ଦ୍ବୈତ ସ୍ବାର୍ଥ ଶ୍ବେତପତ୍ର ପ୍ରକାଶ ପାଇବ

ମୁମ୍ବାଇ: ବିସିସିଆଇର ଦୈନନ୍ଦିନ ପରିଚାଳନାରେ ଦ୍ବୈତ ସ୍ବାର୍ଥ ନିୟମାବଳୀ ଲାଗୁ କରିବାରେ ପ୍ରଶସନିକ ସମିତି (ସିଓଏ) ନାନା ସମସ୍ୟାର ସମ୍ମୁଖୀନ ହେଉଛି। ସେଥିପାଇଁ ଏଥିଲାଗି ଏକ ଶ୍ବେତପତ୍ର ପ୍ରକାଶ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛି। ସମିତିର ସଦସ୍ୟା ତଥା ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ସୋମବାର ଏହା କହିଛନ୍ତି। ଏଥିନେଇ ଇଦୁଲଜୀ ଏବଂ ସମିତିର ଅନ୍ୟତମ ସଦସ୍ୟ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ରବି ଥୋଜ୍ କେତେକ ପୂର୍ବତନ ଭାରତୀୟ ଅଧିନାୟକ (ଦିଲୀପ ଭେଙ୍ଗସରକାର, ସୌରଭ ଗାଙ୍ଗୁଲି ପ୍ରମୁଖ)ଙ୍କୁ ଭେଟି ସେମାନଙ୍କ ମତାମତ ନେଇଛନ୍ତି। ସେମାନେ ପୂର୍ବତନ କ୍ରିକେଟର୍‌ ଅଜିତ ଅଗରକର, ରୋହନ ଗାଭାସ୍କର, ସଞ୍ଜୟ ମଞ୍ଜରେକର, ଇର୍ଫାନ୍ ପଠାନ୍ ଓ ପାର୍ଥିବ ପଟେଲଙ୍କୁ ମଧ୍ୟ ଭେଟିଛନ୍ତି। ଲୋଧା ସମିତିର ସୁପାରିସ ଅନୁଯାୟୀ ଦ୍ବୈତ ସ୍ବାର୍ଥ ନିୟମ ସମିତି ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦି ୱାଲ ରାହୁଲ ଦ୍ରାବିଡ଼, ଗାଙ୍ଗୁଲି ନିଜେ ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ ଖେଳାଳି ଏଥିରେ ଛନ୍ଦି ହୋଇ ବିସିସିଆଇ ନୈତିକ ଅଧିକାରୀଙ୍କଠାରୁ ନୋଟିସ୍ ପାଇ ସାରିଛନ୍ତି। ଯାହାକୁ ନେଇ ବହୁ ମହାନ ଖେଳାଳି ଅସନ୍ତୋଷ ଜାହିର କରିଛନ୍ତି। ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ହିଁ ରହି ପାରିବ। ହେଲେ କାମ ବେଳେ ଏହା ଏକ ବଡ଼ ବାଧା ହେବାରେ ଲାଗିଛି।

ସମ୍ବନ୍ଧିତ ଖବର