ବିଶ୍ବକପ୍ ଦେଖିବାରୁ ହକିପ୍ରେମୀ ବଞ୍ଚିତ, କ୍ଷୋଭ ପ୍ରକାଶ କଲେ ପ୍ରବୋଧ

ଭୁବନେଶ୍ବର: ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍ କେବଳ ଭାରତ ନୁହେଁ ସାରା ବିଶ୍ବର ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ୍‌ର ମାନ୍ୟତା ଲାଭ କରିଥିବା ‘କଳିଙ୍ଗ ଷ୍ଟାଡିୟମ୍‌’ରେ ଖେଳାଯାଉଛି। ଏଥିରେ ପୁଣି ବଛାବଛା ୧୬ ଅନ୍ତର୍ଜାତୀୟ ଦଳ ଅଂଶଗ୍ରହଣ କରୁଛନ୍ତି। ସେପଟେ ହକିକୁ ଯେ ପାଗଳ ଭଳି ଭଲପାଆନ୍ତି ଓଡ଼ିଶାବାସୀ ତାର ପ୍ରମାଣ ଅଗଣିତ ଥର ଦେଇସାରିଛନ୍ତି। ତା’ ସତ୍ତ୍ବେ ଓଡ଼ିଶାର ହକିପ୍ରେମୀ ନିଜ ଘରେ ପ୍ରଥମ ଥର ଆୟୋଜିତ ‌ହେଉଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଟିକିଏ ଝଲକ ବି ପାଉନାହାନ୍ତି। କରୋନା କଟକଣାର ଦ୍ବାହି ଦେଇ ବନ୍ଦ ଦ୍ବାରରେ ଏବଂ ବିନା ଦର୍ଶକରେ ଏହି ପ୍ରତିଯୋଗିତାର ଆ‌ୟୋଜନ ହେଉଛି। ତା’ ସହ ଟେଲିଭିଜନ୍ ଚ୍ୟାନେଲରେ ମଧ୍ୟ ଏହାର ସିଧାପ୍ରସାରଣ ହେଉନି। ଏଭଳି ଏକ ବୃହତ୍ ପ୍ରତିଯୋଗିତାର ସିଧାପ୍ରସାରଣ କିନ୍ତୁ କୌଣସି ଟେଲିଭିଜନ ଚ୍ୟାନେଲରେ ନେହେବା ଅତ୍ୟନ୍ତ ଦୁଃଖର ବିଷୟ। ଯାହା ଓଡ଼ିଶା ହକିପ୍ରେମୀଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଛି।

କେବଳ ଏକ ଆପ୍ ୱାଚ୍ ହକି ଜରିଆରେ ହକିପ୍ରେମୀ ବିଶ୍ବକପ୍ ଦେଖିପାରିବେ ବୋଲି କୁହାଯାଉଛି। କେତେକ କ୍ଷେତ୍ରରେ ଏହା ଲିଙ୍କ୍ ମଧ୍ୟ ପଠାଇ ଦିଆଯାଉଛି। ତେବେ ଗାଁ ଗହଳିରେ ଥିବା ହକିପ୍ରେମୀ ଏହି ଆପ୍‌କୁ ଡାଉନଲେଡ୍ କରିବା ଏବଂ ଏଥିରେ ମ୍ୟାଚ୍ ଦେଖିବା ସମ୍ଭବ ହେଉନି। ସତ ଚେଷ୍ଟା ପରେ ମଧ୍ୟ ସେମାନେ ମ୍ୟାଚ୍ ଦେଖି ପାରୁନାହାନ୍ତି। ଯାହାକୁ ନେଇ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଆ ହକି ତାରକା ପ୍ରବୋଧ ତିର୍କି କ୍ଷୋଭ ପ୍ରକାଶ କରିଛନ୍ତି।

”ଆମ ଘରେ ବିଶ୍ବକପ୍ ‌ ହେଉଛି, ହେଲେ ଏହାକୁ ଦେଖିବାର କୌଣସି ସିଧା ଓ ସରଳ ସୁଯୋଗ ଆମ ପାଖରେ ନାହିଁ। ଯେଉଁ ଆପ୍ ଜରିଆରେ ମ୍ୟାଚ୍ ଦେଖିବାକୁ କୁହାଯାଉଛି, ତାକୁ ଡାଉନ୍‌ଲୋଡ୍ କରିବା ସାଧାରଣ ହକିପ୍ରେମୀଙ୍କ ପାଇଁ ସହଜ ହେଉନି। ସେମିତି ବି ଷ୍ଟାଡିୟମ୍ ଯାଇ ମ୍ୟାଚ୍ ଦେଖିବାର ସୁଯୋଗ ସେମାନଙ୍କ ହାତରୁ ଛଡ଼ାଇ ନିଆଯାଇଛି। ଏଣୁ ଅନ୍ତତଃ ନକ୍‌ଆଉଟ୍ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ କରିବାକୁ ମୁଁ ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌କୁ ଅନୁରୋଧ କରୁଛି। ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ସରକାରଙ୍କୁ ଆହ୍ବାନ କରୁଛି। ଆମେ ଯଦି ବିଶ୍ବକପ୍ ଭଳି ପ୍ରତିଯୋଗିତା ଦେଖି ପାରିବାନି ତାହାଲେ ଓଡ଼ିଶାରେ ଏହାକୁ ଆୟୋଜନ କରିବାର ମାନେ କଣ? କରୋନା ପାଇଁ ଦର୍ଶକଙ୍କ ଷ୍ଟାଡିୟମ୍‌ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା କଥା ମୁଁ ବୁଝିପାରୁଛି। ହେଲେ ଅନ୍ତତଃ କୌଣସି ଚ୍ୟାନେଲରେ ଏହାର ସିଧାପ୍ରସାରଣ ହେଲେ ଭଲ ହୁଅନ୍ତା” ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଧାରାବିବରଣୀ ଏଫ୍‌ଏମ୍ ରେନବୋ ରେଡିଓ ଚ୍ୟାନେଲରେ ଇଂରାଜୀ ଓ ହିନ୍ଦୀରେ ହେଉଛି। ସେହିଭଳି ପ୍ରସାରଭାରତୀର ୟୁ-ଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ ‌େହଉଛି। ତେବେ ଓଡ଼ିଆରେ ମ୍ୟାଚ୍ ଦେଖିବା କିମ୍ବା ଶୁଣିବାର କୌଣସି ବ୍ୟବସ୍ଥା ହୋଇନି।

ସମ୍ବନ୍ଧିତ ଖବର