ସୁଶୀଲ କୁମାରଙ୍କୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ଟିକେଟ

ନୂଆଦିଲ୍ଲୀ: ସଂଘର୍ଷରତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଶେଷରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ଟିକେଟ ମିଳିଯାଇଛି। ଭାରତର ଏକମାତ୍ର ଯୁଗଳ ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ମଙ୍ଗଳବାର ୭୪ କେଜି ଫାଇନାଲ୍‌ରେ ଜିତେନ୍ଦ୍ର କୁମାରଙ୍କୁ ୪-୨ରେ ପରାସ୍ତ କରିବା ପରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିନେଲେ। ଏହି ଲଢ଼େଇ ବେଳେ ସୁଶୀଲ ଜାଣିଶୁଣି ଆକ୍ରମଣାତ୍ମକ ପନ୍ଥାକୁ ଆପଣେଇ ଥିଲେ ଏବଂ ଜିତେନ୍ଦ୍ରଙ୍କ ଆଖିକୁ ଆଘାତ ଦେଇଥିଲେ ବୋଲି ଜିତେନ୍ଦ୍ରଙ୍କ ପ୍ରଶିକ୍ଷକ ଜୟବୀର ଅଭିଯୋଗ କରିଥିଲେ। ହେଲେ ସୁଶିଲ ଏହାକୁ ଖଣ୍ଡନ କରିବା ସାଙ୍ଗକୁ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ୍‌ ଭୂଷଣ ଶରନ ସିଂହ ମଧ୍ୟ ତାଙ୍କୁ ସମର୍ଥନ ଦେଇଥିଲେ। ତେବେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଟିକେଟ ହାସଲ କରିବା ନିମନ୍ତେ ଜିତେନ୍ଦ୍ରଙ୍କ ପାଇଁ ସୁଯୋଗ ରହିଥିବା ଫେଡେରେସନ୍‌ କହିଛି। ଫେଡେରେସନ୍‌ ତାଙ୍କୁ ୭୯ କେଜି ବର୍ଗରେ ଟିକେଟ ହାତେଇବା ପାଇଁ ବିକଳ୍ପ ଛାଡ଼ିଛି। ଏଥିପାଇଁ ତାଙ୍କୁ ଭିର୍ଦେଭ୍‌ ଗୁଲିଆଙ୍କ ସହ ଲଢ଼ିବାକୁ ପଡ଼ିବ ବୋଲି ଫେଡେରେସନ୍‌ କହିଛି।

ସମ୍ବନ୍ଧିତ ଖବର