ପଞ୍ଚଭୂତରେ ଓ୍ଵାଦେକର ବିଲୀନ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ଵାଦେକରଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଜାଦା ସହ ସଂପନ୍ନ ହୋଇଛି। ଭାରତ ପାଇଁ ବିଦେଶ ମାଟିରେ ଟେଷ୍ଟ ସଫଳତା ସାଉଁଟିଥିବା ଏହି କ୍ରିକେଟର୍‌ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ପରଲୋକ ଗମନ କରିଥିଲା ବେଳେ ଶୁକ୍ରବାର ସ୍ଥାନୀୟ ଶିବାଜୀ ପାର୍କ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଓ୍ଵାଦେକରଙ୍କ ମର ଶରୀରକୁ ଶୁକ୍ରବାର ସକାଳେ ତାଙ୍କ ଓ୍ଵର୍ଲି ବାସଭବନରେ ରଖାଯାଇଥିଲା। ଯେଉଁଠାରେ ତାଙ୍କ ପ୍ରଶଂସକମାନେ ଶେଷ ଦର୍ଶନ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର, ବିନୋଦ କାମ୍ବଲି, ସମୀର ଦିଘେ, ପୂର୍ବତନ ହକି ଅଧିନାୟକ ଏମ୍‌ଏମ୍‌ ସୋମୟାଙ୍କ ସହିତ ମୁମ୍ବାଇ କ୍ରିକେଟ୍‌ ସଂଘର ପୂରାତନ ଓ ଏବର ଅଧିକାରୀମାନେ ଓ୍ଵର୍ଲି ବାସଭବନରେ ଓ୍ଵାଦେକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ମହା ପ୍ରବନ୍ଧକ ସାବା କରିମ୍‌ ମଧ୍ୟ ବୋର୍ଡ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେବଳ ସେତିକି ନୁହେଁ ଦଳମତ ନିର୍ବିଶେଷରେ ରାଜନେତା ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ତାଙ୍କ ଶେଷ ଦର୍ଶନ କରି ଆତ୍ମାର ସଦ୍‌ଗତି କାମନା କରିଥିଲେ। ସର୍ବସାଧାରଣଙ୍କ ଦର୍ଶନ ପରେ ଓ୍ଵାଦେକରଙ୍କ ମର ଶରୀରକୁ ଏକ ଖୋଲା ଟ୍ରକ୍‌ରେ କେନ୍ଦ୍ରୀୟ ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କ ଜିମ୍‌ଖାନାକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଜିମ୍‌ଖାନାଠାରେ ପୂର୍ବତନ କ୍ରିକେଟର୍‌ ସନ୍ଦୀପ ପାଟିଲ, ନିଲେଶ କୁଲ୍‌କର୍ଣ୍ଣି, ଘରୋଇ କ୍ରିକେଟ୍‌ର ରଥୀ ପଦ୍ମକର୍‌ ଶିବାଲ୍‌କର ଏବଂ ଜିମ୍‌ଖାନା ଅଧିକାରୀମାନେ ଶେଷ ଶ୍ରଦ୍ଧାସୁମନ ଜଣାଇଥିଲେ। ଜିମ୍‌ଖାନାରେ ଜତିନ୍‌ ପରଞ୍ଜ୍‌ପେ ଉପସ୍ଥିତ ଥିଲା ବେଳେ ତାଙ୍କ ବାପା ବାସୁ ପରଞ୍ଜ୍‌ପେ ସଂସ୍କାରସ୍ଥଳରେ ରହିଥିଲେ। ପରିବାର ସଦସ୍ୟଙ୍କ ଗହଣରେ ଓ୍ଵାଦେକରଙ୍କ ମର ଶରୀରକୁ ତ୍ରିରଙ୍ଗାରେ ଘୋଡ଼ାଇ ଦିଆଯାଇଥିଲା। ପରେ ମରଶରୀରରେ ଅଗ୍ନି ସଂଯୋଗ କରାଯାଇଥିଲା। ମୁମ୍ବାଇ ପୁଲିସ୍‌ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସ୍ୱରୂପ ତୋପ ସଲାମୀ ଦିଆଯାଇଥିଲା। ଶେଷରେ ଦେଶର ଅନ୍ୟତମ ଏହି ମହାନ୍‌ କ୍ରିକେଟର୍‌ ପଞ୍ଚଭୂତରେ ଲୀନ ହୋଇଯାଇଥିଲେ। ଏହି ସମୟରେ ତାଙ୍କର କିଛି ଶୁଭାକାଂକ୍ଷୀ ଓ୍ଵାଦେକରଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର