ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଶୃଙ୍ଖଳା ଆଜିଠୁ, ପାଳି ଆରମ୍ଭ କରିବେ ରୋହିତ, ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ

ବିଶାଖାପାଟଣା: ଭାରତ-ଦକ୍ଷିଣ ଆଫ୍ରିକା‌ ପ୍ରତୀକ୍ଷିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାରଠାରୁ ସ୍ଥାନୀୟ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆରମ୍ଭ ହେବ। ଭାରତ ପାଇଁ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ସହ ଋଷବ ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବେ। ଭାରତ ଦୁଇ ଜଣ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ମଙ୍ଗଳବାର ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ କୋହଲି ଏହି ସୂଚନା ଦେଇଛନ୍ତି। ୩୪ ବର୍ଷୀୟ ଶାହ ଆଘାତ ଜନିତ ସମସ୍ୟା ପାଇଁ ଦୀର୍ଘ ଦିନ ହେବ ଭାରତୀୟ ‌ଟେଷ୍ଟ୍‌ ଦଳରୁ ଦୂରେଇ ରହିଥିଲେ। ସେପଟେ ରୋହିତ ପ୍ରଥମ ଥର ପାଇଁ ମଧ୍ୟକ୍ରମରୁ ଯାଇ ଶୀର୍ଷରେ ଖେଳିବେ। ଏଣୁ ଏହି ଦୁଇଜଣଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ବତନ୍ତ୍ର ନଜର ରହିବ। ୨୧ ବର୍ଷୀୟ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ଯାକ ଟେଷ୍ଟ୍‌ ଖେଳିଥିଲେ ମଧ୍ୟ ଆଶାଜନକ ସଫଳତା ପାଇ ନଥିଲେ। ଅନ୍ୟପକ୍ଷରେ ରିଦ୍ଧିମାନ ୩୨ ଟେଷ୍ଟ୍‌ ଖେଳି ୩୦.୬୩ ହାରରେ ୧୧୬୪ ରନ୍ କରିଛନ୍ତି। ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମଧ୍ୟ ୨୨ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୫ ଜଣ ବୋଲରଙ୍କୁ ନେଇ ଖେଳିବ ବୋଲି ଅଧିନାୟକ ଫାପ୍ ଡୁ’ ପ୍ଲେସିସ୍ ସଙ୍କେତ ଦେଇଛନ୍ତି। ଏହା ‌ହେଲେ କ୍ବିଣ୍ଟନ୍ ଡି’କକ୍ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ ଏବଂ ଥିଉନିସ୍ ଡି’ ବ୍ରାଉନ୍ ତୃତୀୟ ସ୍ଥାନକୁ ଉନ୍ନୀତ ହେବେ। ଜାଦେଜା ଏହି ମ୍ୟାଚ୍‌ରେ ଦୁଇଟି ୱିକେଟ୍ ନେଲେ ଦଶମ ଭାରତୀୟ ବୋଲର ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ୨୦୦ ୱିକେଟ୍ ପୂରଣ କରିବେ। ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ୬ ୱିକେଟ୍ କରାୟତ କଲେ ସପ୍ତଦଶ ଦକ୍ଷିଣ ଆଫ୍ରିକୀୟ ବୋଲର ଭାବେ ଟେଷ୍ଟରେ ୧୦୦ ପୂରଣ ହାସଲ କରିବେ। ଦକ୍ଷିଣ ଆଫ୍ରିକା ଶେଷ ଥର ପାଇଁ ୨୦୧୫ରେ ଭାରତ ଗସ୍ତ କରି ୦-୩ରେ ଶୃଙ୍ଖଳା ହାରିଥିଲା। ଭାରତୀୟ କ୍ରିକେଟ୍ ଦଳ ଏହି ମ୍ୟାଚ୍‌ରେ ସ୍ବଚ୍ଛ ଭାରତ ଲୋଗୋ ପିନ୍ଧି ପଡ଼ିଆକୁ ଓହ୍ଲାଇବ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ରିଦ୍ଧିମାନ ସାହ (ୱିକେଟ୍ ରକ୍ଷକ), ଈଶାନ୍ତ ଶର୍ମା, ମହମ୍ମଦ ସାମି। ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍ ଡୁ’ ପ୍ଲେସିସ୍ (ଅଧିନାୟକ), ଟେମ୍ବା ବଭୁମା, ଥିୟୁନିଅସ୍ ଡି’ ବ୍ରୁଇନ, କ୍ବିଣ୍ଟନ୍ ଡି’କକ୍, ଡିନ୍ ଏଲଗାର, ଜୁବାୟାର ହାମଜା, ଏଦେନ ମର୍କରାମ, ସେନୁରାମ ମୁଥୁସ୍ବାମୀ, ଲୁଙ୍ଗି ଏନଗିଡି/ ଆନରିଚ୍ ନର୍ତଜେ/କେଶବ ମହାରାଜ, ଭର୍ନାନ ଫିଲାଣ୍ଡର, ଡେନ୍ ପିଡେଟ୍, କାଗିସୋ ରବଦା, ରୁଡି ସେକେଣ୍ଡ।

ବର୍ଷା ବ୍ୟାଘାତ ଆଶଙ୍କା
ସୌସୁମୀ ଋତୁ ଶେଷ ହୋଇ ଯାଇଥିଲେ ମଧ୍ୟ ଏବେ ବି ଭାରତର ବିଭିନ୍ନ ପ୍ରାନ୍ତରେ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ଏହା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ପୂର୍ବତଟ ପାଗ ଅପ୍ରତ୍ୟାଶିତ ଭାବେ ବଦଳୁଥିବାରୁ ବିଶାଖାପାଟଣା ଟେଷ୍ଟ୍‌ରେ ବର୍ଷା ବ୍ୟାଘାତ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ମ୍ୟାଚ୍‌ର ପ୍ରତ୍ୟେକ ଦିନ ଥରେ ଅଧେ ବର୍ଷା ହେବାର ପୂର୍ବାନୁମାନ ବି ରହିଛି। ବିଗତ କିଛି ଦିନର ଲଗାଣ ବର୍ଷା ପାଇଁ ପିଚ୍‌ରେ ଆଦ୍ରର୍ତା ଭରି ରହିଛି। ସେହି ଦୃଷ୍ଟିରୁ ପିଚ୍ ସ୍ପିନରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହା ଦକ୍ଷିଣ ଆଫ୍ରିକାକୁ ଅଡ଼ୁଆରେ ପକାଇପାରେ।

ସମ୍ବନ୍ଧିତ ଖବର