ରୁଟ୍‌ଙ୍କ ଦରମା କୋହଲିଙ୍କଠୁ ଅଧିକ

ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ହେଉଛନ୍ତି ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ଚେହେରା। ସେ ମଧ୍ୟ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଦଳ ଭାରତର ମୁଖିଆ। ତା ସହ ଗତ କିଛି ବର୍ଷ ହେବ କୋହଲି ବିଶ୍ବର ସବୁଠାରୁ ୫୦ ଦାମୀ ଖେଳାଳି ତାଲିକା‌ରେ ସ୍ଥାନ ପାଇ ଆସୁଛନ୍ତି। ଏଣୁ ସମସ୍ତେ ଭାବୁଥିବେ କୋହଲିଙ୍କ କ୍ରିକେଟ୍ ରୋଜଗାର ବିଶ୍ବର ସବୁ କ୍ରିକେଟର୍‌ଙ୍କଠାରୁ ଅଧିକ ଥିବ। ହେଲେ ଏହି ଆକଳନ ଓ ଅନୁମାନ ସଂପୂର୍ଣ୍ଣ ଭୁଲ୍‌। ଅଧିନାୟକ ଭାବେ ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ ଜୋ ରୁଟ୍‌ଙ୍କଠାରୁ କମ୍ ଦରମା ପାଆନ୍ତି ସେ। ଅବଶ୍ୟ କୋହଲିଙ୍କ ମୋଟ ରୋଜଗାର ରୁଟ୍‌ଙ୍କ ରୋଜଗାରର ବହୁଗୁଣ। ମଜାଦାର କଥା ହେଲା କୋହଲିଙ୍କଠାରୁ ରୁଟ୍ ଅଧିକ ଦରମା ନିଅନ୍ତି। ବିସିସିଆଇର ଗ୍ରେଡ୍ ଏ+ରେ ଥିବା କୋହଲି ବାର୍ଷିକ ୭ କୋଟିର ଦରମା ପାଆନ୍ତି। ଅନ୍ୟ ପକ୍ଷରେ ରୁଟ୍‌ଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ବର୍ଷକୁ ୭ ଲକ୍ଷ ପାଉଣ୍ଡ ପଦାନ କରିଥାଏ। ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୭.୨୧ କୋଟି ଟଙ୍କା ହେବ।

ଏପରିକି ଇଂଲଣ୍ଡ ଅଲରାଉଣ୍ଡର ଜୋଫ୍ରା ଆର୍ଚର ବି କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି। ସେପଟେ ଅଷ୍ଟ୍ରେଲିଆ ଟେଷ୍ଟ୍ ଅଧିନାୟକ ୫ କୋଟି, ପାକିସ୍ତାନ ଅଧିନାୟକ ବାବର ଆଜମ ଓ ଶ୍ରୀଲଙ୍କା ଟେଷ୍ଟ୍ ଅଧିନାୟକ ଦିମୁଥ କରୁଣାରତ୍ନେ ଟେଷ୍ଟ୍ ଖେଳୁଥିବା ଅନ୍ୟ ୮ ଦଳର ଅଧିନାୟକଙ୍କଠାରୁ ଢେର କମ୍ ଦରମା ପାଆନ୍ତି। ଆଜମ ଓ କରୁଣାର‌ତ୍ନେ ଯଥାକ୍ରମେ ୬୨ ଓ ୫୧ ଲକ୍ଷ ଟଙ୍କାର ଦରମା ନିଅନ୍ତି। କୋହଲି କିନ୍ତୁ କେବଳ ଆଇପିଏଲ୍‌ରୁ ୧୭ କୋଟି ରୋଜଗାର କରନ୍ତି। ବିଜ୍ଞାପନ ଆୟକୁ ମିଶାଇ ତାଙ୍କର ବାର୍ଷିକ ଆୟ ୧୬୦ କୋଟି ଟଙ୍କାରୁ ଅଧିକ। ଗତବର୍ଷ ୨୬ ନିୟୁତ ଡଲାର ରୋଜଗାର ସହ ଫୋର୍ବସ ଧନୀ ଖେଳାଳି ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ ସେ।

ସମ୍ବନ୍ଧିତ ଖବର