ଫାଇନାଲ୍‌ରେ ଭାରତୀୟ ପୁରୁଷ ୪ ଗୁଣା ୪୦୦ ରିଲେ ଦଳ

ବର୍ମିଂହାମ : ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର ଯୋଗ୍ୟତାପର୍ଯ୍ୟାୟର ହିଟ୍‌-୨ରେ ମହମ୍ମଦ ଆନସ ୟାହିୟା, ନୋହା ନିର୍ମଳ ଟମ, ମହମ୍ମଦ ଆଜମଲ ଭାରିୟାଥୋଡ଼ି ଓ ଆମୋଜ ଜାକବଙ୍କୁ ନେଇ ଗଠିତ ଭାରତୀୟ ଦଳ ଦ୍ବିତୀୟ ସ୍ଥନରେ ରହିଥିଲା। ଏହି ଦଳ ୩:୦୬.୯୭ ସେକେଣ୍ଡରେ ରେସ ଶେଷ କରି ହିଟ୍‌ରେ ଦ୍ବିତୀୟ ଏବଂ ମୋଟରେ ଷଷ୍ଠ ସ୍ଥାନରେ ରହି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ତେବେ ମହିଳା ୧୦୦ ମିଟର ବାଧାଦୌଡ଼ ଏବଂ ଲମ୍ବ ଡିଆଁର ଫାଇନାଲ୍‌ରେ ଯଥାକ୍ରମେ ଜ୍ୟୋତି ୟାରାଜି ଓ ଆନ୍‌ସି ‌ସୋଜାନ ଇଦାପାଲି ପହଞ୍ଚିବାରେ ବିଫଳ ହୋଇଛନ୍ତି। ହିଟ୍‌-୨ ବାଧାଦୌଡ଼ରେ ଜ୍ୟୋତି ୧୩.୧୮ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ଫଳରେ ସେ ହିଟ୍‌ରେ ଚତୁର୍ଥ ଏବଂ ମୋଟରେ ଦଶମ ସ୍ଥାନରେ ରହିଥିଲେ। ସେହିପରି ଲମ୍ବ ଡିଆଁରେ ଇଦାପାଲି ୬.୨୫ ମିଟର ଡେଇଁ ଗ୍ରୁପ୍‌-ବିରେ ସପ୍ତମ ଏବଂ ମୋଟରେ ୧୩ତମ ସ୍ଥାନରେ ରହିଥିଲେ।

ଲନ୍‌ବଲ୍‌ ପୁରୁଷ ଫୋର୍‌ ସେମିରେ ଭାରତ
ଭାରତୀୟ ପୁରୁଷ ଫୋର୍‌ ଲନ୍‌ ବଲ୍‌ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲ୍‌ରେ ସୁନିଲ ବାହାଦୁର, ନଭନୀତ ସିଂହ, ଚନ୍ଦନ କୁମାର ସିଂହ ଓ ଦୀନେଶ କୁମାରଙ୍କୁ‌ ନେଇ ଗଠିତ ଫୋର୍‌ ଦଳ ୧୪-୧୦ରେ କାନାଡ଼ାକୁ ମାତ୍‌ ଦେଇଥି‌ଲା। ସେମିଫାଇନାଲ୍‌ରେ ଏହି ଦଳ ଇଂଲଣ୍ଡକୁ ଭେଟିବ। ତେବେ ଭାରତୀୟ ମହିଳା ପେୟାର ଦଳ କ୍ବାର୍ଟରରୁ ହାରି ବିଦାୟ ନେଇଛି। ଭାରତୀୟ ପେୟାର ଲଭଲି ଚୌବେ ଓ ନୟନମୋନି ସାଇକାଇ ୧୪-୧୮ରେ ଇଂଲଣ୍ଡର ସୋଫି ଟୋଲଚାର୍ଡ ଓ ଆମି ଫରୋଙ୍କଠୁ ହାରି ଯାଇଥିଲେ।

ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ସିନ୍ଧୁ, ଶ୍ରୀକାନ୍ତ
ଭାରତୀୟ ବ୍ୟାଡ୍‌ମିଣ୍ଟନ ଏକକ ତାରକା ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ଏକକ ପ୍ରିକ୍ବାର୍ଟ ଫାଇନାଲ୍‌ରେ ୨ ଥର ଅଲିମ୍ପିକ୍‌ ପଦକ ବିଜେତା ସିନ୍ଧୁ ୨୧-୧୦, ୨୧-୯ରେ ଉଗଣ୍ଡାର ହୁସିନା କୋବୁଗାବେଙ୍କୁ ହରାଇଥିଲେ। ସେହିପରି ପୁରୁଷ ଏକକକ ପ୍ରିକ୍ବାର୍ଟରରେ ଶ୍ରୀକାନ୍ତ ୨୧-୯, ୨୧-୧୨ରେ ଶ୍ରୀଲଙ୍କାର ଦୁମିନ୍ଦୁ ଆବେବିକ୍ରମାଙ୍କୁ ପରାସ୍ତ କରିଥିଲେ। ମହିଳା ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ଭାରତୀୟ ଯୋଡ଼ି ଜଲି ତ୍ରିସା ଓ ଗାୟତ୍ରୀ ଗୋପୀଚାନ୍ଦ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ୨୧-୨, ୨୧-୪ରେ ମରିସସ୍‌ର ଜେମିମା ଲିଉଙ୍ଗ ଓ ମୁନଗ୍ରାଙ୍କୁ ହରାଇଥିଲେ।

ଟିଟି: କ୍ବାର୍ଟରରେ ମନିକା, ଶ୍ରୀଜା
ମନିକା ବାତ୍ରା ଓ ଶ୍ରୀଜା ଆକୁଲା ମହିଳା ଟେବୁଲ ଟେନିସ (ଟିଟି) ଏକକର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ମନିକା ୪-୦ (୧୧-୪, ୧୧-୮, ୧୧-୬, ୧୨-୧୦)ରେ ଅଷ୍ଟ୍ରେଲିଆର ମିନ୍‌ହୁଙ୍ଗ ଜିଙ୍କୁ ଏବଂ ଶ୍ରୀଜା ୪-୩ (୮-୧୧, ୧୧-୭, ୧୨-୧୪, ୯-୧୧, ୧୧-୪, ୧୫-୧୩, ୧୨-୧୦)ରେ ୱେଲ୍ସର ଚାର୍ଲୋଟ କାରେଙ୍କୁ ହରାଇଥିଲେ। ତେବେ ରିଥ ଟେନିସନ ୧-୩ (୨-୧୧, ୪-୧୧, ୧୧-୯, ୩-୧୧, ୪-୧୧)ରେ ସିଙ୍ଗାପୁରର ଫେଙ୍ଗ ତିଆନୱେଇଙ୍କଠୁ ହାରି ବିଦାୟ ନେଇଥିଲେ।

ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଅଚନ୍ତ ଶରତ କମଲ ଓ ସାଥିୟାଁ ଜ୍ଞାନଶେକରନ ଏବଂ ହର୍ମିତ ଦେଶାଇ ଓ ସାନିଲ ସେଟ୍ଟୀ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍‌ରେ ଅଚନ୍ତ ଓ ସାଥିୟାଁ ୩-୦ (୧୧-୬, ୧୧-୧, ୧୧-୪)ରେ ବାଂଲାଦେଶର ରହିମିଲିଆନ୍‌ ବାମ୍‌ ଓ ମୋହିସିନ ରିଡୟଙ୍କୁ ଏବଂ ହର୍ମିତ ଓ ସାନିଲ ୩-୧ (୧୧-୩, ୯-୧୧, ୧୧-୯, ୧୧-୭)ରେ ଅଷ୍ଟ୍ରେଲିଆର ଦିଲନ ଚାମ୍ବର୍ସ ଓ ଜିନ୍‌ ୟାନଙ୍କୁ ପରାସ୍ତ କରିଥିଲେ।

ମିଶ୍ରିତ ଯୁଗଳ ଯୋଡ଼ି ସାଥିୟାଁ ଓ ମନିକା ଏବଂ ଅଚନ୍ତ ଓ ଶ୍ରୀଜା ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ସାଥିୟାଁ ଓ ମନିକା ୩-୦ (୧୧-୭, ୧୧-୬, ୧୧-୭)ରେ ନାଇଜେରିଆର ଓଲାଜିଦ ଓମୋତାୟା ଓ ଆଜୋକେ ଓଜୋମୁଙ୍କୁ ଏବଂ ଅଚନ୍ତ ଓ ଶ୍ରୀଜା ୩-୧ (୫-୧୧, ୧୧-୨, ୧୧-୬, ୧୧-୫)ରେ ମାଲେସିଆର ଚି ଫେଙ୍ଗ ଲିଓଙ୍ଗ ଓ ୟିଙ୍ଗ ହୋଙ୍କୁ ହରାଇଥିଲେ।

ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ସାଥିୟାଁ, ଅଚନ୍ତ ଓ ସାନିଲ ପହଞ୍ଚିଛନ୍ତି। ରାଉଣ୍ଡ-୩୨ରେ ସାଥିୟାଁ ୪-୦ (୧୧-୯, ୧୧-୯, ୧୨-୧୦, ୧୩-୧୧)ରେ ନର୍ଦନ ଆୟର୍ଲାଣ୍ଡର ପଲ ମ୍ୟାକରେରିଙ୍କୁ, ଅଚନ୍ତ ୪-୦ (୧୨-୧୦, ୧୧-୮, ୧୧-୭, ୧୧-୬)ରେ ଅଷ୍ଟ୍ରେଲିଆର ଫିନ୍‌ ଲୁଙ୍କୁ ଏବଂ ସାନିଲ ୪-୦ (୧୨-୧୦, ୧୪-୧୨, ୧୧-୪, ୧୧-୫)ରେ ଘାନାର ଦେରେକ ଆବ୍ରେଫାଙ୍କୁ ପରାସ୍ତ କରିଥିଲେ। ମହିଳା ଯୁଗଳ ପ୍ରିକ୍ବାର୍ଟରରେ ମନିକା ଓ ଦିୟା ପରାଗ ଚିତାଲେ ସ୍ଥାନ ପକ୍କା କରିଛନ୍ତି। ଏହି ଯୋଡ଼ି ୩-୦ (୧୧-୫, ୧୧-୭, ୧୧-୨)ରେ ତ୍ରିନିଦାଦ ଓ ଟୋବାଗୋର ରିନ ଚୁଙ୍ଗ ଓ କାଥରିନ ସ୍ପାସରଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର