‘ସଚିନ-ସୌରଭ’ ଯୋଡ଼ିକୁ ଆଇସିସିର ସଲାମ

Greetings from the ICC to the Sachin-Sourav duo

ଦୁବାଇ: ଦୁଇ ମହାନ ଭାରତୀୟ ତାରକା ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କୁ ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ଦିନିକିଆ ପ୍ରାରମ୍ଭିକ ଯୋଡ଼ିର ମାନ୍ୟତା ମିଳେ। ଉଭୟଙ୍କୁ ‘ସୋଲେ’ ଚଳଚ୍ଚିତ୍ରର ଜୟ-ବୀରୁଙ୍କ ସହ ତୁଳନା କରାଯାଏ। ମଙ୍ଗଳବାର ଆଇସିସି ମଧ୍ୟ ଏମାନଙ୍କ ସେହି ସ୍ବର୍ଣ୍ଣିମ ଭାଗୀଦାରିକୁ ମନେ ପକାଇଛି। ଟ୍ବିଟ୍ କରି ଉଭୟଙ୍କ ଫଟୋ ପ୍ରକାଶ କରିବା ସହ ସେମାନଙ୍କ ଭାଗୀଦାରିର ପରିସଂଖ୍ୟାନକୁ ତା’ ସହ ସଲଗ୍ନ କରିଛି। ସଚିନ ମଧ୍ୟ ଆଇସିସି ଟ୍ବିଟର ଉତ୍ତର ରଖି ଦାଦିଙ୍କ ସହ ଭାଗୀଦାରି ମନେ ପଡ଼ିଗଲା ବୋଲି କୁହନ୍ତି। ତା’ ସହ ଦୁଇଟି ନୂଆ ବଲ୍ ଏବଂ ରିଙ୍ଗ୍ ବାହାରେ ମାତ୍ର ୪ ଜଣ କ୍ଷେତ୍ରରକ୍ଷକ ନିୟମ ଥିଲେ ଆମେ ଆଉ କେତେ ରନ୍ କରି ଥାଆନ୍ତୁ ବୋଲି ଭାବୁଛନ୍ତି ବୋଲି ଆଇସିସିକୁ ସଚିନ ଥଟ୍ଟା କରି ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ସୌରଭ କହିଥିଲେ ଯେ ସମ୍ଭବତଃ ଆଉ ୪,୦୦୦ କିମ୍ବା ତା’ଠାରୁ ଅଧିକ। ଦୁଇଟି ନୂଆ ବଲ୍ ବହୁତ ବଢ଼ିଆ, ପ୍ରଥମ ଓଭର କଭର ଡ୍ରାଇଭରେ ବଲ୍ ସୀମା ରେଖା ବାହାରକୁ ଗଲା ଭଳି ଲାଗୁଛି। ବଳକା ୫୦ ଓଭର…..।

ସମଗ୍ର ବିଶ୍ବ ସୌରଭଙ୍କୁ ପ୍ରିନ୍ସ ଅଫ୍ କୋଲକାତା, ମହାରାଜା, ଦାଦା ବୋଲି ଡାକୁଥିଲା ବେଳେ ସଚିନ ତାଙ୍କୁ ସ୍ନେହରେ ଦାଦି ବୋଲି ଡାକନ୍ତି। ସୂଚନାଯୋଗ୍ୟ ଯେ ସଚିନ-ସୌରଭ ପରସ୍ପର ସହ ୧୭୬ ଦିନିକିଆ ଭାଗୀଦାରି କରିଥିଲା ବେଳେ ସର୍ବାଧିକ ୮୨୨୭ ରନ୍ କରିଛନ୍ତି। ସେଥିମଧ୍ୟରୁ ପ୍ରାରମ୍ଭିକ ଯୋଡ଼ି ଭାବେ ସେମାନେ ୨୧ ଶତକ ଓ ୨୩ ଅର୍ଧଶତକ ସହ ୬୬୦୯ ରନ୍ କରିଛନ୍ତି। ଉଭୟଙ୍କ ରନ୍ ସଂଗ୍ରହ ହାର ୪୭.୫୫ ରହିଛି। ଆଇସିସି ଏହାକୁ ସମ୍ମାନ ଜଣାଇବା ସହ ଦିନିକିଆରେ ଅନ୍ୟ କୌଣସି ଯୋଡ଼ି ୬,୦୦୦ରୁ ଅଧିକ ରନ୍ ଟପି ନାହାନ୍ତି ବୋଲି ଲେଖିଛି।

ସମ୍ବନ୍ଧିତ ଖବର