ସୌରଭଙ୍କୁ ଧରାଶାୟୀ କରି ସତ୍ୟବ୍ରତ ସେମିରେ

ସର୍ବଭାରତୀୟ ମିଶ୍ରିତ ସାମରିକ କଳା

ଭୁବନେଶ୍ୱର: ଓଡ଼ିଶା ପଦାର୍ପଣ ସହିତ ସର୍ବଭାରତୀୟ ମିଶ୍ରିତ ସାମରିକ କଳା କ୍ରୀଡ଼ା (ଏଆଇଏମ୍‌ଏମ୍‌ଏ)ରେ ଓଡ଼ିଆଙ୍କ ପ୍ରଦର୍ଶନ ମଧ୍ୟ ପ୍ରଷ୍ଫୁଟିତ ହୋଇଛି। ଓଡ଼ିଆ ଯୋଦ୍ଧା ସତ୍ୟବ୍ରତ ବେହୁରିଆ ୫୬.୭ କିଲୋଗ୍ରାମ ଫ୍ଳାଏେଓ୍ଵଟ୍‌ କ୍ୱାର୍ଟରଫାଇନାଲ୍‌ରେ ଛତିଶଗଡ଼ର ସୌରଭ ଦାହାରିଆଙ୍କୁ ପ୍ରଥମ ରାଉଣ୍ଡ୍‌ରେ ହିଁ ଧରାଶାୟୀ କରି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଥିଲେ। ସୌରଭଙ୍କୁ ଧରାଶାୟୀ କରି ସତ୍ୟବ୍ରତ ନିଜ କବ୍‌ଜାରେ ରଖିବାରୁ ପ୍ରଥମ ରାଉଣ୍ଡ୍‌ ଶେଷ ହେବା ପୂର୍ବରୁ ହିଁ ଏହି ଲଢ଼େଇକୁ ରୋକିବାକୁ ପଡ଼ିଥିଲା। ଶନିବାର ସେମିଫାଇନାଲ୍‌ ଖେଳିବେ ସତ୍ୟବ୍ରତ। ଶୁକ୍ରବାର ସଂଧ୍ୟାରେ ଏହି ଲଢ଼େଇର ଠିକ୍‌ ପୂର୍ବରୁ ଘରୋଇ ଦର୍ଶକଙ୍କୁ କିନ୍ତୁ ବେଶ ରୋମାଞ୍ଚ କରିଥିଲେ ଶିବରାମ ନାୟକ। ଭଞ୍ଜନଗର ଯୁବକ ଶିବରାମ ଫ୍ଲାଏେଓ୍ଵଟ୍‌ର ଏକ କ୍ୱାର୍ଟରଫାଇନାଲ୍‌ରେ କର୍ଣ୍ଣାଟକର ଶୁଭମ ଦାସଙ୍କୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ତୃତୀୟ ତଥା ଶେଷ ରାଉଣ୍ଡ୍‌ର ଶେଷ ମିନିଟ୍‌ରେ ଶୁଭମଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ପ୍ରଥମ ବିଜୟରେ କିନ୍ତୁ ଖୁସୀ ଜାହିର କରିଛନ୍ତି ସତ୍ୟବ୍ରତ। ପ୍ରଥମ ମୁକାବିଲାକୁ ମୁଁ ଏତେ ଶୀଘ୍ର ଜିତିବି ବୋଲି ଆଶା କରି ନ ଥିଲି। ମୋତେ ସେ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଚାହିଁଥିଲା, ଗ୍ରାପ୍‌ଲର୍‌ ହୋଇଥିବାରୁ ମୋତେ ଜିତିବା ସହଜ ହେଲା ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଥିଲେ କେନ୍ଦ୍ରାପଡ଼ା ଓଳାବର ନିକଟସ୍ଥ ସିଓପଡ଼ାର ୨୨ ବର୍ଷୀୟ ସତ୍ୟବ୍ରତ। ବାଙ୍ଗାଲୋର୍‌ର ଇଣ୍ଡିଆନ୍‌ କମ୍ପାଟ ସ୍ପୋର୍ଟସରେ ମୁଁ ୩ ସପ୍ତାହର ପ୍ରସ୍ତୁତି କରି ଆସିଛି। ପ୍ରଥମ ଥର ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବାରୁ ବହୁତ ଖୁସୀ ବୋଲି କହିଥିଲେ ସତ୍ୟବ୍ରତ।


ଶୁକ୍ରବାର ଉତ୍କଳ କରାଟେ ସ୍କୁ୍‌ଲ ପରିସରରେ ଉଦ୍‌ଘାଟିତ ତୃତୀୟ ସର୍ବଭାରତୀୟ ସାମରିକ କଳା ପ୍ରତିଯୋଗିତା ଅବସରରେ ସର୍ବଭାରତୀୟ ସମ୍ପାଦକ ପ୍ରସାଦ ଗାଏଟୋଣ୍ଡେ କହିଥିଲେ ବିଶ୍ୱରେ ଏହି ଖେଳ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି। ବିଗତ ୮/୧୦ ବର୍ଷ ହେବ ଭାରତକୁ ଆସିବା ପରେ ମଧ୍ୟ ଏହା ଯୁବ ବର୍ଗକୁ ଆକର୍ଷିତ କରିଛି। ତୃତୀୟ ସଂସ୍କରଣ ସର୍ବଭାରତୀୟ ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଥିବାରୁ ଆମେ ଖୁସୀ। ଏଠାରୁ ବିଶ୍ୱ ପ୍ରତିଯୋଗିତା ଯିବାର ସୁଯୋଗ ମଧ୍ୟ ରହିଛି। ଏହି ଖେଳକୁ ଭାରତରେ କ୍ରିକେଟ୍‌ ଭଳି ଲୋକପ୍ରିୟ କରାଇବା ଆମ ଲକ୍ଷ୍ୟ। କିନ୍ତୁ ଲୋକମାନେ ଏହାକୁ ପ୍ରଥମେ ଗ୍ରହଣ କରିବା ପରେ ଆମେ ଏହାର ସ୍ୱୀକୃତି ପ୍ରସଙ୍ଗରେ ଆଗକୁ ବଢ଼ିବୁ ବୋଲି ପ୍ରସାଦ ପ୍ରକାଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ପ୍ରିୟଦର୍ଶି ମିଶ୍ର, ଏଆଇଏମ୍‌ଏମ୍‌ଏ ସହ ପ୍ରତିଷ୍ଠାତା ସେନସାଇ ଆଲାନ ଫର୍ନାଣ୍ଡିଜ୍‌, କାର୍ଯ୍ୟକାରୀ ସମିତି ସଭାପତି ସିହାନ୍‌ ସରିଫ୍‌ ବାପୁ, ସମ୍ପାଦକ ପ୍ରସାଦ ଗୋଇଟୋଣ୍ଡେ, ଗୌରୀ ମହାନ୍ତି, ରୋମିଓ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ ଦିନର ଅନ୍ୟ ମୁକାବିଲାଗୁଡ଼ିକରେ ୫୨ କିଲୋଗ୍ରାମ୍‌ରୁ କମ୍‌ ବର୍ଗରେ ଓଡ଼ିଶାର ସୁରଜ ଆଲିସା, ଯୋଗେନ୍ଦ୍ର ଧୃବ, ତେଲେଙ୍ଗାନାର ମେହବୁବ୍‌ ଖାନ୍‌, ଛତିଶଗଡ଼ର ଦୀପ୍‌ ତଉଲିଆ ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେହିଭଳି ୫୬ କିଲୋଗ୍ରାମରେ ଛତିଶଗଡ଼ର ରାଜପୁତ କପୁର, ମେହେଲ ରାଣା, କର୍ଣ୍ଣାଟକର ଶୁଭମ୍‌ ଦାସ, ଓଡ଼ିଶାର ସତ୍ୟବ୍ରତ ବେଉରିଆଏବଂ ୬୧ କିଲୋଗ୍ରାମ୍‌ରୁ କମ୍‌ରେ ଛତିଶଗଡ଼ର ଭାନୁ ପ୍ରତାପ, ଅରିଜ୍‌ ଅହମ୍ମଦ, ତେଲେଙ୍ଗାନାର ସୟଦ ଓମାର, ବିହାରର ଧୀରାଜ କୁମାର ପ୍ରମୁଖ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର