ସେଞ୍ଚୁରିଅନ୍ ଟେଷ୍ଟ୍‌: ପାକିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌: ସୁପରସ୍ପୋର୍ଟ ପାର୍କରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ୍ ମ୍ୟାଚ୍‌ ଅଢ଼େଇ ଦିନରେ‌ ଶେଷ ହୋଇଯାଇଛି। ପ୍ରଥମ ଦୁଇ ଦିନରେ ୩୦ ୱିକେଟର ପତନ ଘଟିଥିଲେ ମଧ୍ୟ ତୃତୀୟ ଦିନ ସେଭଳି କିଛି ବିପର୍ଯ୍ୟୟ ଘଟିନଥିଲା। ଫଳରେ ୧୪୯ ରନ୍ ବିଜୟ ଲକ୍ଷ୍ୟକୁ ଘରୋଇ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ସଂଗ୍ରହ କରି ନେଇଥିଲା। ମ୍ୟାଚ୍‌ରେ ମୋଟ ୧୧ ୱିକେଟ୍ ନେଇଥିବା ଡୁଆନ୍ ଓଲିଭର (୧୧/୯୬) ଶ୍ରେଷ୍ଠ ଖେଳାଳି ବ‌ିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗ୍ରଣୀ ହୋଇଛି। ଶୁକ୍ରବାର ସକାଳେ ହିଁ ୧୪୯ ରନ୍‌କୁ ପଶ୍ଚାତଧାବନ କରିଥିବା ଫାପ୍ ଡୁ ପ୍ଲେସିସଙ୍କ ଦକ୍ଷିଣ ଆଫ୍ରିକା ଦଳ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଡିନ୍ ଏଲଗାର (୫୦, ୧୨୩ ବଲ, ୧୦ ଚୌକା) ଏବଂ ୩ ନମ୍ବର ହାସିମ୍ ଆମଲା (୬୩*, ୧୪୮ ବଲ, ୧୧ ଚୌକା)ଙ୍କ ଅର୍ଧଶତକ ବଳରେ ବିଜୟକୁ ଅନାୟାସରେ ହାତେଇ ନେଇଥିଲା। ମଧ୍ୟାହ୍ନ ଭୋଜନ ପରେ ୩ ୱିକେଟ୍ ହରାଇଥିଲେ ମଧ୍ୟ ହାସିମ୍ ଆମଲାଙ୍କ ଅପରାଜିତ ପାଳି ଯଥେଷ୍ଟ ହୋଇଥିଲା। ଦ୍ବିତୀୟ ଟେଷ୍ଟ୍‌ କେପ୍‌ ଟାଉନ୍‌ରେ ଜାନୁଆରି ୩ ତାରିଖରୁ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୧୮୧ (ବାବର ଆଜମ-୭୧, ଡୁଆନ୍ ଓଲିଭର-୬/୩୭, କାଗିସୋ ରାବାଦା-୩/୫୯, ଡେଲ୍ ଷ୍ଟେନ୍‌-୧/୬୬)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୨୩ (ତେମ୍ବା ବାଭୁମା-୫୩, କ୍ୟୁଣ୍ଟନ୍ ଡି’କକ୍‌-୪୫, ମହମ୍ମଦ ଆମିର-୪/୬୨, ସାହିନ୍ ସାହା ଆଫ୍ରିଦି-୪/୬୪, ହାସନ୍ ଅଲୀ-୨/୭୦)। ପାକିସ୍ତାନ ଦ୍ବିତୀୟ ପାଳି: ୧୯୦ (ସାନ୍ ମାସୁଦ-୬୫, ଇମାମ୍ ଉଲ୍ ହକ୍‌-୫୭, ଡୁଆନ୍ ଓଲିଭର-୫/୫୯, କାଗିସ‌ୋ ରବାଦା-୩/୪୭, ଡେଲ୍‌ ଷ୍ଟେନ୍‌-୨/୩୪)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୫୦.୪ ଓଭରରେ ୧୫୧/୪ (ଡିନ୍ ଏଲଗାର-୫୦, ହାସିମ୍ ଆମଲା-୬୫*, ତେମ୍ବା ବାଭୁମା-୧୩*, ସାନ୍ ମାସୁଦ-୧/୬, ୟାସିର ସାହା-୧/୨୦, ହାସନ୍ ଅଲୀ-୧/୩୯, ସାହିନ୍ ସାହା ଆଫ୍ରିଦି-୧/୫୩)।

ସମ୍ବନ୍ଧିତ ଖବର