ବରିଷ୍ଠରେ କେହି ନଥିଲେ, କନିଷ୍ଠ ହକି ଶିବିରରେ ଓଡ଼ିଆଙ୍କୁ ଅଣଦେଖା:ପ୍ରତାପଙ୍କୁୁ ଉପେକ୍ଷା

ଭୁବନେଶ୍ୱର: ବରିିଷ୍ଠ ଭଳି ଜାତୀୟ କନିଷ୍ଠ ହକି ଶିବିରରେ ମଧ୍ୟ ଓଡ଼ିଆ ଖେଳାଳିଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିିବା ବରିଷ୍ଠ ହକି ପ୍ରଶିକ୍ଷଣ ଶିବିରରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ସ୍ଥାନ ପାଇନାହାନ୍ତି। ସେହିଭଳି କନିଷ୍ଠ ଶିବିର ଲାଗି ହକି ଇଣ୍ଡିଆ ଘୋଷଣା କରିଥିବା ୨୪ ଜଣିଆ ଦଳରେ ପ୍ରତିଭାବାନ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରାଙ୍କୁ ସ୍ଥାନ ମିଳି ନାହିଁ। ଏଣୁ ହକି ବିକାଶ ପାଇଁ ଜାତୀୟ ଦଳର ମୁଖ୍ୟ ପ୍ରାୟୋଜକ ପାଲଟିଥିବା ଓଡ଼ିଶା ସରକାର ବ୍ୟୟ କରୁଥିବା କୋଟି କୋଟି ଟଙ୍କାରେ କାହାର ହିତ ସାଧନ ହେଉଛି ସେ ପ୍ରଶ୍ନ ସାଧାରଣରେ ମୁଣ୍ଡ ଟେକିଛି।
୨୦୧୭ ଜୋହର କପ୍‌ରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ଉପଅଧିନାୟକ ପ୍ରତାପ ଲାକ୍ରାଙ୍କୁ କନିଷ୍ଠ ଶିବିରରେ ସ୍ଥାନ ନମିଳିବା ନେଇ ରାଜ୍ୟ ହକି ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରତାପ ମଧ୍ୟ ଏସୀୟ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ହକି ଦଳର ଅଧିନାୟକ ଥିଲେ। ଭୋପାଳରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତାପଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ମାଲେସିଆ ବିପକ୍ଷ ଫାଇନାଲରେ ସେ ବ୍ୟକ୍ତିଗତ ଭାବେ ଦୁଇଟି ଗୋଲ୍‌ ଦେବା ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚଳିତ ବର୍ଷ ଏପ୍ରିଲରେ ଭୋପାଳରେ ଆୟୋଜିତ ହୋଇଥିବା ଅଷ୍ଟମ ହକି ଇଣ୍ଡିଆ କନିଷ୍ଠ ହକି ପ୍ରତିଯୋଗିତା (ଏ-ଡିଭିଜନ)ରେ ସେ ଯୁଗ୍ମ ସର୍ବାଧିକ ୯ ଗୋଲ୍‌ ଦେଇଥିଲେ। ପ୍ରତାପ ନିଜର ସମସ୍ତ ଗୋଲ୍‌ ପେନାଲ୍ଟି କର୍ନରରୁ ଅର୍ଜନ କରିଥିଲେ। ଦେଶର ଅନ୍ୟତମ ଉଦୀୟମାନ ଡ୍ରାଗଫ୍ଲିକର ଭାବେ ସେ ପରିଚିତ। ଏହାର ପ୍ରମାଣ ମଧ୍ୟ ପ୍ରତାପ ବହୁଥର ଦେଇଛନ୍ତି। ବିଭିନ୍ନ ସ୍ତରରେ ପଦକ ଜିତିବା ସହ ବଳିଷ୍ଠ ନେତୃତ୍ୱ ଦକ୍ଷତାର ନମୂନା ଦେଖାଇଥିଲେ ମଧ୍ୟ ତାଙ୍କୁ ଜାତୀୟ ଶିବିରକୁ ଡକା ନଯିବା ରାଜ୍ୟ ହକିପ୍ରେମୀଙ୍କୁ ବିସ୍ମିତ କରିଛି।

ଶିବିରରେ ନଥିବାରୁ ଦଳରେ ସ୍ଥାନ ପାଇବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।
