ଡିଏଲ୍‌ ନିୟମ ପ୍ରଣେତା ଟୋନିଙ୍କ ପରଲୋକ

ଲଣ୍ଡନ୍‌: କ୍ରିକେଟ୍‌ରେ ବର୍ଷା ନିୟମ ଡିଏଲ୍‌ (ଡକ୍‌ୱର୍ଥ-ଲୁଇସ୍)ର ଅନ୍ୟତମ ପ୍ରଣେତା ଗାଣିତଜ୍ଞ ଟୋନି ଲୁଇସ୍‌ଙ୍କର ଗୁରୁବାର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ବିଶ୍ବ କ୍ରିକେଟ୍‌ର ଅନ୍ୟତମ ତାରକା ଭାବେ ଟୋନି ଲୁଇସ୍ ଏବଂ ତାଙ୍କ ଗାଣିତଜ୍ଞ ସାଥୀ ଫ୍ରାଙ୍କ ଡକ୍‌ୱର୍ଥ ହିଁ ଡିଏଲ୍‌ ନିୟମର ସ୍ରଷ୍ଟା ଥିଲା। ସାଧାରଣ ପ୍ରଶଂସକଙ୍କ ପାଇଁ ଏହା ଅବୁଝା ଏବଂ ଜଟିଳ ଥିଲେ ବି ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଏହାକୁ ବେଶ ଲମ୍ବା ସମୟ ଧରି ପ୍ରଚଳିତ କରି ଆସିଛି। ବିଶେଷ କରି ୧୯୯୯ ବିଶ୍ବକପ୍‌ ସମୟରେ ଏହାର ଢେର ଚର୍ଚା ହୋଇଥିଲା। କ୍ରିକେଟ୍‌ରେ ଏହି ନିୟମର ଢେର ପ୍ରଭାବ ରହିଆସିଛି। ବିଶ୍ବବ୍ୟାପୀ ଏହାର ଗ୍ରହଣୀୟତା ରହିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ର ପୁନଃନିର୍ଧାରିତ ବିଜୟ ଲକ୍ଷ୍ୟ ଏବଂ ଫଳାଫଳ ନିର୍ଣ୍ଣୟରେ ଏହା ବଡ଼ ଭୂମିକା ତୁଲାଇ ଆସିଛି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବର୍ଷା ବାଧା‌ପ୍ରାପ୍ତ ମ୍ୟାଚ୍‌କୁ ସାଧାରଣତଃ ଅମୀମାଂସିତ ଧରିନିଆଯାଏ। ବିଗତ ଦୁଇ ଦଶନ୍ଧୀ ଧରି କିନ୍ତୁ ଡିଏଲ୍‌ ନିୟମର ପ୍ରାଧାନ୍ୟ ବଢ଼ି ଆସିଥିଲା। ସତୁରୀ ଓ ଅଶି ଦଶକରୁ ଦିନିକିଆ କ୍ରିକେଟ୍‌ର ଆଗମନ ପରେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା। ବିଶ୍ବକପ୍‌ର ନକ୍ ଆଉଟ୍ ମ୍ୟାଚ୍‌ରେ ଏହା ଢେର ନିର୍ଣ୍ଣାୟକ ରହିଥିଲା। ତଥାପି ଏହାକୁ ଅଜବ ନିୟମ ଭାବେ ଅନେକ କହିଥାନ୍ତି। ୧୯୯୨ ବିଶ୍ବକପ୍‌ର ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ ଏହାର ପ୍ରମାଣ ରହିଥିଲା। ବର୍ଷା ଛାଡ଼ିବା ପରେ ପଶ୍ଚାତଧାବନ କରୁଥିବା ଦକ୍ଷିଣ ଆଫ୍ରିକାକୁ ସଂଶୋଧିତ ବିଜୟ ଲକ୍ଷ୍ୟ ଭାବେ ଗୋଟିଏ ବଲରୁ ୨୧ ରନ୍ ସଂଗ୍ରହ ଲାଗି କୁହାଯାଇଥିଲା। ବର୍ଷା ପୂର୍ବରୁ ଦଳକୁ ୧୩ ବଲ୍‌ରୁ ୨୨ ରନ୍ ଆବଶ୍ୟକ ଥିଲା। ୧୯୯୭ ମସିହାରେ ପାଗ ଓ ପରିବେଶ, ଉଭୟ ଦଳର ୱିକେଟ୍ ପତନ ଆଦି ସ୍ଥିତିକୁ ବିଚାରକୁ ନେଇ ଡକ୍‌ୱର୍ଥ-ଲୁଇସ୍‌ ଏହି ନିୟମ କରିଥିଲେ। ଗୁରୁବାର ଟୋନିଙ୍କ ପରଲୋକ ଖବର ପରେ ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୋକ ପ୍ରକାଶ କରି ଲେଖିଛି, ‘କ୍ରିକେଟ୍ ପ୍ରତି ଡକ୍‌ୱର୍ଥ-ଲୁଇସଙ୍କ ଅବଦାନ ପାଇଁ ଏହି ଖେଳ ଋଣୀ ରହିବ।’ ୨୦୧୦ ମସିହା‌ରେ ଏହି ଦୁଇ ଜଣଙ୍କୁ କ୍ରିକେଟ୍‌ ଏବଂ ଗଣିତ ପ୍ରତି ରଖିଥିବା ଅବଦାନ ଲାଗି ଏମ୍‌ବିଇ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର