ମନୁ ଆଇସିସିର ପରବର୍ତୀ ମୁଖ୍ୟ କାର୍ଯ୍ୟନିର୍ବାହୀ

ଦୁବାଇ: ମନୁ ସାୱନୀ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ପରର୍ବତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ହେବେ। ମଙ୍ଗଳବାର ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ଚଳିତ ବର୍ଷ ଜୁଲାଇ ମାସରେ ସେ ଡେଭ୍‌ ରିଚାର୍ଡସନ୍‌ଙ୍କଠୁ ଦାୟିତ୍ବ ଗ୍ରହଣ କରିବେ। ତେବେ ପୂର୍ବରୁ ସିଙ୍ଗାପୁର ସ୍ପୋର୍ଟସ୍‌ ହବ୍‌ର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଏବଂ ଇଏସ୍‌ପିଏନ୍‌ ଷ୍ଟାର୍‌ ସ୍ପୋର୍ଟସ୍‌ର ପରିଚାଳନା ନିର୍ଦେଶକ ପଦ ତୁଲାଇ ସାରିଥିବା ମନୁ ଜୁଲାଇ ମାସରେ ଦାୟିତ୍ବ ଗ୍ରହଣ ପୂର୍ବରୁ ଆଇସିସିରେ ଆସନ୍ତା ଫେବ୍ରୁଆରି ମଧ୍ୟଭାଗରେ ଯୋଗଦେବେ। ବିଶେଷକରି ଚଳିତ ବର୍ଷ ପୁରୁଷ ବିଶ୍ବକପ୍‌ ପୂର୍ବରୁ ହିଁ ମନୁ ଆଇସିସିରେ ନୂଆ ଦାୟିତ୍ବ ସମ୍ଭାଳିବେ। ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଏବଂ ସୁପାରିସ ସମିତି ବହୁ ତର୍ଜମା କରିବା ପରେ ଶେଷରେ ମନୁଙ୍କୁ ଏହି ମର୍ଜାଦାଜନକ ପଦ ପାଇଁ ବାଛିଛନ୍ତି। ମନୁଙ୍କୁ ନିଯୁକ୍ତି ନେଇ ମୁଁ ଖୁବ୍‌ ଖୁସି ବୋଲି କହିଛନ୍ତି ମନୋହର। ମନୁଙ୍କର ୨୨ ବର୍ଷରୁ ଅଧିକ ବାଣିଜ୍ୟିକ ଅଭିଜ୍ଞତା ରହିଛି। ମନୁ ପ୍ରାୟ ୧୭ ବର୍ଷ ଧରି ଇଏସ୍‌ପିଏନ୍‌ ସହ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୦୭ରୁ ୨୦୧୫ ପର୍ଯ୍ୟନ୍ତ ଇଏସ୍‌ପିଏନ୍‌ ଓ ଆଇସିସି ମଧ୍ୟରେ ସଂପର୍କ ବାନ୍ଧି ହୋଇଥିଲା। ଉଭୟ କ୍ରୀଡ଼ା ଓ ପ୍ରସାରଣ ‌କ୍ଷେତ୍ରରେ ତାଙ୍କର ନେତୃତ୍ବ ଦକ୍ଷତା ପୂର୍ବରୁ ପ୍ରମାଣିତ ହୋଇସାରିଛି। ତେଣୁ ସେ ଭଲ ଭାବେ ଆଇସିସିକୁ ପରିଚାଳନା କରିପାରିବେ ବୋଲି ମନୋହର କହିଛନ୍ତି। ଅନ୍ୟପକ୍ଷରେ ଆଇସିସି ମୋ‌ତେ ଏଭଳି ଗୁରୁଦାୟିତ୍ବ ଦେଇଥିବାରୁ ବ୍ୟକ୍ତିଗତ ଭାବେ ମୁଁ ଧନ୍ୟବାଦ ଜଣାଉଛି ବୋଲି ମନୁ କହିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ କ୍ରିକେଟ୍‌କୁ ସାରା ବିଶ୍ବରେ ଆହୁରି ଆଗେଇ ଯିବାରେ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି ମନୁ କହିଛନ୍ତି।

ସମ୍ବନ୍ଧିତ ଖବର