ପୁରୁଷ ଯୁଗଳ ଟ୍ରଫି ବଜାୟ ରଖିଲେ କ୍ରାୱିଜ-ମିଜ୍‌

ମ୍ଲାଦେନୋଭିକ-‌ବାବୋସଙ୍କୁ ଲଗାତାର ସଫଳତା

ପ୍ୟାରିସ: ଜର୍ମାନୀ ଯୋଡ଼ି କେଭିନ କ୍ରାୱିଜ ଓ ଆନ୍ଦ୍ରିଆଜ୍‌ ମିଜ ‌ଫ୍ରେଞ୍ଚ ଓପନ୍‌ ପୁରୁଷ ଯୁଗଳ ଟ୍ରଫି ବଜାୟ ରଖିଛନ୍ତି। ଗତ ବର୍ଷର ଏହି ବିଜେତା ଯୋଡ଼ି ରବିବାର ଫାଇନାଲ୍‌ରେ ୬-୩, ୭-୫ ସିଧାସଳଖ ସେଟ୍‌ରେ କ୍ରୋଏସିଆ-ବ୍ରାଜିଲ ଯୋଡ଼ି ମେଟ୍‌ ପାଭିକ ଓ ବ୍ରୁନୋ ସୋରେସଙ୍କୁ ପରାସ୍ତ କରିଥିଲେ। ଅ‌ଷ୍ଟମ ମାନ୍ୟତାପ୍ରାପ୍ତ କ୍ରାୱିଜ ଓ ମିଜ୍‌ ୟୁଏସ୍‌ ଓପନ୍‌ ବିଜେତା ପାଭିକ ଓ ସୋରେସଙ୍କୁ ହରାଇ ଚତୁର୍ଥ ଯୋଡ଼ି ଭାବେ ଫ୍ରେଞ୍ଚ ଓପନ୍‌ରେ ଲଗାତାର ଟ୍ରଫି ଜିତିବାର ଗୌରବ ପାଇଛନ୍ତି।

ମ୍ଲାଦେନୋଭିକ-‌ବାବୋସଙ୍କୁ ଲଗାତାର ସଫଳତା
ପୁରୁଷ ଯୁଗଳ ଭଳି ମହିଳା ଯୁଗଳ ବର୍ଗରେ ‌ମଧ୍ୟ ଗତ ବର୍ଷର ବିଜେତା ପୁଣି ଟ୍ରଫି ହାସଲ କରିବାର ଗୌରବ ପାଇଛନ୍ତି। ଗତ ବର୍ଷର ବିଜୟିନୀ ଦ୍ବିତୀୟ ମାନ୍ୟତାପ୍ରାପ୍ତ କ୍ରିଷ୍ଟିନା ମ୍ଲାଦେ‌ନୋଭିକ ଓ ତିମିଆ ବାବୋସ ଚଳିତ ବର୍ଷ ଫ୍ରେଞ୍ଚ ଓପନ୍‌ ମହିଳା ‌ଯୁଗଳ ଟ୍ରଫି ଜିତି ଲଗାତାର ଦ୍ବିତୀୟ ଥର ଲାଗି ସଫଳତା ହାସଲ କରିଛନ୍ତି। ଏହି ଯୋଡ଼ି ରବିବାର ଟ୍ରଫି ମୁକାବିଲା ୬-୪, ୭-୫ ସିଧାସଳଖ ସେଟ୍‌ରେ ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଆମେରିକୀୟ ଯୋଡ଼ି ଆଲେକ୍ସା ଗୁରାଚି ଓ ଦିସାରି କ୍ରାଜିକଙ୍କୁ ପରାସ୍ତ କରିଥିଲେ। ଏହି ମୁକୁଟ ସହ ମ୍ଲାଦେ‌ନୋଭିକ ଓ ବାବୋସ ୨୦୦୯ ପରେ ପ୍ୟାରିସରେ ଲାଗାତାର ଟ୍ରଫି ହାସଲ କରିବାରେ ପ୍ରଥମ ହୋଇଛନ୍ତି। ୨୦୦୮ ଓ ୨୦୦୯ରେ ଲଗାତାର ଭାବେ ଏଠାରେ ଆନାବେଲ ମେଦିନା ଗାରିଗୁଏଜ ଓ ଭର୍ଗିନିଆ ରୁଆନୋ ପାସ୍କୁଏଲ୍‌ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର