ଯୁବ ଏସିଆ କପ୍‌ ସେମିରେ ଭାରତ: ଶେଷ ଲିଗ୍‌ରେ ଆଫ୍‌ଗାନିସ୍ତାନକୁ ୩ ୱିକେଟ୍‌ରେ ହରାଇଲା

ମୋରାତୁୱା: ଯୁବ (୧୯ ବର୍ଷରୁ କମ୍‌) ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ୬ ଥର ବିଜେତା ଭାରତ ସ୍ଥାନ ପକ୍କା କରିଛି। ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍‌ରେ କୁଏତକୁ ଏବଂ ଦ୍ବିତୀୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିଲା। ସୋମବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୩ ୱିକେଟ୍‌ରେ ପରାସ୍ତ କରି ୩ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ସହ ଶୀର୍ଷରେ ରହି ସେମିଫାଇନାଲ୍‌ ଯାଇଛି। ପରାଜୟ ସତ୍ତ୍ବେ ଆଫ୍‌ଗାନିସ୍ତାନ ଗ୍ରୁପ୍‌-ଏର ଦ୍ବିତୀୟ ଦଳ ଭାବେ ସେମିଫାଇନାରେ ପହଞ୍ଚିଛି। ପୂର୍ବରୁ ପାକିସ୍ତାନ ଓ କୁଏତ୍‌କୁ ଆଫଗାନିସ୍ତାନ ହରାଇଥିଲା। ସୋମବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୧୬୩ ରନ୍‌ରେ କୁଏତ୍‌କୁ ହରାଇଛି। ତେବେ ଏହି ଏକମାତ୍ର ବିଜୟ ସହ ପାକିସ୍ତାନ ଗ୍ରୁପ୍‌-ଏ ପଏଣ୍ଟ୍‌ ତାଲିକାରେ ତୃତୀୟ ସ୍ଥାନରେ ରହି ପ୍ରତିଯୋଗିତାରୁ ବିଦାୟ ନେଇଛି।

ଆଫ୍‌ଗାନିସ୍ତାନ ସୋମବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସୁଶାନ୍ତ ମିଶ୍ରା (୫/୨୦), ଅଥର୍ବ ଆଙ୍କୋଲକର (୪/୧୬)ଙ୍କ ବୋଲିଂକୁ ସାମ୍ନା କରି ନ ପାରି ୪୦.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅବ୍‌ଦୁଲ ତାତିୱାଲ ୩୯, ଫରାନ ଜାଖିଲ ୨୯, ସେଦିକୁଲ୍ଲା ଅଟଲ ୨୫ ରନ୍ ଓ ମହମ୍ମଦ ଇସାକ୍‌ ୧୪ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇନଥିଲେ। ଜବାବରେ ଭାରତ ୩୮.୪ ଓଭରରେ ୭ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶାଶ୍ବତ ରାୱତ ୨୯, ସଲିଲ ଅରୋରା ୨୯ ଓ ଅର୍ଜୁନ ଯାଦବ ୨୧ ରନ୍‌ କରିଥିଲା ବେଳେ କରଣ ଲାଲ (୧୩) ଓ ପୂର୍ଣ୍ଣକ ତ୍ୟାଗୀ (୧୧) ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ। ଆଫ୍‌ଗାନିସ୍ତାନ ପକ୍ଷରୁ ନୁର ଅହମ୍ମଦ ୪ ଓ ସାଫିକୁଲ୍ଲା ଘଫାରି ୨ ୱିକେଟ୍‌ ପାଇଥିଲେ। ସୁଶାନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର