ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ବାତିଲ: କୋଲ୍‌କାତା, ଦୁବାଇ ଦେଇ ସ୍ବଦେଶ ଫେରିବ ଦକ୍ଷିଣ ଆଫ୍ରିକା ଦଳ

କୋଲ୍‌କାତା: ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ବାତିଲ ହେବା ପରେ ଲକ୍ଷ୍ନୌରେ ରହିଥିବା ଦକ୍ଷିଣ ଆଫ୍ରିକା ଦଳ କୋଲ୍‌କାତାକୁ ସୁରକ୍ଷିତ ସହର ଭାବେ ଚୟନ କରିଛି। ନିଦ ଦେଶକୁ ଦୁବାଇ ଦେଇ ଫେରିବା ବେଳେ ସେମାନେ କୋଲ୍‌‌କାତାରେ ରହିବା ଲାଗି ପସନ୍ଦ କରିଛନ୍ତି। ସେମାନେ କାଲି ସକା‌‌ଳେ କୋଲ୍‌କାତା ବିମାନ ବନ୍ଦରରେ ପହଞ୍ଚିବେ। ଏହାର ପରଦିନ ଦୁବାଇ ଦେଇ ‌ନିଜ ଦେଶକୁ ଫେରିବେ। ଏଥିପାଇଁ କୋଲ୍‌କାତା ବିମାନ ବନ୍ଦରରେ ରହିବା ଲାଗି ବିସିସିଆଇ ସବୁ ବ୍ୟବସ୍ଥା କରିବା ଲାଗି ଯୋଜନା କରୁଛି। ଦକ୍ଷିଣ ଆଫ୍ରିକା ଦଳକୁ ଆତିଥ୍ୟ ଦେବା ଲାଗି କ’ଣ ବ୍ୟବସ୍ଥା କରିଛୁ ତାହା ବିଷୟରେ ଆମେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ କଥାହେଉଛୁ। ଏଥିସହ ବିସିସିଆଇ ସମ୍ପର୍କରେ ମଧ୍ୟ ରହିଛୁ ବୋଲି ବେଙ୍ଗଲ କ୍ରିକେଟ୍‌ ସଂଘର ସଭାପତି ଅଭିଷେକ ଡାଲମିଆଁ କହଛନ୍ତି। କୋଲ୍‌କାତା ସୁରକ୍ଷିତ ସହର, ଏହାକୁ ସେମା‌ନେ ପସନ୍ଦ କରିଛନ୍ତି। ଆମେ ଦକ୍ଷିଣ ଆଫ୍ରିକା ଦଳକୁ ସବୁ ପ୍ରକାର ସହଯୋଗ କରିବୁ। ସେମାନେ ଆମର ଅତିଥି। ଏଥିପାଇଁ ବ୍ୟକ୍ତିଗତ ଭାବେ କ’ଣ ବ୍ୟବସ୍ଥା ହେଉଛି ନଜର ରଖିବା ସହ ସବୁ ପ୍ରକାର ସ‌ହଯୋଗ କରିବୁ ବୋଲି ବିଧାନନଗର ପୁଲିସ କମିସନର ଏଲ୍‌ଏନ୍‌ ମୀନା କହିଛନ୍ତି। ସୂଚନା‌ଯୋଗ୍ୟ ଯେ ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ ଦିନିକିଆ ମ୍ୟାଚ୍‌ ଖେଳିଥାନ୍ତା। ହେଲେ ପ୍ରଥମ ଦିନିକିଆ (ଧର୍ମଶାଳା) ବର୍ଷା‌ ଯୋଗୁଁ ବାତିଲ ହୋଇଥିଲା। ଏହାପରେ କରୋନା ପାଇଁ ଅନ୍ୟ ଦୁଇ ଦିନିକିଆକୁ ମଧ୍ୟ ବିସିସିଆଇ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର