ଭାରତର ସ୍ମରଣୀୟ ଗସ୍ତ, ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଦିନିକିଆ ଶୃଙ୍ଖଳା ବିଜୟ ୧-୧, ୨-୧, ୨-୧

ଚହଲ ମ୍ୟାଚ୍‌ର ଶ୍ରେଷ୍ଠ, ‌ଧୋନି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

ମେଲବର୍ନ: ଇତିହାସକୁ ଅତୀତ କରିଦେଇଛି ଭାରତୀୟ କ୍ରିକେଟ୍ ଦଳ। ନୂଆ ଫର୍ଦ ଯୋଡ଼ି ହୋଇଛି ଭାରତୀୟ କ୍ରିକେଟ୍‌ରେ। ୭୧ ବର୍ଷର ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ ସମ୍ପର୍କରେ ଯାହା ଘଟି ନ ଥିଲା ତାହା ସମ୍ଭବ କରି ଦେଖାଇଛି ବିରାଟ କୋହଲିଙ୍କ ଦଳ।‌ ଗୋଟିଏ ଗସ୍ତରେ ଦୁଇଟି ଶିକାର କରି ଟେଷ୍ଟ୍‌ ଏବଂ ଦିନିକିଆ ଶୃଙ୍ଖଳା ଜିତି ନୂଆ ଇତିହାସ ରଚିଛି। ଉଭୟ ଶୃଙ୍ଖଳାରେ ବିଜୟୀ ହେବା‌ର ଗୌରବ ପୂର୍ବରୁ କୌଣସି ଭାରତୀୟ ଦଳଙ୍କ ଭାଗ୍ୟରେ ଜୁଟି ନ ଥିଲା। ବିଶ୍ବକପ୍ ବର୍ଷରେ ଭାରତର ଏହି ଅପୂର୍ବ ସଫଳତା ଦଳକୁ ଠିକଣା ପଥରେ ରହିଥିବାର ବିଶ୍ବାସ ବି ଦେଇଛି। ଏହି ଗସ୍ତରେ ଭାରତ ଖେଳିଥିବା ୧୦ ମ୍ୟାଚ୍‌ରୁ ୫ ଜିତିଥିବା ବେଳେ ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା (ଟେଷ୍ଟ୍ ଓ ଦିନିକିଆ) ହାତେଇନେଇଛି। ୩ଟି ଯାକ ଶୃଙ୍ଖଳାରେ ଭାରତ ଅନ୍ୟୁନ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରିଥିଲେ ହେଁ ଶୃଙ୍ଖଳା ହାରିନାହିଁ। ବରଂ ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଗସ୍ତରୁ ବିନା ଶୃଙ୍ଖଳା ପରାଜୟରେ ଫେରିବାର ବିରଳ କୀର୍ତିମାନ କରିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହେବାରୁ ଏହା ୧-୧ରେ ଅମୀମାଂସିତ ରହିଥିଲା। ଟେଷ୍ଟ୍‌ରେ ବି ଶେଷ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେବାରୁ ଭାରତ ତୃତୀୟ ବିଜୟରୁ ବଞ୍ଚିତ ହୋଇଥିଲା। ହେଲେ ଶୃଙ୍ଖଳାକୁ ୨-୧ରେ ଜିତି ଐତିହାସିକ ମୁହୂର୍ତ ସାଉଁଟିଥିଲା। ଏବେ ସମାନ ଫଳ ମିଳିଛି ଦିନିକିଆ ଶୃଙ୍ଖଳାରୁ। ପ୍ରଥମଟି ହାରିଥିଲେ ମଧ୍ୟ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ୨ଟିକୁ ଜିତି ୨-୧ରେ ଅଭିଯାନ ଶେଷ କରିଛି। ସବୁ ଫର୍ମାଟକୁ ମିଶାଇ କୋହଲିଙ୍କ ଦଳ ୫-୩ରେ ଗସ୍ତ ଶେଷ କରିଛି। ଏହା ପରେ ନ୍ୟୁଜିଲାଣ୍ଡ୍‌ ଗସ୍ତ କରି ୨୩ ତାରିଖରୁ ସୀମିତ ଓଭର ଶୃଙ୍ଖଳା ଖେଳିବ ଭାରତୀୟ ଦଳ। ଯେଉଁ ମେଲବର୍ନରେ କୋହଲି ଦଳ ଟେଷ୍ଟ୍ ଶୃଙ୍ଖଳାର ଶେଷ ମ୍ୟାଚ୍ ଜିତିଥିଲା ‌ସେଇ ପଡ଼ିଆରେ ଶୁକ୍ରବାର ଶେଷ ଦିନିକିଆକୁ ୭ ୱିକେଟ୍‌ରେ ଜିତିନେଇଥିଲା। ଲେଗ୍‌ସ୍ପିନର୍‌ ଯୁଜବେନ୍ଦ୍ର ଚହଲ ପ୍ରତ୍ୟାବର୍ତନରେ ନିଜ ଚମକ (୧୦-୦-୪୨-୬) ଛାଡ଼ିଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ହ୍ୟାଟ୍ରିକ୍ ଅର୍ଧଶତକ (୮୭*, ୧୧୪ ବଲ, ୬ ଚୌକା) ବିଜୟର କର୍ଣ୍ଣଧାର ସାଜିଥିଲା। ଚହଲ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଧୋନି (୧୯୩ ରନ୍‌) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୁକ୍ରବାର ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିଲେ ମଧ୍ୟ ଭାରତ ୩ ପରିବର୍ତନ ସହିତ ଖେଳିଥିଲା। ଟସ୍ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଭୁବନେଶ୍ବର କୁମାର ପ୍ରାରମ୍ଭିକ ଯୋଡ଼ି ଆରୋନ୍‌ ଫିଞ୍ଚ୍‌ (୧୪) ଏବଂ ଆଲେକ୍ସ କ୍ୟାରି (୫)ଙ୍କ ୱିକେଟ୍ ନେବା ପରେ ଉସ୍‌ମାନ ଖୱାଜା ଏବଂ ସନ୍ ମାର୍ସ ୭୩ ରନ୍‌ର ଭାଗୀଦାରି କରି ଦଳକୁ ୧୦୦ ଛୁଆଇଁଥିଲେ। କିନ୍ତୁ ଦଳର ଷଷ୍ଠ ବୋଲର ଭାବେ ଖେଳିଥିବା ଚହଲଙ୍କ ଆଗମନ ପରେ ଅଷ୍ଟ୍ରେଲିଆ ପାଳି ବିଗିଡ଼ି ଯାଇଥିଲା। ନିଜର ପ୍ରଥମ ଓଭରରେ ଦୁଇ ସେଟ୍ ବ୍ୟାଟସମ୍ୟାନ୍ ଖୱାଜା ଏବଂ ମାର୍ସଙ୍କୁ ପ୍ୟାଭିଲିଅନ୍ ପଠାଇ ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହା ପରେ ପିଟର୍ ହ୍ୟାଣ୍ଡସ୍କମ୍ବ୍‌ (୫୮, ୬୩ ବଲ, ୨ ଚୌକା)ଙ୍କ ଛଡ଼ା ଅନ୍ୟ କେହି ଚହଲ, ସାମି, ଭୁବିଙ୍କ ଆଗରେ ତିଷ୍ଠି ନ ଥିଲେ। ଶେଷକୁ ୮ ବଲ ପୂର୍ବରୁ ହିଁ ଅଷ୍ଟ୍ରେଲିଆ ପାଳି ୨୩୦ ରନ୍‌ରେ ସୀମିତ ରହିଯାଇଥିଲା। ଜବାବରେ ଭାରତକୁ ବି ଭଲ ଆରମ୍ଭ ମିଳି ନ ଥିଲା। ରୋହିତ ଶର୍ମା (୯, ୧୭ ବଲ୍‌) ଏବଂ ଶିଖର ଧାୱନ (୨୩, ୪୬ ବଲ)ଙ୍କୁ ଯଥାକ୍ରମେ ସିଡଲ୍‌ ଓ ଷ୍ଟୋଇନିସ୍‌ ସଅଳ ଆଉଟ୍‌ କରିଦେବାରୁ ଭାରତ ଜଗି ରଖି ତଥା ବେଶ୍‌ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲା। ବିରାଟ କୋହଲି (୪୬, ୬୨ ବଲ, ୩ ଚୌକା)ଙ୍କ ୱିକେଟ୍ ହରାଇ ଭାରତ ୩୦ ଓଭରରେ ୩ ୱିକେଟ୍‌ରେ ୧୧୩ ରନ୍ କରିଥିଲା। ଏହି ସମୟରେ ଏକାଠି ହୋଇଥିଲେ ମହେନ୍ଦ୍ର ସିଂହ ଧୋନି ଏବଂ କେଦାର ଯାଦବ। ବିଜୟ ଲକ୍ଷ୍ୟ ସହଜ ଲାଗୁଥିଲେ ବି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଯାଇଥିଲା। ବ୍ୟକ୍ତିଗତ ଭାବେ ଧୋନି ସମ୍ମୁଖୀନ‌ ହୋଇଥିବା ପ୍ରଥମ ବଲ୍‌ରେ ମ୍ୟାକ୍ସୱେଲଙ୍କୁ ଏବଂ ୭୮ ରନ୍ ବେଳେ ଫିଞ୍ଚ୍‌ଙ୍କୁ କ୍ୟାଚ୍ ଦେଇଥିଲେ ମଧ୍ୟ ଏହାକୁ ଅଷ୍ଟ୍ରେଲୀୟମାନେ ହାତଛଡ଼ା କରିଥିଲେ। ଫିନିସିଂ ମାଷ୍ଟର୍ ମାହି ଶେଷକୁ ୧୧୪ ବଲ୍‌ରୁ ୮୭* ରନ୍ କରିଥିଲେ। ଷ୍ଟୋଇନିସଙ୍କୁ ଚୌକା ମାରି କେଦାର ଯାଦବ (୬୧*, ୫୭ ବଲ୍‌, ୭‌ ଚୌକା) ମ୍ୟାଚ୍ ଶେଷ କରିଥିଲେ।

ଆର୍ଥିକ ପୁରସ୍କାର ନଥିବାରୁ ଗାଭାସ୍କର ଖପ୍ପା

ଭାରତ ନିଜର ସଫଳତମ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ ମଧ୍ୟ ଐତିହାସିକ ଦିନିକିଆ ଶୃଙ୍ଖଳା ବିଜୟ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଭାରତୀୟ ଦଳକୁ କୌଣସି ଆର୍ଥିକ ପୁରସ୍କାର ପ୍ରଦାନ ନକରିବାରୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସୁନିଲ ଗାଭାସ୍କର ସମାଲୋଚନା କରିଛନ୍ତି। କେବଳ ଦୁଇ ଶ୍ରେଷ୍ଠ ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ୫୦୦ ଡଲାର ଲେଖାଏଁ ପ୍ରଦାନ କରାଯାଇଥିଲା। ଉଭୟ ଏହାକୁ ଦାତବ୍ୟ ଅନୁଷ୍ଠାନକୁ ଦାନ କରି ଦେଇଥିଲେ। ଭାରତୀୟ ଦଳକୁ କେବଳ ବିଜେତା ଟ୍ରଫି ପ୍ରଦାନ କରିଥିଲେ ପୂର୍ବତନ ଖେଳାଳି ଆଡାମ୍ ଗିଲକ୍ରିଷ୍ଟ୍‌। ଖେଳାଳିମାନେ ଅର୍ଥ ଉପାର୍ଜନର ମୁଖ୍ୟ ଆଧାର ହୋଇଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ଏହାକୁ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟଜନକ ବୋଲି ଗାଭାସ୍କର କହିଛନ୍ତି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରସ୍କାର ରାଶି କଥା ଉଦାହରଣ ରଖିଥିଲେ ଗାଭାସ୍କର। ସେଠାରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଉଥିବା ଖେଳାଳି ପାଖାପାଖି ୩୬ ଲକ୍ଷ ଟଙ୍କା ପାଇଥାଏ। ଏକକ ବର୍ଗ ବିଜେତାକୁ ମିଳିଥାଏ ପ୍ରାୟ ୨୧ କୋଟି ଟଙ୍କା।

ସମ୍ବନ୍ଧିତ ଖବର