ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ, ୨୦୨୧ ପର୍ଯ୍ୟନ୍ତ ‌ପ୍ରଶିକ୍ଷକ ରହିବେ

ମୁମ୍ବାଇ: ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଭାରତରେ ଖେଳାଯିବାକୁ ଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ପ୍ରଶିକ୍ଷକ ଚୟନ ପାଇଁ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ଶୁକ୍ରବାର ସଂଧ୍ୟାରେ ଆଶାଜନକ ଭାବେ ଶାସ୍ତ୍ରୀଙ୍କ ନାଁ ଘୋଷଣା କରିଛି। ପ୍ରଶିକ୍ଷକ ଚୟନର ସଂକ୍ଷିପ୍ତ ତାଲିକାରେ ଥିବା ଆଶାୟୀଙ୍କ ସାକ୍ଷାତକାର ନେବା ପରେ ସିଏସି ‌ଶେଷରେ ତାଙ୍କୁ ରଖିବାକୁ ନିଷ୍ପତ୍ତି ନେଇଛି। ସଂକ୍ଷିପ୍ତ ତାଲିକାରେ ପୂର୍ବରୁ ୬ ଜଣ ଥିଲେ। ହେଲେ ଶେଷ ମୁହୂର୍ତରେ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ତଥା ପ୍ରଶିକ୍ଷକ ଫିଲ୍ ସିମନ୍ସ ଓହରି ଯାଇଥିଲେ। ଫଳରେ ଶାସ୍ତ୍ରୀଙ୍କ ସହ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହେସନ୍, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରବନ୍ଧକ ଲାଲଚାନ୍ଦ ରାଜପୁତ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ରବିନ ସିଂହ ଓ ଶ୍ରୀଲଙ୍କାର ପୂର୍ବତନ ପ୍ରଶିକ୍ଷକ ଟମ୍ ମୁଡି ଦୌଡ଼ରେ ରହିଥିଲେ। ଶୁକ୍ରବାର ସିଏସିର ତିନି ସଦସ୍ୟ କପିଳ ଦେବ, ଶାନ୍ତା ରଙ୍ଗସ୍ବାମୀ ଓ ଅଂଶୁମାନ ଗାଏକ୍ବାଡ୍ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ କରିଥିଲେ। ରାଜପୁତ, ହେସନ ଓ ରବିନ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷାତକାର ଦେଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜରେ ଥିବା ଶାସ୍ତ୍ରୀ ଓ ମୁଡି ଭିଡିଓ କନଫରେନ୍ସିଂ ଜରିଆରେ ସାକ୍ଷାତକାର ଦେଇଥିଲେ। ଶେଷରେ ଶାସ୍ତ୍ରୀ ହିଁ ବାଜି ମାରି ନେଇଥିଲେ। ଦୀର୍ଘ ସମୟ ଧରି ଭାରତୀୟ ଦଳର ପ୍ରଶିକ୍ଷକ ରହିବା ସହ ଅଧିନାୟକ ବିରାଟ କୋହଲିଙ୍କ ଦୃଢ଼ ସମର୍ଥନ ତାଙ୍କ ସପକ୍ଷରେ ଯାଇଥିଲା। ପ୍ରଶିକ୍ଷଣ ଦର୍ଶନ, ଅଭିଜ୍ଞତା, ସଫଳତା, ଭାବ ଆଦାନ ପ୍ରଦାନ ଓ ଆଧୁନିକ ପ୍ରଶିକ୍ଷଣ ପଦ୍ଧତି କୌଶଳକୁ ମାନଦଣ୍ଡ ରଖା ଯାଇ ପ୍ରତ୍ୟେକଙ୍କୁ ନମ୍ବର ଦିଆଯାଇଥିଲା। ଏଥିରେ ଶାସ୍ତ୍ରୀ ପ୍ରଥମ ସ୍ଥାନରେ ରହିଥିଲେ। ହେସନ୍ ଓ ମୁଡି ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୭ରେ ଭାରତର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିଥିବା ୫୭ ବର୍ଷୀୟ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ବକପ୍ ପରେ ପରେ ଶେଷ ହୋଇ ଯାଇଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଆଖି ଆଗରେ ରଖି ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ୪୫ ଦିନ ବଢ଼ାଇ ନୂଆ ପ୍ରଶିକ୍ଷକ ପାଇଁ ଆବେଦନ ପତ୍ର ଆହ୍ବାନ କରିଥିଲା। ଏଥିଲାଗି ପାଖାପାଖି ୨,୦୦୦ ଆବେଦନ ପତ୍ର ମିଳିଥିଲା। ସେଥିମଧ୍ୟରୁ ୬ ଜଣିଆ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରି ସିଏସି ସାକ୍ଷାତକାର ପାଇଁ ଡାକିଥିଲା। ଶାସ୍ତ୍ରୀ ଭାରତ ପକ୍ଷରୁ ୮୦ ଟେଷ୍ଟ ଏବଂ ୧୫୦ ଦିନିକିଆ ଖେଳିଛନ୍ତି। ୨୦୧୪ରୁ ୧୬ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ନିର୍ଦେଶକ ଥିଲେ। ଏହା ପୂର୍ବରୁ ୨୦୦୭ରେ ଭାରତୀୟ ଦଳର ବାଂଲାଦେଶ ଗସ୍ତରେ ଦଳୀୟ ପ୍ରବନ୍ଧକ ଥିଲେ। ୨୦୧୭ ପରଠାରୁ ସେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି। ଶାସ୍ତ୍ରୀ ଢେର ସମୟ ହେବ ଦଳ ସହ ଅଛନ୍ତି। ସେ ପ୍ରତ୍ୟେକ ଖେଳାଳିଙ୍କୁ ଭଲ ଭାବରେ ଚିହ୍ନିଛନ୍ତି। ଦଳର ଦୋଷ, ଦୁର୍ବଳତାକୁ ଜାଣିଛନ୍ତି। ଏଥିଲାଗି ତାଙ୍କ ପାଖରେ ଯୋଜନା ମଧ୍ୟ ଅଛି ବୋଲି ନୂଆ ପ୍ରଶିକ୍ଷକଙ୍କ ନାଁ ଘୋଷଣା ବେଳେ ଗାଏକ୍ବାଡ୍ କହିଛନ୍ତି। ହେସନ୍, ମୁଡି ଓ ଶାସ୍ତ୍ରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶାସ୍ତ୍ରୀଙ୍କୁ ବାଛିବା ପାଇଁ ଆମେ କୋହଲିଙ୍କ ପରାମର୍ଶ ନେଇ ନଥିଲୁ। ଏହା ଆମର ନିଜସ୍ବ ଚୟନ ବୋଲି କପିଳ କହିଥିଲେ।

ସମ୍ବନ୍ଧିତ ଖବର