ରଣଜୀ ଟ୍ରଫି: ୧୩ ବର୍ଷ ପରେ ଫାଇନାଲ୍‌ରେ ବେଙ୍ଗଲ, କର୍ଣ୍ଣାଟକ ୧୭୪ ରନ୍‌ରେ ପରାସ୍ତ

କୋଲ୍‌କାତା: ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ବେଙ୍ଗଲ ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ରେ ପହଞ୍ଚିଯାଇଛି। ଶେଷଥର ପାଇଁ ୨୦୦୬-୦୭ରେ ଫାଇନାଲ୍‌ ପ୍ରବେଶ କରିଥିବା ବେଙ୍ଗଲ ଏଥି ସହିତ ୧୩ ବର୍ଷ ପରେ ପ୍ରଥମ ଥର ଲାଗି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋ‌ଇଛି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍‌ରେ ଅନୁଷ୍ଠିତ କର୍ଣ୍ଣାଟକ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌କୁ ୪ ଦିନ ମଧ୍ୟରେ ଶେଷକରି ବେଙ୍ଗଲ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ଦ୍ବିତୀୟ ପାଳିରେ ମୁକେଶ କୁମାରଙ୍କ ୬ ୱିକେଟ୍‌ ଦଖଲ ବଳରେ ବେଙ୍ଗଲ ଏହି ମ୍ୟାଚ୍‌ରେ କର୍ଣ୍ଣାଟକକୁ ୧୭୪ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଦେଇଛି।

ପ୍ରଥମ ପାଳିରେ ଅନୁଷ୍ଟୁପ ମଜୁମଦାର (୧୪୯*)ଙ୍କ ଅପରାଜିତ ଶତକ ବଳରେ ୩୧୨ ରନ୍‌ କରିଥିବା ବେଙ୍ଗଲ ଦ୍ବିତୀୟ ପାଳିରେ ୧୬୧ ରନ୍‌ କରିପାରିଥିଲା। ଫଳରେ ଇଶାନ ପୋରେଲ (୫/୩୯), ଆକାଶ ଦୀପ (୩/୩୦) ଓ ମୁକେଶ କୁମାର (୨/୪୬)ଙ୍କ ଘାତକ ବୋଲିଂର ସାମ୍‌ନା କରିନପାରି ପ୍ରଥମ ପାଳିରେ ମାତ୍ର ୧୨୨ ରନ୍‌ କରିଥିବା କର୍ଣ୍ଣାଟକ ସମ୍ମୁଖରେ ୩୫୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାର ପିଛା କରିଥିବା କର୍ଣ୍ଣାଟକକୁ କିନ୍ତୁ ମୁକେଶ କୁମାର (୬/୬୧), ଇଶାନ ପୋରେଲ (୨/୫୮) ଓ ଆକାଶ ଦୀପ (୨/୪୪) ଘାଇଲା କରିଥିଲେ। ଦେବଦତ୍ତ ପାଡିକଲ (୬୨)ଙ୍କ ଅର୍ଧଶତକ ସାଙ୍ଗକୁ ଅଭିମନ୍ୟୁ ମିଥୁନ (୩୮), ରବିକୁମାର ସମର୍ଥ (୨୭) ଓ କୃଷ୍ଣପ୍ପା ଗୌତମ (୨୨)ଙ୍କ ଲଢ଼େଇ ସତ୍ତ୍ବେ କର୍ଣ୍ଣାଟକ ଦ୍ବିତୀୟ ପାଳି ୧୭୭ରେ ସଫା ହୋଇଯାଇଥିଲା। ଅନୁଷ୍ଟୁପ ମଜୁମଦାର (୧୪୯* ଓ ୪୧ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର