ଧୋନିଙ୍କୁ ପଣ୍ଟିଂଙ୍କ ଉପରେ ରଖିଲେ ଆଫ୍ରିଦି

Afridi put Dhoni on Ponting

କରାଚି: ନିଜର ବିଶାଳ ଛକା ମାରିବାର ସାମର୍ଥ୍ୟ ଏବଂ ଚତୁର ଲେଗ୍‌ ସ୍ପିନ୍‌ ବୋଲିଂ ପାଇଁ ପରିଚିତ ପୂର୍ବତନ ପାକିସ୍ତାନୀ ଅଧିନାୟକ ସାହିଦ ଆଫ୍ରିଦି ଏହାବ୍ୟତୀତ ବିବାଦୀୟ ତଥା ବଳିଷ୍ଠ ମତାମତ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। କୌଣସି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବେ ନିଜର ମତ ରଖିବାରେ ସେ ଆଗପଛ କିମ୍ବା ଭଲମନ୍ଦ କିଛି ଚିନ୍ତା କରନ୍ତିନି। ସେହି ପାକ୍‌ ଅଲ୍‌ରାଉଣ୍ଡର ଏବେ ଭାରତର ମହେନ୍ଦ୍ର ସିଂହ ଧୋନି ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଅଧିନାୟକ ସେ ନେଇ ମତ ରଖିବାରେ କିଛି ବି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଅନେକ କହିଛନ୍ତି।

ମାଇକ୍ରୋବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ବିଟରରେ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ ସେସନ୍‌ ବେଳେ ଆଫ୍ରିଦି ଭାରତୀୟ ଅଧିନାୟକ ଧୋନିଙ୍କୁ ପଣ୍ଟିଂଙ୍କ ତୁଳନାରେ ଶ୍ରେଷ୍ଠ ବୋଲି ଅନାୟାସରେ ଚିତ୍ରଣ କରିଛନ୍ତି। ପଣ୍ଟିଂଙ୍କ ଠାରୁ ଧୋନିଙ୍କ ନାମ ଶ୍ରେଷ୍ଠରେ ରଖିବାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି। ଆଫ୍ରିଦିଙ୍କ କହିବା କଥା ‌ହେଲା, ଧୋନି ଯୁବ ତାରକାମାନଙ୍କୁ ନେଇ ଏକ ଦଳ ତିଆରି କରିଥିଲେ। ପୂରା ଯୁବ ଖେଳାଳିଙ୍କୁ ନେଇ ଦକ୍ଷ ତଥା ଶକ୍ତିଶାଳୀ ଦଳ ଗଢ଼ିବାରେ ତାଙ୍କର ଅବଦାନ ପଣ୍ଟିଂଙ୍କୁ ପଛରେ ପକାଇବା ପାଇଁ ଯଥେଷ୍ଟ। ସେଥିପାଇଁ ମୁଁ ଧୋନିଙ୍କୁ ଅଧିକ ରେଟିଂରେ ରଖିଛି ବୋଲି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଫ୍ରିଦି। ଧୋନି ଏବଂ ପଣ୍ଟିଂ ମୁଁ ଦେଖିଥିବା ସର୍ବାଧିକ ସଫଳ ଅଧିନାୟକଙ୍କ ମଧ୍ୟରୁ ଦୁଇ ଜଣ।

ହେଲେ ଧୋନି ଏକମାତ୍ର ଅଧିନାୟକ ଯିଏକି ଆଇସିସିର ସମସ୍ତ ତିନିଟିଯାକ ପ୍ରତିଯୋଗିତା (ଟ୍ବେଣ୍ଟି-୨୦ ବିଶ୍ବକପ୍‌-୨୦୦୭, ଦିନିକିଆ ବିଶ୍ବକପ୍‌-୨୦୧୧ ଏବଂ ଚାମ୍ପିଅନ୍‌ସ ଟ୍ରଫି-୨୦୧୩) ଜିତିବାର କୀର୍ତ୍ତିମାନ ପାଇଛନ୍ତି। ପୁଣି ତାଙ୍କ ନେତୃତ୍ବରେ ଭାରତ ୨୦୧୦ରେ ଆଇସିସି ଟେଷ୍ଟ୍‌ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲା। ଅନ୍ୟପକ୍ଷରେ ପଣ୍ଟିଂଙ୍କ ନେତୃତ୍ବ‌ରେ ଅଷ୍ଟ୍ରେଲିଆ କ୍ରମାଗତ ୨୦୦୩ ଓ ୨୦୦୭ ବିଶ୍ବକପ୍‌ ବିଜେତା ହୋଇଥିଲା। ହେଲେ ଧୋନିଙ୍କ ତୁଳନାରେ ଅନ୍ୟ କୌଣସି କ୍ରିକେଟର୍‌ ଏତେ ସଂଖ୍ୟକ ଆନ୍ତର୍ଜାତିକ ମ୍ୟାଚ୍‌ରେ ନେତୃତ୍ବ ନେଇନାହାନ୍ତି। ଭାରତର ଏହି ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ ୩୩୨ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦) ମ୍ୟାଚ୍‌ରେ ଭାରତକୁ ନେତୃତ୍ବ ଦେଇଛନ୍ତି। ସେଥିରୁ ଭାରତ ୧୭୮ ଜିତିଥିଲା ବେଳେ ୧୨୦ ହାରିଛି। ୬ ମ୍ୟାଚ୍‌ ଟାଇ ରହିଥିଲା ବେଳେ ୧୫ ଅମୀମାଂସିତ ରହିଛି। ମୋଟାମୋଟି ଭାବେ ଧୋନିଙ୍କ ବିଜୟ ପ୍ରତିଶତ ୫୩.୬୧ ଯାହାକି ବିରାଟ କୋହଲିଙ୍କ ପରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଦ୍ବିତୀୟ ଶ୍ରେଷ୍ଠ। ଏବର ଅଧିନାୟକ କୋହଲିଙ୍କ ବିଜୟ ପ୍ରତିଶତ ୬୪.୬୪ ରହିଛି। ଅନ୍ୟପକ୍ଷରେ ପଣ୍ଟିଂ ବିଶ୍ବ କ୍ରିକେଟ୍‌ରେ ସମସ୍ତ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ବିଜୟ ପ୍ରତିଶତ ନିଜ ନାମରେ ରଖିଛନ୍ତି। ୩୨୪ ମ୍ୟାଚ୍‌ରେ ପଣ୍ଟିଂ ନେତୃତ୍ବ ନେଇଥିଲା ବେଳେ ଅଷ୍ଟ୍ରେଲିଆ ୨୨୦ ଜିତିଛି। ମାତ୍ର ୭୭ ହାରିଥିଲା ବେଳେ ୧୩ ଅମୀମାଂସିତ ଏବଂ ୨ ମ୍ୟାଚ୍‌ ଟାଇ ରହିଥିଲା।

ସମ୍ବନ୍ଧିତ ଖବର