ଥାନ, ସୁମି ମୁଣ୍ତା (୩୭୩) ୯୫ ତମ ସ୍ଥାନରେ ରହିଛନ୍ତି। ସେହିପରି ପୁରୁଷ ଏକକରେ ର˚ଜିତ ନାୟକ (୬୩୪) ୧୮ତମ ସ୍ଥାନ, ସୂର୍ଯ୍ୟମଣି ମାଝୀ (୬୧୬) ୫୫ ତମ ସ୍ଥାନ, ସୀମାଞ୍ଚଳ କାଡ୍ରକା (୫୯୭) ୭୯ ତମ ସ୍ଥାନ, ପ୍ରଭାତ ମିଞ୍ଜ (୫୯୩) ୮୫ତମ ସ୍ଥାନରେ ରହିଛନ୍ତି। ମହିଳା ଦଳଗତରେ ଓଡ଼ିଶା ୧୪୪୯ ପଏଣ୍ଟ ସହ ୨୩ତମ ସ୍ଥାନ ଓ ପୁରୁଷ ଦଳଗତରେ ୧୮୪୭ ପଏଣ୍ଟ ସହ ୧୭ତମ ସ୍ଥାନରେ ରହିଛି। ମିଶ୍ରିତ ଯୁଗଳରେ ଓଡ଼ିଶାର ଚନ୍ଦମଣି ମୁଣ୍ତା ଓ ର˚ଜିତ ନାୟକଙ୍କ ଯୋଡ଼ି ୧୧୩୩ ପଏଣ୍ଟ ସହ ୨୩ତମ ସ୍ଥାନରେ ରହିଛନ୍ତି। ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ତୀରନ୍ଦାଜୀ ସ˚ଘର ସଭାପତି ଅଜିତ କୁମାର ତ୍ରିପାଠୀ, ସର୍ବଭାରତୀୟ ମହାସ˚ଘର ଭିଭିପି ରାଓ, ଉପ ସଭାପତି ଆଇଏସ୍‌ ତୋମର, ରାଜ୍ୟ ସ˚ଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଉପ ସଭାପତି ସରୋଜ ସି˚ହ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ମହିଳା ବିଭାଗରେ ୧୦୦ ଓ ପୁରୁଷ ବିଭାଗରେ ୧୩୭ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ବୁଧବାରଠୁ କମ୍ପାଉଣ୍ତ ରାଉଣ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ।

କନିଷ୍ଠ ଆଗ୍ରହୀ ନାହାନ୍ତି, ବରିଷ୍ଠ ଭଲ କରୁନାହାନ୍ତି: ଦୀପିକା

କଟକ: ବର୍ତ୍ତମାନ ଭାରତରେ ଅଧିକ ତୀରନ୍ଦାଜ ବାହାରିପାରୁନାହାନ୍ତି। ଆଗରୁ ଯେଉଁମାନେ ଖେଳି ଆସୁଥିଲେ, ଏବେବି ସେମାନେ ଖେଳୁଛନ୍ତି। କନିଷ୍ଠ ସ୍ତରରୁ ଖେଳାଳି ସୃଷ୍ଟି ହେବା ଆବଶ୍ୟକ। କିନ୍ତୁ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଖେଳିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପକ୍ଷରେ ବରିଷ୍ଠ ଖେଳାଳିମାନେ ବି ଜାତୀୟସ୍ତରରେ ସ୍ଥିର ପ୍ରଦର୍ଶନ ଦେଉନଥିବାରୁ ନୂଆ ଖେଳାଳି ଆଗକୁ ଆସିପାରୁନଥିବା ଆନ୍ତର୍ଜାତିକ ପଦକ ବିଜେତା ଦୀପିକା କୁମାରୀ କହିଛନ୍ତି। ବିଭିନ୍ନ ରାଜ୍ୟରେ ଛାତ୍ରାବାସ ତିଆରି କରାଯାଇଛି। ହେଲେ ସେତିକିରେ ସୀମିତ ରହିଲେ ହେବନି। ସମସ୍ତଙ୍କୁ ଅଧିକ ଅଭ୍ୟାସ କରିବା ସହିତ ଏକାଧିକ ମ୍ୟାଚ୍‌ ଖେଳିବା ଦରକାର। ଏହାହେଲେ ଖେଳାଳିଙ୍କ ମନୋବଳ ବଢିବ। ଯଦି ପର୍ଯ୍ୟାପ୍ତ ଅଭ୍ୟାସ ନହେବ ଅଧିକ ଖେଳାଳି ବରିଷ୍ଠ ସ୍ତରକୁ ଆସିବା ଅସମ୍ଭବ। ସରକାରଙ୍କ ସହିତ ଅଧିକ କର୍ପୋରେଟ୍‌ ସ˚ସ୍ଥା ଆର୍ଥିକ ସହଯୋଗ ଯୋଗାଇଦେଲେ ଖେଳର ମାନ ବୃଦ୍ଧି ହୋଇପାରିବ ବୋଲି ଦୀପିକା ଏକ ସାକ୍ଷାତକାରରେ କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ତୀରନ୍ଦାଜୀର ରିକର୍ଭ ରାଉଣ୍ତରେ ଦୀପିକା ପଞ୍ଚମ ସ୍ଥାନରେ ରହିଛନ୍ତି। ବିଶ୍ବର ପୂର୍ବତନ ୧ନମ୍ବର ମାନ୍ୟତା ପ୍ରାପ୍ତ ମହିଳା ତୀରନ୍ଦାଜ ଦୀପିକା ଏବେ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ପୁଣି ଥରେ ଶୀର୍ଷସ୍ଥାନକୁ ଫେରିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ହେବ। ଏଥିପାଇଁ ପ୍ରଶିକ୍ଷକ ଓ ସାଥୀ ଖେଳାଳିଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର