ନୀତୁ, ସ୍ବିଟିଙ୍କୁ ବିଶ୍ବ ମୁଷ୍ଟିଯୁଦ୍ଧ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ନୀତୁ ଘଂଘାସ ଓ ସ୍ବିଟି ବୋରା ନୂଆ ବିଶ୍ବ ବିଜୟିନୀ ବନି ଯାଇଛନ୍ତି। ଏଠାରେ ଚାଲିଥିବା ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଶନିବାର ୪୮ କେଜି ଓଜନ ବର୍ଗ ଫାଇନାଲ୍‌ରେ ମଙ୍ଗୋଲିଆର ଲୁସାଇଖନ ଅଲ୍‌ତନସେସେଗଙ୍କୁ ୫-୦ରେ ଧରାଶାୟୀ କରି ନୀତୁ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଯୋଡ଼ି ଦେଇଛନ୍ତି। ସେହିପରି ୮୧ କେଜି ବର୍ଗରେ ସ୍ବିଟି ୪-୩ରେ ବିଶ୍ବବିଜେୟିନୀ ଚୀନ୍‌ର ୱାଙ୍ଗ ଲିନାଙ୍କୁ ମାତ୍‌ ଦେଇଥିଲେ। ମୋଟ ୪ ଜଣ ଭାରତୀୟ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ୨୨ ବର୍ଷ ବୟସ୍କା ନୀତୁ ସ୍ବର୍ଣ୍ଣିମ ସଫଳତା ବଳରେ ପ୍ରଥମ ଏବଂ ୨୦୧୪ ବିଶ୍ବ ରୌପ୍ୟ ବିଜୟିନୀ ସ୍ବିଟି ଦ୍ବିତୀୟ ପଦକ ଭେଟି ଦେଇଛନ୍ତି।

ଏଥି ସହିତ ୨୦୨୨ ଷ୍ଟ୍ରାଞ୍ଜା ସ୍ମାରକୀ ସ୍ବର୍ଣ୍ଣ ବିଜୟିନୀ ନୀତୁ ବିଶ୍ବ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ଜିତିବାରେ ଷଷ୍ଠ ଏବଂ ସ୍ବିଟି ସପ୍ତମ ଭାରତୀୟ ହୋଇଛନ୍ତି। ଶନିବାର ନୀତୁ ଓ ସ୍ବିଟିଙ୍କ ବିଜୟ ସହିତ ବିଶ୍ବ ପ୍ରତିଯୋଗିତାରେ ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟ‌ା ୧୨କୁ ବୃଦ୍ଧି ପାଇଛି। ଏଥିରୁ କେବଳ ଏମ୍‌ସି ମେରିକମ୍‌ଙ୍କ ନାମରେ ୬ ସ୍ବର୍ଣ୍ଣ ସାମିଲ ରହିଛି। ମେରିକମ୍‌ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ସରିତା ଦେବୀ (୨୦୦୬), ଜେନି ଆର୍‌ଏଲ୍‌ (୨୦୦୬), ଲେଖା କେସି (୨୦୦୬) ଏବଂ ନିଖତ ଜରିନ (୨୦୨୨) ଅନ୍ୟ ଭାରତୀୟ ଭାବେ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର