‘ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ଭଳି ଏକଘରିକିଆ କରାଯାଉ’

ନୂଆଦିଲ୍ଲୀ: ଖେଳ ଦୁନିଆରେ ପାକିସ୍ତାନକୁ ସଂପୂର୍ଣ୍ଣ ଏକଘରିକିଆ କରିବାକୁ ବିସିସିଆଇ ପରିଚାଳନା ଲାଗି ଉଚ୍ଚତ୍ତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମତି (ସିଓଏ)ର ମୁଖ୍ୟ ବିନୋଦ ରାଏ ରବିବାର ଆହ୍ବାନ କରିଛନ୍ତି। ଏଥିଲାଗି ଖେଳ ଓ ଖେଳାଳିଙ୍କ ସହ ସଂପୃକ୍ତ ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବାରୁ ରଙ୍ଗଭେଦ ପାଇଁ ଦକ୍ଷିଣ ଆଫ୍ରିକାକୁ ଯେଭଳି ଭାବେ ଦୁଇ ଦଶନ୍ଧୀରୁ ଅଧିକ ସମୟ ପାଇଁ ସଂପୂର୍ଣ୍ଣ ଏକଘରିକିଆ କରି ରଖାଯାଇଥିଲା, ପାକିସ୍ତାନକୁ ମଧ୍ୟ ସେହିଭଳି ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ସେ ପରାମର୍ଶ ଦେଇଛନ୍ତି। ମାଞ୍ଚେଷ୍ଟରରେ ଜୁନ୍ ୧୬ ତାରିଖରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଉପରେ ଦ୍ବିତୀୟ ଥର ମୁହଁ ଖୋଲି ଶ୍ରୀ ରାଏ କହିଛନ୍ତି ଯେ ବିସିସିଆଇ ଏଥିନେଇ ଆଇସିସିକୁ ପତ୍ର ଲେଖି ସାରିଛି। ସମସ୍ତ ଦେଶ ପାକିସ୍ତାନ ସହ କ୍ରିକେଟ୍ ସଂପର୍କ ତୁଟାଇବାକୁ ଆମେ ଏଥି‌ରେ ଆହ୍ବାନ କରିଛୁ। ଗୋଟିଏ ମ୍ୟାଚ୍‌କୁ ବର୍ଜନ କରିବା ଅପେକ୍ଷା ପାକିସ୍ତାନ ଉପରେ ସଂପୂର୍ଣ୍ଣ ବାସନ୍ଦାଦେଶ ସପକ୍ଷରେ ଆମେ ଅଛୁ। ବିଶ୍ବକପ୍ ମ୍ୟାଚ୍‌ ନଖେଳିବା ନିଜ ଗୋଡ଼କୁ ନିଜେ ଗୁଳି ମାରିବା ସଦୃଶ ହେବ। ଏହି କ୍ରମରେ ରାଏ ଦକ୍ଷିଣ ଆଫ୍ରିକାର ଉଦାହରଣ ଦେଇଥିଲେ। କୃଷ୍ଣକାୟମାନେ ରଙ୍ଗଭେଦର ଶିକାର ହେବା ପରେ ୧୯୭୦ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ସମୁଦାୟ ସଂପୂର୍ଣ୍ଣ ବାସନ୍ଦ କରିଥିଲା। ମୁଁ ଭାବୁଛି ପାକିସ୍ତାନ ସହ ଏମିତି କିଛି ହେଉ। ଦକ୍ଷିଣ ଆଫ୍ରିକା ଭଳି ସେମାନେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାରୁ ବାସନ୍ଦ ହେଲେ ବହୁତ ଭଲ। ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଆମେ ଆନୁଷ୍ଠାନିକ ଭାବେ ଏହି ଦାବି ଉପସ୍ଥାପନା କରିବୁ। ପାକିସ୍ତାନକୁ ବାସନ୍ଦ କରିବା ଲାଗି ରାଜନୈତିକ ପଦକ୍ଷେପର ମଧ୍ୟ ଦରକାର ରହିଛି ବୋଲି ସେ ଏହି ଅବସରରେ କହିଥିଲେ। ରାଏଙ୍କ ମନ୍ତବ୍ୟକୁ ବହୁ ପୂବର୍ତନ କ୍ରିକେଟର ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର