ପୋଲିଓ ବିଜୟୀ ପ୍ରମୋଦ, ଅତାବିରାର ଅର୍ଜୁନ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଜଗତକୁ ଶନିବାର ମିଳିଛି ବଡ଼ ଖୁସି ଖବର। ବରଗଡ଼ର ପାରାବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ୨୯ ତାରିଖର ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ପ୍ରମୋଦ ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଗ୍ରହଣ କରିବେ। ଗତ ତିନି ବର୍ଷ ହେବ ସ୍ଥିର ପ୍ରଦର୍ଶନ ଦେବାର ଫଳ ପ୍ରମୋଦଙ୍କୁ ମିଳିଛି। ଜାତୀୟ ସ୍ତରରେ ପାଖାପାଖି ୩୦ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଥିବା ଏହି ୩୧ ବର୍ଷୀୟ ଖେଳାଳି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୯ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୨ କାଂସ୍ୟ ପଦକ ଜିତି ସାରିଲେଣି। କେବଳ ଚଳିତ ବର୍ଷ ସେ ୮ ସ୍ବର୍ଣ୍ଣ ଏବଂ ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଅମଳ କରିଛନ୍ତି। ‌ଏସ୍‌ଏଲ-ଥ୍ରୀ ବର୍ଗରେ ପ୍ରମୋଦ ସଂପ୍ରତି ବିଶ୍ବର ଏକ ନମ୍ବର ଖେଳାଳିର ମାନ୍ୟତା ଲାଭ କରିଛନ୍ତି। ବିଶ୍ବ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ଭାବେ ସ୍ବର୍ଣ୍ଣ ଜିତିଥିବା ପ୍ରମୋଦ ଆସନ୍ତାବର୍ଷର ଟୋକିଓ ଅଲିମ୍ପିକ୍ସ ଖେଳିବା ଦୌଡ଼ରେ ମଧ୍ୟ ରହିଛନ୍ତି। ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବାରେ ମିନତୀ ମହାପାତ୍ର, ବିଜୟ ଶତପଥୀ, ରଚିତା ପଣ୍ଡା (ମିସ୍ତ୍ରୀ), ଦୀଲିପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ନେସ ତିର୍କି ଓ ରବି କୁମାରଙ୍କ ପରେ ସେ ଅଷ୍ଟମ ଓଡ଼ିଆ ହୋଇଛନ୍ତି। ତେବେ ଭିନ୍ନକ୍ଷମ କ୍ରୀଡ଼ାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇବାରେ ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳାଳି। ଦୀର୍ଘ ୯ ବର୍ଷ ପରେ ମଧ୍ୟ ଓଡ଼ିଶା କ୍ରୀଡ଼ାକୁ ଅର୍ଜୁନ ପୁରସ୍କାର ଆସିଛି। ଶେଷ ଥର ପାଇଁ ଭାରୋତ୍ତୋଳକ ରବି କୁମାର ୨୦୧୦ରେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। କୌଣସି ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପାଇବାରେ ଅବଶ୍ୟ ପ୍ରମୋଦ ନବମ ଓଡ଼ିଆ ହୋଇଛନ୍ତି। ୨୦୧୭ରେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ଦ୍ରାଣାଚାର୍ଯ୍ୟ ପୁରସ୍କାର ଲାଭ କରିଥିଲେ। ପ୍ରମୋଦ ଚଳିତ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।

ପ୍ରମୋଦ ୧୯୮୮ ମସିହା ଜୁନ୍ ୪ ତାରିଖରେ ବରଗଡ଼ର ଅତାବିରାଠାରେ ଜନ୍ମଗ୍ରହଣ କରିଥିଲେ। ୬ ଭାଇ ଭଉଣୀଙ୍କ ମଧ୍ୟରୁ ସେ ହେଉଛନ୍ତି ମଝିଆଁ। ପିତା ସ୍ବର୍ଗତ କୈଳାଶ ଭଗତ ଓ ମା କୁଶୁମ ଦେବୀ ପ୍ରମୋଦଙ୍କୁ ପାଇ ବେଶ୍ ଖୁସି ଥିଲେ। ହେଲେ ବିଧିର ବିଧାନ ଥିଲା ଭିନ୍ନ। ଶିଶୁ ପ୍ରମୋଦ ମାତ୍ର ୪ ବର୍ଷ ବୟସର ହୋଇଥିଲା ବେଳେ ପୋଲିଓ ରୋଗରେ ଆକ୍ରାନ୍ତ ହୁଅନ୍ତି। ମା’-ବାପାଙ୍କ ଦୁଃଖର ସୀମା ରହେନି। ହେଲେ ପୋଲିଓକୁ ପରାସ୍ତ କରିବାର ଜିଦ୍ ନେଇ ପ୍ରମୋଦ ଖେଳକୁଦରେ ମନ ନି‌ବେଶ କରନ୍ତି। ଛୋଟ ବେଳୁ ତାଙ୍କର ବ୍ୟାଡମିଣ୍ଟନ ପ୍ରତି ଥିଲା ଅହେତୁକ ଦୁର୍ବଳତା। ବାପାଙ୍କୁ ଡରି ରାତି ଅଧ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ ଖେଳୁଥିବା ପ୍ରମୋଦ ସେହି ବ୍ୟାଡମିଣ୍ଟନ ପାଇଁ ଆଜି ବିଶ୍ବବିଖ୍ୟାତ। ରାଜ୍ୟର ପ୍ରତିଷ୍ଠିତ ବ୍ୟାଡମିଣ୍ଟନ ଖେଳାଳି କମଲ ଦାସଙ୍କ ପରାମର୍ଶକ୍ରମେ ପାରାବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କଠାରୁ ପ୍ରଶିକ୍ଷଣ ନେବା ଆରମ୍ଭ କରନ୍ତି ପ୍ରମୋଦ। ବହୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମାଳ ମାଳ ପଦକ ଅମଳ କରିବା ପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ସମସ୍ତଙ୍କୁ ପଛରେ ପକାଇଥିଲେ। ୨୦୦୬ରେ ଅନୁଗୁଳରେ ହୋଇଥିବା ସର୍ବଭାରତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ହିଁ ତାଙ୍କ ଖେଳ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ସେ ଆଉ ପଛକୁ ଫେରି ନଥିଲେ। ୨୦୦୭ରେ ଥାଇଲାଣ୍ଡର ବ୍ୟାଂକକରେ ଅନୁଷ୍ଠିତ ଆଇଡିଏଡି ବିଶ୍ବ ବ୍ୟାଡମିଣ୍ଟନର ଉଭୟ ଏକକ ଏବଂ ଯୁଗଳରେ କାଂସ୍ୟ ପଦକ ଜିତି ଅନ୍ତର୍ଜାତୀୟ ସ୍ତରରେ ପାଦ ଥାପିଥିଲେ ପ୍ରମୋଦ। ଏହା ପରେ ୨୦୦୯ ସିଓଲ ବିଶ୍ବ ପାରାବ୍ୟାଡମିଣ୍ଟନର ଏକକରେ ସ୍ବର୍ଣ୍ଣ, ୨୦୧୩ରେ ଜର୍ମାନିର ଡର୍ଟମୁଣ୍ଡ ବିଶ୍ବ ପାରାବ୍ୟାଡମିଣ୍ଟନ ଚାମ୍ପିଅନସିପର ଯୁଗଳରେ ସ୍ବର୍ଣ୍ଣ, ୨୦୧୪ ଇଞ୍ଚିଅନ୍ ଏସୀୟ ପାରାକ୍ରୀଡ଼ାର ଏକକରେ କାଂସ୍ୟ, ୨୦୧୫ରେ ବ୍ରିଟେନର ମାଣ୍ଡେଭିଲେରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ବପ୍ରତିଯୋଗିତାର ଏକକ ଏବଂ ଯୁଗଳରେ ରୌପ୍ୟ ପଦକ, ୨୦୧୬ରେ ଇଣ୍ଡୋନେସିଆର କୋଟା ସୁରକର୍ତା ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନର ଏକକ ଏବଂ ଯୁଗଳ ବର୍ଗରେ ସ୍ବର୍ଣ୍ଣ, ୨୦୧୬ ବେଜିଂ ଏସିଆନ୍ ପାରାବ୍ୟାଡମିଣ୍ଟନର ଏକକ ଏବଂ ଯୁଗଳରେ କାଂସ୍ୟ, ୨୦୧୭ରେ ଦକ୍ଷିଣ କୋରିଆର ଉସଲାନରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ବିଶ୍ବ ପାରାବ୍ୟାଡମିଣ୍ଟନରେ କାଂସ୍ୟ, ୨୦୧୮ ଥାଇଲାଣ୍ଡ ପାରାବ୍ୟାଡମିଣ୍ଟନର ଏକକ ବର୍ଗରେ ସ୍ବର୍ଣ୍ଣ, ଚଳିତ ବର୍ଷ ଆୟର୍ଲାଣ୍ଡ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନର ଉଭୟ ଏକକ ଏବଂ ଯୁଗଳରେ ସ୍ବର୍ଣ୍ଣ, ଉଗାଣ୍ଡା ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ଯୁଗଳ ସ୍ବର୍ଣ୍ଣ ଜିତିବା ରହିଛି ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଗୋଟିଏ ଗୋଟିଏ ଫର୍ଦ। ୨୦୦୯ରେ ଶିକ୍ଷକତା ଆରମ୍ଭ କରିଥିବା ପ୍ରମୋଦ ସଂପ୍ରତି ଇଏସ୍‌ଆଇ, ଭୁବନେଶ୍ବରର କର୍ମଚାରୀ। ବିଡବ୍ଲ୍ୟୁଏଫ୍ ପାରାବ୍ୟାଡମିଣ୍ଟନ୍ ବିଶ୍ବ ପ୍ରତିଯୋଗିତା ଖେଳିବା ଲାଗି ସଂପ୍ରତି ସେ ସ୍ବିଜରଲାଣ୍ଡରେ ଅଛନ୍ତି। ସେ ମଧ୍ୟ ୨୦୨୦ ଟୋକିଓ ପାରାଲିମ୍ପିକ୍ସ ପାଇଁ ‌ଯୋଗ୍ୟତା ଅର୍ଜନ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର