ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯ଼ାଉଥିବା ଆଇପିଏଲ ୨୦୨୨ର ୬୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ସନରାଜର୍ସ ହାଇଦ୍ରାବାଦ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ ବିନିମୟରେ ୧୯୦ ରନ କରି ପରାସ୍ତ ହୋଇଛି।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଇନିଂସ ଆରମ୍ଭରୁ ଅଭିଷେକ ଶର୍ମାଙ୍କ ଓ୍ବିକେଟ ହରାଇଥିଲେ ବି ପ୍ରିୟମ ଗର୍ଗ ଓ ରାହୁଲ ତ୍ରିପାଠୀ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ । ପ୍ରିୟମ ଗର୍ଗ ୪୨ରନରେ ଆଉଟ ହେବା ପରେ ବି ରାହୁଲ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ମାତ୍ର ୪୪ଟି ବଲରୁ ୩ ଛକା ୯ ଚୌକା ସହାୟତାରେ ୭୬ ରନ କରିଥିଲେ । ନିକୋଲାସ ପୁରନ ୩୮ ରନ କରିଥିଲେ । ତେବେ ଶେଷ କିଛି ଓଭର ବେଳକୁ ଦଳୀୟ ସ୍କୋର ଧିମେଇ ଯାଇଥିଲା । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୩ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ରମଣଦୀପ ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ଡାନିଏଲ ସାମ୍ସ ଓ ରିଲେ ମେରେଡିଥ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୯୪ ରନର ଲକ୍ଷ ପିଛା କରି ମୁମ୍ବାଇ ଇଣ୍ଡଆନ୍ସ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭରେ କ୍ୟାପଟେନ ରୋହିତ ଶର୍ମା ଓ ଇସାନ କିଷାନ ଭଲ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ୩୬ ବଲରେ ୨ ଚୌକା ଓ ୪ ଛକା ସହାୟତାରେ ୪୮ ରନ କରିଥିବାବେଳେ ଇଷାନ କିଷାନ ୩୪ ବଲ ଖେଳି ୪୩ ରନ କରିଥିଲେ। ସେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ। ଟିମ ଡାଭିଡ ୧୮ ବଲରେ ୪୬ ରନ କରି ନଟଆଉଟ ରହିଥିଲେ। ସେ ୩ ଚୌକା ଓ ୪ ଛକା ମାରିଥିଲେ। ବାସ୍‌! ଆଉ କୌଣସି ବ୍ୟାଟର ଭଲ ବ୍ୟାଟିଂ କରିପାରିନଥିଲେ। ଦଳ ନିର୍ଦ୍ଧାରିତ ଓଭର ଖେଳି ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା। ସନରାଜର୍ସ ହାଇଦ୍ରାବାଦ ପକ୍ଷରୁ ଉମ୍ରାନ ମଲ୍ଲିକ ୩ଟି ୱିକେଟ ନେଇଥିବାବେଳେ ୱାସିଂଟନ ସୁନ୍ଦର ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ସମ୍ବନ୍ଧିତ ଖବର