ଗତବର୍ଷ ଦଳର ପ୍ରମୁଖ ଅଙ୍ଗ ଥିବା ପ୍ରତାପଙ୍କୁ ସମ୍ଭାବ୍ୟ ଦଳରେ କାହିଁକି ସ୍ଥାନ ମିଳିଲା ନାହିଁ ସେ ପ୍ରଶ୍ନ ରାଜ୍ୟ ହକିପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଏହି ଶିବିରରେ ଚାରି ଜଣ ଓଡ଼ିଆ ଖେଳାଳି ସୁମନ ବେକ, ଲୁଗୁନ ସିରିଲ, ଗ୍ରେଗୋରି ଖେସ୍‌ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ହେଲେ କେଉଁ ପରିସ୍ଥିତିରେ ଓ କାହିଁକି ପ୍ରତାପଙ୍କ ଭଳି ଦକ୍ଷ ଡ୍ରାଗ ଫ୍ଲିକରଙ୍କୁ ଶିବିରକୁ ଡକା ନଗଲା ତାହା ଏବେ ଚର୍ଚାର ବିଷୟ ହୋଇଛି। ମୁଁ ଡ୍ରାଗ୍‌ ଫ୍ଲିକର ରୂପିନ୍ଦର ପାଲ ସିଂହଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କୁ ମୁଁ ଅନୁସରଣ କରେ। ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛି। ଔରଙ୍ଗାବାଦ୍‌ ଶିବିରରେ ଭଲ ପ୍ରଦର୍ଶନ କରିଥିଲି। ଫିଟନେସ୍‌ ଉପରେ ସେମାନେ ପ୍ରଶ୍ନ ଉଠାଇଥିଲେ। ଯେତେ ବୁଝାଇଲେ ବି ବୁଝି ନଥିଲେ। ଏଥର ମୋତେ ଜାତୀୟ ଶିବିରକୁ କାହିଁକି ଡକା ନଗଲା, ବୁଝି ପାରୁ ନାହିଁ ବୋଲି ପ୍ରତାପ କହିଛନ୍ତି। କଠିନ ପରିଶ୍ରମ କରି ପୁଣି ଥରେ ଜାତୀୟ ଦଳକୁ ଫେରିବେ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ପ୍ରତାପ ହକି ଗାଙ୍ଗପୁର ଦଳରୁ ସବୁବେଳେ ଗୋଲ୍‌ କରି ଥାଆନ୍ତି। ଭାରତୀୟ କନିଷ୍ଠ ଖେଳାଳିଙ୍କ ମଧ୍ୟରେ ସେ ହେଉଛନ୍ତି ଶ୍ରେଷ୍ଠ ଡ୍ରାଗ ଫ୍ଲିକର। ତାଙ୍କ ଭଳି ଜଣେ ପ୍ରତିଭା ସଂପନ୍ନ ଖେଳାଳିଙ୍କୁ ଜାତୀୟ ଶିବିରକୁ ଡାକରା ମିଳିବନି ବୋଲି ମୁଁ ଆଶା କରି ନଥିଲି ବୋଲି କହିଛନ୍ତି ହକି ଗାଙ୍ଗପୁର ଓଡ଼ିଶାର ସଂପାଦକ ଦେବାଶିଷ ଗୌଡ଼। ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ବରିଷ୍ଠ କ୍ରୀଡ଼ା ଅଧିକାରୀମାନେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।
ଅଲିମ୍ପିଆନ୍‌ ଲାଜରୁସ ବାର୍ଲା ମଧ୍ୟ ହକି ଇଣ୍ଡିଆର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଓଡ଼ିଶା ସରକାର ହକି ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ କରୁଛି। ହେଲେ ଦୁର୍ଭାଗ୍ୟଜନକ ଭାବେ ଆମ ପିଲାଙ୍କର ପ୍ରତିଭା ଥାଇ ମଧ୍ୟ ସେମାନେ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଉ ନାହାନ୍ତି। ପ୍ରତିଭା ନଥିଲେ ଅଲଗା କଥା। ତାହାଲେ ହକି ବିକାଶର ଲକ୍ଷ୍ୟ କିଭଳି ହାସଲ ହେଉଛି? ଜାତୀୟ ପ୍ରତିଯୋଗିତାକୁ ମୁଁ ଦଳ ନେଇ ଯାଇଥିଲି। ପ୍ରତାପ ୯ ଗୋଲ୍‌ ଦେଇଥିଲା। ହରିଆଣାର ଜଣେ ପିଲା ବି ୯ ଗୋଲ୍‌ ଦେଇଥିଲା। ସେ ଶିବିରରେ ଅଛି। ଅଥଚ ପ୍ରତାପ ନାହିଁ। ଏହି ବିଷୟ ରାଜ୍ୟ ସରକାର ହକି ଇଣ୍ଡିଆ ନିକଟରେ ଉଠାଇବା କଥା ବୋଲି ସେ କହିଛନ୍ତି। ୨୪ ଜଣ ଖେଳାଳିଙ୍କୁ ନେଇ ଜାତୀୟ କନିଷ୍ଠ ଶିବିର ମଙ୍ଗଳବାର ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର