ସ୍କୁଲ୍‌ ବେଳେ ଅଗରକରଙ୍କୁ ଗ୍ଲୋବ୍ସ ଦେଇଥିଲେ ସଚିନ

Tendulkar gave Agarkar gloves when he was in school

ମୁମ୍ବାଇ: ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର କେବଳ ଜଣେ ବୋଲର ନୁହେଁ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବରେ ମଧ୍ୟ ଜଣାଶୁଣା। ସେ ଦ୍ରୁତତମ ୫୦ ଦିନକିଆ ୱିକେଟ୍‌ ନେଇଥିଲା ବେଳେ ୩ ଅର୍ଧଶତକ ମଧ୍ୟ ହାସଲ କରିଥିଲେ। ଏଥି ସହ ସେ ଟେଷ୍ଟ୍‌ରେ ଗୋଟିଏ ଶତକ (ଇଂଲଣ୍ଡ ବିପକ୍ଷ ୧୦୯*) ମଧ୍ୟ ହାସଲ କରିଛନ୍ତି। ଏହି ମୁମ୍ବାଇ ତାରକା ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଅତି ଘନିଷ୍ଠ ଥିଲେ। ‌ରମାକାନ୍ତ ଆଚ୍ରେକରଙ୍କ ନିକଟରେ ସଚିନଙ୍କ ସହ ସେ ମଧ୍ୟ ପ୍ରଶିକ୍ଷଣ ନେଉଥିଲେ। ସଚିନ ଓ ସେ ଗୋଟିଏ ସ୍କୁଲ୍‌ରେ ପଢ଼ୁଥିଲେ। ସେହି ସମୟରେ ସଚିନ ତାଙ୍କୁ ଏକ ଗ୍ଲୋବ୍‌ସ ଦେଇଥିଲେ ବୋଲି ଆକାଶ ଚୋପ୍ରାଙ୍କ ସହ ୟୁଟ୍ୟୁବ ସୋ’ରେ କଥାବର୍ତ୍ତା ବେଳେ ଅଗରକର କହିଛନ୍ତି।

ଏହି ସୋ’ରେ ଅଗରକରଙ୍କୁ ଆକାଶ ଚୋପ୍ରା ପଚାରିଥିଲେ ତୁମକୁ କାହିଁକି ମୁମ୍ବାଇ କ୍ରିକେଟ୍‌ର “ପରବର୍ତ୍ତୀ ତେନ୍ଦୁଲକର” କୁହାଯାଉଥିଲା। ସତରେ ଆରମ୍ଭରୁ ମୁଁ ବ୍ୟାଟ୍ସମ୍ୟାନ୍ ହେବାକୁ ଚାହୁଁଥିଲି। ସ୍କୁଲରେ ଭଲ ସ୍କୋର୍‌ କରୁଥିଲି। ସଚିନ ଯେଉଁ ସ୍କୁଲ୍‌ରେ ପଢୁଥିଲେ ମୁଁ ସେହି ସ୍କୁଲ୍‌ର ପଢୁଥିଲି। ରମାକାନ୍ତ ସାର୍‌ ଆମ ଦୁଇ ଜଣଙ୍କ ପ୍ରଶିକ୍ଷକ ମଧ୍ୟ ଥିଲେ। ସାର୍‌ ମୋ ଭିତରେ ନିଶ୍ଚୟ କିଛି ଦେଖିଥିବେ ବୋଲି ଏହାର ଉତ୍ତରରେ ୪୨ ବର୍ଷୀୟ ଅଗରକର କହିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ସଚିନ ଭଲ ବ୍ୟାଟ୍ସମ୍ୟାନ୍‌ ହୋଇ ପାରିଥିଲେ। ତାଙ୍କ ପୂର୍ବରୁ ପ୍ରବୀଣ ଆମ୍ରେଙ୍କ ସହ ଅନେକ ସାର୍‌ଙ୍କ ଏକାଡେମିରୁ ବାହାରି ଭଲ ଭଲ ପ୍ରଦର୍ଶନ କରିଥିଲେ। ମୁଁ ଭଲ ରନ୍ କରୁଥିବାରୁ ବାହାରେ ଆଲୋଚନା ହେଉଥିଲା ମୁମ୍ବାଇର ଆଉ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ବାହାରି ପାରନ୍ତି। ସେତେବେଳେ ମୋତେ ୧୬ ବର୍ଷ ହୋଇଥିଲା। ମୁଁ କିପରି ଭଲ ଖେଳି ଜାତୀୟ ଦଳରେ ସ୍ଥାନ ପାଇବା ଚିନ୍ତାରେ ଥିଲି। ଏବର ସମୟ ଭଳି ସେତେବେଳେ ଏତେଟା ସୁବିଧା ନଥିଲା। ୧୬ ବର୍ଷ ବୟସରେ ତୁମେ ଭଲ ଖେଳିଲେ ଆଇପିଏଲ୍‌ ସୁଯୋଗ। ରୋଜଗାର ସହ ଜାତୀୟ ଦଳରେ ସୁଯୋଗ ମଧ୍ୟ ମିଳିଯାଉଛି ବୋଲି ଅଗରକର କହିଛନ୍ତି। ସଚିନ‌ ମୋତେ ଗ୍ଲୋବ୍‌ସ ଦେଇଥିଲେ। ଆମେ ସମାନ ସ୍କୁଲର ଥିଲୁ। ସଚିନ ଭାବୁଥିଲେ କେହି ଜଣେ ଭଲ ପ୍ରଦର୍ଶନ କଲେ ଗ୍ଲୋବ୍ସ ଦେବି। ମୁଁ ଭଲ ପ୍ରଦର୍ଶନ କରିଥିବାରୁ ମୋତେ ଗ୍ଲୋଭସ୍ ଦେଇଥିଲେ। ମୁଁ ସେତେବେଳେ ତାଙ୍କୁ ଭଲଭାବେ ଜାଣି ନଥିଲି। ତାଙ୍କ ପ୍ୟାଡ୍ ବ୍ୟବହାର ମଧ୍ୟ କରି ନ ଥିଲି। ଯଦି ତାଙ୍କ ପ୍ୟାଡ୍ ବ୍ୟବହାର କରିଥା’ନ୍ତି, ହୁଏତ ମୁଁ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ହୋଇପାରିଥାନ୍ତି ବୋଲି ଅଗରକର କହିଛନ୍ତି।

ସମ୍ବନ୍ଧିତ ଖବର