ସର୍ଫରାଜ କ୍ଷମା ମାଗିଲେ, ଜାତିଆଣ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଥିଲେ

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଆନ୍ଦିଲ ଫେଲୁକ୍ବାଓଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଶେଷରେ କ୍ଷମା ମାଗିଛନ୍ତି। ମଙ୍ଗଳବାର ଡର୍ବାନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆ ଅବସରରେ ଫେଲୁକ୍ବାଓଙ୍କ ରଙ୍ଗକୁ ନେଇ ସର୍ଫରାଜ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। ସେ ମଧ୍ୟ ଫେଲୁକ୍ବାଓଙ୍କ ମା’ଙ୍କୁ ଆକ୍ଷେପ କରିଥିଲେ। ଷ୍ଟମ୍ପ ମାଇକ୍ରୋଫୋନରେ ତାଙ୍କ କଥା ଧରା ପଡ଼ିବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖାତାରଙ୍କ ସହ ବହୁ ପୂର୍ବତନ ଖେଳାଳି ସର୍ଫରାଜଙ୍କ ଏଭଳି ଆଚରଣକୁ ନିନ୍ଦା କରିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ନିଜ ଅଧିନାୟକଙ୍କ ଅଶୋଭନୀୟ ଆଚରଣ ନେଇ ଦୁଃଖ ପ୍ରକାଶ କରିଥିଲା। ଆଇସିସି ବି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଥିଲା। ଏହା ପୂର୍ବରୁ କିନ୍ତୁ ସର୍ଫରାଜ ନିଜ କଲା କର୍ମ ପାଇଁ ପଶ୍ଚାତାପ କରିବା ସହ ନିଃସର୍ତ୍ତ କ୍ଷମା ମାଗି ନେଇଛନ୍ତି। ଫେଲୁକ୍ବାଓ ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାନ୍‌ଡର ଡସେନ ଷଷ୍ଠ ୱିକେଟ୍‌ରେ ୧୨୭ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେବା ପରେ ଏଥିରେ ଉତକ୍ଷିପ୍ତ ହୋଇ ସର୍ଫରାଜ ତାଙ୍କୁ ଗାଳିଗୁଲଜ କରିଥିଲେ। ସେ କହିଥିଲେ ହଇରେ କାଳିଆ, ତୋ ମା’ ଆଜି କୋଉଠି ବସିଛି। ତୋ ପାଇଁ ସେ ଆଜି କେମିତି ପ୍ରାର୍ଥନା କରିଛି?

ସମ୍ବନ୍ଧିତ ଖବର