ପୂଜାରାଙ୍କ ଦ୍ୱିଶତକ କୀର୍ତି

ନୂଆଦିଲ୍ଲୀ: ଲମ୍ବା ପାଳି ଖେଳିବାରେ ବେଶ ଧୂରନ୍ଧର ଟେଷ୍ଟ୍‍ ତାରକା ଚେତେଶ୍ୱର ପୂଜାରା ଏବେ ଦ୍ୱିଶତକ ଅର୍ଜନରେ ନୂଆ ଭାରତୀୟ କୀର୍ତିମାନ କରିଛନ୍ତି। ଝାଡ଼ଖଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଏହି ୨୯ ବର୍ଷୀୟ ସୌରାଷ୍ଟ୍ର ଖେଳାଳି ନିଜର ଦ୍ୱାଦଶ ପ୍ରଥମ ଶ୍ରେଣୀ ଦ୍ୱିଶତକ ହାସଲ କରିବାରୁ ବିଜୟ ମର୍ଚାଣ୍ଟ୍‌ (୧୧ ଦ୍ୱିଶତକ)ଙ୍କୁ ପଛରେ ପକାଇ ଦେଇଛନ୍ତି। ରାହୁଲ ଦ୍ରାବିଡ଼, ସୁନୀଲ ଗାଭାସ୍କର, ବିଜୟ ହଜାରେ ପ୍ରତ୍ୟେକ ୧୦ ଲେଖାଏଁ ଦ୍ୱିଶତକ ମାରିଥିଲେ ମଧ୍ୟ ଏବେ ତୃତୀୟକୁ ଖସିଛନ୍ତି। ପୂର୍ବ ଦିନ ୧୨୫ ରନ୍‌ରେ ଅପରାଜିତ ଥିବା ପୂଜାରା ଗୁରୁବାର ୨୦୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହି ମାଇଲଖୁଣ୍ଟ୍‌ ପାଳିରେ ସେ ୩୫୫ ବଲ୍‌ ଖେଳି ୨୮ ଚୌକା ମାରିଥିଲେ। ବିଜୟ ମର୍ଚାଣ୍ଟଙ୍କ ନାମରେ ୧୧ ଦ୍ୱିଶତକ କୀର୍ତିମାନ ଦୀର୍ଘ ୭୦ ବର୍ଷ ଧରି ରହିଥିଲା। ସମଗ୍ର ବିଶ୍ୱରେ କିନ୍ତୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୭ ଦ୍ୱିଶତକ ମାରି ଏବେ ମଧ୍ୟ ଶୀର୍ଷରେ ରହିଛନ୍ତି। ପୂଜାରାଙ୍କ ଦ୍ୱିଶତକ ମଧ୍ୟ ତାଙ୍କୁ ଆଗାମୀ ଟେଷ୍ଟ୍‍ ଶୃଙ୍ଖଳା ପୂର୍ବରୁ ଆତ୍ମବିଶ୍ୱାସ ଦେଇଛି। ନଭେମ୍ବର ୧୬ ତାରିଖରୁ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍‍ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର