ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌: ଫାଇନାଲ୍‌ରେ ଦୁଇ ଓଡ଼ିଆ ମୁହାଁମୁହିଁ

ଭୁବନେଶ୍ବର: ଦୁବାଇରେ ଚାଲିଥିବା ତୃତୀୟ ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗ ଫାଇନାଲ୍‌ରେ ଦୁଇ ଓଡ଼ିଆ ପ୍ରମୋଦ ଭଗତ ଓ ଦୀପରଞ୍ଜନ ବିଷୋଇ ମୁହାଁମୁହିଁ ହେବେ। ଗୁରୁବାର ସେମିଫାଇନାଲ୍‌ରେ ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୫, ୨୧-୯ରେ ମାଳଦୀପର ଅହମ୍ମଦ ଫୟଜ ଓ ମହମ୍ମଦ ଅବ୍‌ଦୁଲ କାଥୀରଙ୍କୁ ଏବଂ ଅର୍ବାଜ ଅନ୍‌ସରିଙ୍କୁ ସାଥୀ କରି ଖେଳୁଥିବା ଦୀପ ରଞ୍ଜନ ୨୧-୧୮, ୨୧-୧୩ରେ ଭାରତ-ଫ୍ରାନ୍ସ ଯୋଡ଼ି ବିକ୍ରମ କୁମାର ଓ ମାଥ୍ୟୁ ଥୋମସଙ୍କୁ ପରାସ୍ତ କରିଥିଲେ।

ପୁରୁଷ ଏକକରେ ପ୍ରମୋଦ ୨୧-୧୦, ୨୧-୯ରେ ମାଳଦୀପର ମହମ୍ମଦ ଅବ୍‌ଦୁଲ ଲତିଫଙ୍କୁ ହରାଇ ନିଜ ଗ୍ରୁପ୍‌ରେ ଅପରାଜେୟ ରହି କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ଦୀପ ରଞ୍ଜନ ୨୨-୨୦, ୨୧-୧୫ରେ ରୁଷିଆର ଓଲେଗ ଡନତ୍ସୋଭଙ୍କୁ ପରାସ୍ତ କରି ‌ଶ୍ରେଷ୍ଠ-୩୨ରେ ପହଞ୍ଚିଛନ୍ତି। ମିଶ୍ରିତ ‌ଯୁଗଳରେ ପ୍ରମୋଦ ଓ ପଲକ କୋହଲି ୟୁକ୍ରେନର ଆନ୍ଦ୍ରିଲ ଜାଇତ୍ସେଭ ଓ ଓକ୍ସାନା କୋଜିନାଙ୍କୁ ହରାଇ ଗ୍ରୁପ୍‌ରେ ଅପରାଜେୟ ରହି କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ। ତେବେ ଅନ୍ୟ ଜଣେ ଓଡ଼ିଆ ଖେଳାଳି ଦିଲଶ୍ବର ରାଓ ଗ୍ରୁପ୍‌ ମ୍ୟାଚ୍‌ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର