ସ୍ମିଥ୍ ସର୍ବଦା ‘ଠକ’ ଭାବେ ମନେ ରହିବେ: ହାର୍ମିସନ୍‌

ମା‌ଞ୍ଚେଷ୍ଟର୍‌: ଚଳିତ ଆସେସ୍ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ଷ୍ଟିଭ୍ ସ୍ମିଥ୍ ଚାରିଆଡୁ ପ୍ରଶଂସା ପାଉଛନ୍ତି। କିନ୍ତୁ ଇଂଲଣ୍ଡ ଦଳର ପୂର୍ବତନ ଦ୍ରୁତ‌ ବୋଲର ଷ୍ଟିଭ୍ ହାର୍ମିସନ୍‌ ଏକ ଅସହିଷ୍ଣୁତାର କଥା କହି ଦେଇଛନ୍ତି। ଷ୍ଟିଭ୍ ସ୍ମିଥ୍ ତାଙ୍କ ବଲ୍‌ ବିକୃତ ବିବାଦ ପାଇଁ ସର୍ବଦା ‘ଠକ’ ଭାବେ ପରିଚିତ ଏବଂ ଏଥି ପାଇଁ ମନେ ରହିବେ ବୋଲି ହାର୍ମିସନ୍ କହିଛନ୍ତି। ଗତବର୍ଷ ମାର୍ଚରେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍‌ ବିକୃତ ବିବାଦରେ ସମ୍ପୃକ୍ତ କଥାକୁ ସ୍ବୀକାର କରି ସ୍ମିଥ୍ ବର୍ଷକ ପାଇଁ ନିଲମ୍ବିତ ହୋଇଥିଲେ। କିନ୍ତୁ ଟେଷ୍ଟ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତନ କରି ଏବେ ଇଂଲଣ୍ଡରେ ଅଷ୍ଟ୍ରେଲିଆକୁ ଆସେସ୍ ବିଜୟ ଦେଇଛନ୍ତି। ଏହି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ କେବେ ବି କ୍ଷମା ଦିଆଯାଇପାରିବ ନାହିଁ ବୋଲି ହାର୍ମିସନ୍ କହିଛନ୍ତି। ତୁମେ ତିନି ଜଣ (ସ୍ମିଥ, ୱାର୍ନର, ବନ୍‌କ୍ରଫ୍ଟ)ଙ୍କ ନାମରେ ବଲ୍ ବିକୃତ ବିବାଦ ଚିର କାଳ ରହିବ। ଏହା ତୁମ ସିଭିରେ ରହିଯାଇଛି। ଷ୍ଟିଭ୍ ସ୍ମିଥ୍ ଏଥି ପାଇଁ ସର୍ବଦା ମନେ ରହିବେ ବୋଲି ହାର୍ମିସନ୍ ପ୍ରକାଶ କରିଥିଲେ। ମୁଁ ଭାବୁ ନାହିଁ ସ୍ମିଥ୍, ୱାର୍ନର, ବନକ୍ରଫ୍ଟଙ୍କ ସମ୍ପର୍କରେ ଲୋକଙ୍କ ଧାରଣା ବଦଳିଯିବ। କାରଣ ସେମାନେ ଯାହା କରିଛନ୍ତି ତଦ୍ବାରା ଖେଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ ହୋଇଛି ବୋଲି ଇଂଲଣ୍ଡ ପାଇଁ ୬୩ ଟେଷ୍ଟ‌୍‌ ଖେଳିଥିବା ହାର୍ମିସନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର