ଭାଷ୍ୟକାର ‌ତାଲିକାରେ ଗାଙ୍ଗୁଲି ଏକମାତ୍ର ଭାରତୀୟ ଅଧିନାୟକ

ଦୁବା‌ଇ: ଇଂଲଣ୍ଡ୍‌ ବିଶ୍ବକପ୍‌ ପାଇଁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଶୁକ୍ରବାର ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି। ମେ’ ୩୦ରୁ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୦୧୯ ବିଶ୍ବକପ୍‌ ଆଇସିସି ଏକ ୨୪ ଜଣିଆ ଭାଷ୍ୟକାର ତାଲିକା ପ୍ରସ୍ତୁତ କରିଛି। ଏଥିରେ ୯ ଜଣ ବିଶ୍ବକପ୍‌ ଅଧିନାୟକ ସାମିଲ ହୋଇଥିଲା ବେଳେ ଏକମାତ୍ର ଭାରତୀୟ ଅଧିନାୟକ ଭରବେ ସୌରଭ ଗାଙ୍ଗୁଲିଙ୍କ ଦେଖିବାକୁ ମିଳିବ। ଅନ୍ୟ ଅଧିନାୟକମାନଙ୍କ ମଧ୍ୟରେ ଗ୍ରେମ୍‌ ସ୍ମିଥ୍‌, ନାସିର୍‌ ହୁସେନ୍‌, କୁମାର ସାଙ୍ଗାକରା, ୱାସିମ୍‌ ଆକ୍ରମ୍‌, ବ୍ରେଣ୍ଡନ ମ୍ୟାକ୍‌ଲମ୍‌, ସନ୍‌ ପୋଲକ, ମାଇକ୍‌ ଆଥରଟନ୍‌ ଓ ମାଇକେଲ୍‌ କ୍ଲାର୍କ ରହିଛନ୍ତି। ୨୦୧୫ରେ ଅଷ୍ଟ୍ରେଲିଆକୁ ବିଶ୍ବକପ୍‌ ଭେଟି ଦେଇଥିବା କ୍ଲାର୍କ ନିଜର ଆଇସିସି ଟିଭି ଭା‌ଷ୍ୟକାର ଭାବେ ପଦାର୍ପଣ କରିବେ। ଏହି ପ୍ୟାନେଲ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ମଞ୍ଜରେକର, ହର୍ଷ ଭୋଗ୍‌ଲେ, ଇଆନ୍‌ ବିଶପ୍‌, ସାଇମନ୍‌ ଡଲ୍‌, ମାଇକେଲ ହୋଲ୍‌ଡିଂ, ମେଲାନି ଜୋନ୍‌ସ, ଈଶା ଗୁହା ଓ ଆଲିସନ୍‌ ମିଚେଲଙ୍କ ଭଳି ଅଭିଜ୍ଞ ଭାଷ୍ୟକାର ରହିଛନ୍ତି। ଏହି ତାଲିକାରେ ୩ ଜଣ ମହିଳା ସାମିଲ ଥିଲା ବେଳେ ୩ ଭାରତୀୟ ମଧ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର