ରାଜ୍ୟଗୋଷ୍ଠୀ ଦଳରେ ଦୂତି, ଶ୍ରାବଣୀ: ୧୦୦ ମିଟରରେ ଧନଲକ୍ଷ୍ମୀଙ୍କୁ ସୁଯୋଗ, ଦୂତିଙ୍କୁ ଉପେକ୍ଷା

ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ୩୭ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ତେବେ ଉଭୟଙ୍କୁ ୧୦୦ କିମ୍ବା ୨୦୦ ମିଟର ପରିବର୍ତ୍ତେ କେବଳ ୬ ଜଣିଆ ୪ ଗୁଣା ୧୦୦ ମିଟର ରିଲେ ଦଳରେ ସୁଯୋଗ ମିଳିଛି। ଅନ୍ୟପକ୍ଷରେ ତାମିଲନାଡୁର ଧନଲକ୍ଷ୍ମୀଙ୍କୁ ୧୦୦ ମିଟରରେ ସ୍ଥାନ ମିଳିଥିଲା‌ ବେଳେ ୨୦୦ ମିଟରରେ କୌଣସି ଖେଳାଳି ବଛା ଯାଇନାହାନ୍ତି। ତେବେ ଜାତୀୟ ରେକର୍ଡଧାରିଣୀ ଦୂତିଙ୍କ ପରିବର୍ତ୍ତେ ଧନଲକ୍ଷ୍ମୀଙ୍କୁ ୧୦୦ ମିଟରରେ ସୁଯୋଗ ମିଳିବା ସମସ୍ତଙ୍କୁ ଚକିତ କରିଛି। କାରଣ ଚଳିତବର୍ଷ ଆଶାଜନକ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ଦୂତି ଏବେ ବି ୧୦୦ ମିଟର ମହିଳା ବିଶ୍ବ ମାନ୍ୟତାର ୭୧ତମ ସ୍ଥାନରେ ରହିଛନ୍ତି। ଧନଲକ୍ଷ୍ମୀ କିନ୍ତୁ ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୦୦ ଭିତରେ ବି ନାହାନ୍ତି। ତା’ ଛଡ଼ା ସେ ହେଉଛନ୍ତି ୨୦୦ ମିଟରର ବି‌ଶେଷଜ୍ଞ ଧାବିକା। ଅବଶ୍ୟ ୨୪ତମ ଫେଡେରେସନ୍ କପ୍‌ରେ ସେ ଅଳ୍ପକେ ଦୂତିଙ୍କୁ ଟପି ଯାଇଥିଲେ। ସମ୍ଭବତଃ ଏହା ତାଙ୍କ ସପକ୍ଷରେ ଯାଇଛି। ତଥାପି ଅନ୍ୟ ସମସ୍ତ ପ୍ରଦର୍ଶନ ଏବଂ କୀର୍ତ୍ତିମାନକୁ ଦେଖିଲେ ଧନଲକ୍ଷ୍ମୀଙ୍କୁ କାହିଁକି ଏବଂ କ’ଣ ପାଇଁ ୧୦୦ ମିଟରରେ ନିଆଯାଇଛି, ତାହା ଏକ ବିରାଟ ପ୍ରଶ୍ନ ଭା‌ବେ ଉଭା ହୋଇଛି। ଦୂତି ଓ ଶ୍ରାବଣୀ ଥିବା ରିଲେ ଦୌଡ଼ରେ ଧନଲକ୍ଷ୍ମୀ ସ୍ଥାନ ବଜାୟ ରଖିଥିଲା ବେଳେ ଆସାମର ହିମା ଦାସ, ଏମ୍‌ଭି ଜିନଲା ଏବଂ ସିମି ଏନ୍‌ମଏସ୍ ମଧ୍ୟ ରହିଛନ୍ତି।

ଭାରତୀୟ ଦଳରେ ନୀରଜ ଚୋପ୍ରା, ଡିପି ମନୁ ଓ ରୋହିତ ଯାଦବଙ୍କ ରୂପରେ ୩ ଜଣ ଜାଭଲିନ୍ ତାରକା ରହିଛନ୍ତି। ସେହିଭଳି ୩ ଜଣ ଟ୍ରିପଲ ଜମ୍ପର ଅବଦୁଲା ଆବୁବାକର, ପ୍ରବୀଣ ଚିତ୍ରଭେଲ ଓ ଏଲଡୋସ୍ ପଲ୍ ବି ରହିଛନ୍ତି। ଅନ୍ୟପକ୍ଷରେ ସଟ୍ ପୁଟର ତେଜୀନ୍ଦର ପାଲ ସିଂହଙ୍କୁ ଦଳରେ ସ୍ଥାନ ବଜାୟ ରଖିବା ଲାଗି କାଜାଖସ୍ଥାନ ମିଟ୍‌ରେ ଭଲ କରିବାକୁ ହେବ। ଅନ୍ୟପକ୍ଷରେ ଧାବକ ଅମୋଜ ଜ୍ୟାକବ୍‌ଙ୍କୁ ଭାରତୀୟ ଦଳ ଯିବା ପୂର୍ବରୁ ନିଜ ଫିଟନେସ୍‌ର ପ୍ରମାଣ ଦେବାକୁ ହେବ। ଡିସକପ୍ ଖେଳାଳି ନଭନୀତ କୌର ଢିଲୋଁ, ସୀମା ଆନ୍ତିଲ ପୁନିଆ ଏବଂ ହାମର ଥ୍ରୋୟର୍ ସରିତା ସିଂହଙ୍କୁ କାଜାଖସ୍ଥାନ କିମ୍ବା କାଲିଫର୍ଣ୍ଣିଆ ମିଟ୍‌ରେ ଭଲ କରିବା ପରେ ଯାଇ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିବ। ଚାଲିରେ ଭାବନା ଜାଟ୍‌ଙ୍କୁ ବି ଫିଟନେସର ପ୍ରମାଣ ଦେବାକୁ ହେବ। ଭାରତୀୟ ଦଳ ପୂର୍ବାପେକ୍ଷା ଏଥର ଭଲ କରିବ ବୋଲି ଏଏଫ୍‌ଆଇ ସଭାପତି ଆଦିଲ ସୁମେରିୱାଲା ଦୃଢ଼ ଆଶା ପୋଷଣ କରିଛନ୍ତି। ତା’ ସହ ଦୌଡ଼କୁଦରେ ଆଉ କିଛି କୋଟା ବଢ଼ାଇବାକୁ ପ୍ରୟାସ କରିବା ଲାଗି ଭାରତୀୟ ଅଲିମ୍ପିକ୍ସ ସଂଘକୁ ଅନୁରୋଧ କରିଛନ୍ତି।

ଭାରତୀୟ‌ ଦୌଡ଼କୁଦ ଦଳ: ମହିଳା: ୧୦୦ ମିଟର-ଧନଲକ୍ଷ୍ମୀ, ୧୦୦ ମିଟର ବାଧାଦୌଡ଼-ଜ୍ୟୋତି ୟାର୍ଜି, ସଟ୍ ପୁଟ୍-ମନପ୍ରୀତ କୌର, ଡିସକସ୍-ନଭନୀତ କୌର, ସୀମା ପୁନିଆ, ଜାଭଲିନ୍-ଅନୁ ରାଣୀ, ଶିଳ୍ପା ରାଣୀ, ହାମର ଥ୍ରୋ-ମଞ୍ଜୁବାଳା ଦେବୀ, ସରିତା ସିଂହ, ଲମ୍ବ ଡିଆଁ-ଐଶ୍ବର୍ଯ୍ୟା ବି, ଆନ୍ସି ସୋଜନ୍, ଟ୍ରିପଲ୍ ଜମ୍ପ-ଐଶ୍ବର୍ଯ୍ୟା ବି, ୧୦ କିମି ଚାଲି-ଭାବନା ଜାଟ୍, ପ୍ରିୟଙ୍କା ଗୋସ୍ବାମୀ, ୪ ଗୁଣା ୧୦୦ ମିଟର ରିଲେ-ଧନଲକ୍ଷ୍ମୀ, ହିମା ଦାସ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଜିଲନା ଏମ୍‌ଭି, ସିମି ଏନଏସ୍।
ପୁରୁଷ: ୩୦୦ ମିଟର ଷ୍ଟିପଲଚେଜ୍-ଅଭିନାଷ ସାବ୍‌ଲେ, ମାରାଥନ୍-ନିତେନ୍ଦର ରାୱତ, ସଟ୍ ପୁଟ୍- ତେଜିନ୍ଦର ସିଂହ ତୁର, ଜାଭଲିନ୍ ଥ୍ରୋ-ନୀରଜ ଚୋପ୍ରା, ମନୁ ଡିପି, ରୋହିତ ଯାଦବ, ଲମ୍ବ ଡିଆଁ-ଶ୍ରୀଶଙ୍କର, ମହମ୍ମଦ ଆନିସ୍, ଟ୍ରିପଲ୍ ଜମ୍ପ-ଅବଦୁଲା ଆବୁବାକର, ପ୍ରବୀଣ ଚିତ୍ରଭେଲ, ଏଲଢୋସ୍ ପଲ୍, ୧୦ କିମି ଚାଲି-ସନ୍ଦୀପ କୁମାର, ଅମିତ, ୪ ଗୁଣା ୪୦୦ ମିଟର ରିଲେ-ଅମୋଜ ଜାକବ, ନୋଆ ନିର୍ମଳ ଟମ୍, ଆରୋକିଆ ରାଜୀବ, ମହମ୍ମଦ ଆଜମଲ୍, ନାଗନାଥନ ପଣ୍ଡି, ରାଜେଶ ରମେଶ।

ସମ୍ବନ୍ଧିତ ଖବର