ହଂକଂ କ୍ରିକେଟ୍‌ ଦଳ ଛାଡ଼ିଲେ ଅଂଶୁମାନ: ଭାରତରେ ଖେଳିବା ଆଶାରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ହଂକଂ ଜାତୀୟ କ୍ରିକେଟ୍‌ ଦଳର ଓଡ଼ିଆ ଅଧିନାୟକ ଅଂଶୁମାନ ରଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତା’ ସହ ସେ ମଧ୍ୟ ହଂକଂ କ୍ରିକେଟ୍ ଦଳରୁ ଓହରି ଯାଇଛନ୍ତି। ହଂକଂ ପକ୍ଷରୁ ୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଅଂଶୁମାନ ଭାରତରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ୨୧ ବର୍ଷୀୟ ଯୁବ ଅଲରାଉଣ୍ଡର ଦିନେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବା ସ୍ବପ୍ନକୁ ସାକାର କରିବାରେ ମଧ୍ୟ ଲାଗିପଡ଼ିଛନ୍ତି। ସେଥିପାଇଁ ଓଡ଼ିଶା ସହ ଅନ୍ୟରାଜ୍ୟ ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଆଇପିଏଲ୍ ଖେଳିବା ଲାଗି ମଧ୍ୟ ସେ କଥାବାର୍ତା ଆରମ୍ଭ କରିଦେଲେଣି।

ଭୁବନେଶ୍ବର ସତ୍ୟନଗରର ବାସିନ୍ଦା ଭବାନୀ ଶଙ୍କର ରଥ ଓ ସୁଜାତା ରଥଙ୍କ ପୁଅ ହେଉଛନ୍ତି ଅଂଶୁମାନ। ଭବାନୀ ବ୍ୟବସାୟ ଲାଗି ୧୯୯୦ ମସିହାରେ ହଂକଂ ଯାଇଥିଲେ। ସେଠାରେ ୧୯୯୭ରେ ଅଂଶୁମାନ ଜନ୍ମ ନେବା ସହ ପାଠ ପଢ଼ା ମଧ୍ୟ କରିଥି‌ଲେ। ମଝିରେ ମଝିରେ ବାପା-ମାଙ୍କ ସହ ସେ ଓଡ଼ିଶା ଆସିଥାନ୍ତି। ଏବେ ଏହି ଯୁବ ଓଡ଼ିଆ ପୁଅ ପାଖରେ ଭାରତୀୟ ପାସ୍‌ପୋର୍ଟ ଥିବାରୁ ସେ ଆସନ୍ତା ବର୍ଷ ଆଇପିଏଲ୍‌ ନିଲାମରେ ଅଣମାନ୍ୟତା ଖଳାଳି ଭାବେ ଭାଗ‌ ନେବାର ସମ୍ଭାବନା ରହିଛି। ଏଥିସହ ରଣଜୀ ଖେଳି ଜାତୀୟ ଦଳରେ ସୁଯୋଗ ପାଇବା‌ ଲାଗି ଚେ‌ଷ୍ଟା କରିବେ ବୋଲି କହିଛନ୍ତି।

ମୋ ଉପରେ ଭରସା ରଖି କ୍ରିକେଟ୍‌ ହଂକଂ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବି। ୧୨ ବର୍ଷ ବୟସରୁ ମୁଁ ଏହି ଦଳ ସହ ବହୁ ସ୍ମରଣୀୟ ମୂହୁର୍ତ୍ତ କଟାଇଛି। କିନ୍ତୁ ବିଶ୍ବାସ କରିବାକୁ ପଡ଼ିଲା‌ ଯେ ମୁଁ ଦଳ ଛାଡ଼ିଛି। ମୁଁ ଏହି ଦଳର ସମସ୍ତ ଖେଳାଳି ଓ ସହଯୋଗୀ ଅଧିକାରୀଙ୍କୁ ଶୁଭକାମନା ଜଣାଇବା ସହ ଭବିଷ୍ୟତରେ ସେମାନଙ୍କୁ ସହଯୋଗ କରିବା ଲାଗି ପ୍ରୟାସ କରିବି ବୋଲି କହିଛନ୍ତି ଅଂଶୁମାନ। ଜନ୍ମମାଟି (ହଂକଂ) ପକ୍ଷରୁ ‌ଖେଳିଥିବାରୁ ମୁଁ ବହୁତ ଗର୍ବିତ। ସାଧୁତାର ସହ କହିବାକୁ ଗଲେ ଏଭଳି ସୁଯୋଗ ସହ ରୋଜଗାର ପାଇବା ଏବଂ ଖେଳିବାର ଅଭିଜ୍ଞତା ସବୁ ହଂକଂରୁ ପାଇଛି। ଭାରତ ପକ୍ଷରୁ ଖେଳିବା ଲକ୍ଷ୍ୟ ଥିଲା, ଏବେ ଏହି ସ୍ବପ୍ନ ପୂରଣ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ ଖେଳିବା ମୋର ସ୍ବପ୍ନ ଥିଲା। ପ୍ରଥମ ଥର ପାଇଁ ମୋତେ ପୁରା ସମୟ ଏବଂ ପେସାଗତ କ୍ରିକେଟ୍‌ ଖେଳିବା ଲାଗି ସୁବିଧା ଓ ସୁଯୋଗ ମିଳିଥିଲା। ଟେଷ୍ଟ୍‌ ସ୍ବପ୍ନ ପୂରଣ ହେବାକୁ ଯାଉଥିଲା, କିନ୍ତୁ ହୋଇପାରିନଥିଲା। ମୋ ପାଇଁ ଖରାପ ଆରମ୍ଭ ଥିଲା। ଇଂଲିସ୍‌ କାଉଣ୍ଟି ଦଳ ମିଡିଲ୍‌ସେକ୍ସ‌ ମୋ ସହ ଚୁକ୍ତି କରିବା ଲାଗି ଚାହିଁଥିଲା। କିନ୍ତୁ ଭିସା ମିଳି ନଥିଲା। କାଉଣ୍ଟି ନିୟମ ହିଁ ବାଧା ଦେଇଥିଲା। ଆଇସିସି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳିମାନେ ହିଁ ଖେଳିବାର ନିୟମ ଥିବାରୁ ମୁଁ ବଞ୍ଚିତ ହୋଇଥିଲି ‌ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ‌ଯେ ଅଂଶୁମାନ ୧୮ ଦିନିକିଆ ଖେଳି ୫୧.୭୫ ହାରରେ ୧ ଶତକ ଓ ୭ ଅର୍ଧଶତକ ସହ ୮୨୮ ରନ୍‌ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ୧୪୩* ରହିଛି। ଏହି ଅଲ୍‌ରାଉଣ୍ଡର ୧୪ ୱିକେଟ୍‌ ମଧ୍ୟ ଅକ୍ତିଆର କରିଛନ୍ତି। ସେ ୯ ପ୍ରଥମ ଶ୍ରେଣୀ ପାଳି ଖେଳି ୬୫ରୁ ଅଧିକ ହାରରେ ୩୯୧ ରନ୍‌ କରିଛନ୍ତି। ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଅଂଶୁମାନ ସଂଯୋଗ ବଶତଃ ଏସିଆ କପ୍‌ରେ ଭାରତ ବିପକ୍ଷରେ ହିଁ ଖେଳିଥିଲେ।

ସମ୍ବନ୍ଧିତ ଖବର