ହକି ଖେଳାଳିଙ୍କ ସହ କଥା ହେଲେ କ୍ରୀଡ଼ାମନ୍ତ୍ରୀ, ନିୟନ୍ତ୍ରିତ ପରିବେଶରେ ଅଭ୍ୟାସ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଲେ

The sports minister spoke to the hockey players

ନୂଆଦିଲ୍ଲୀ: ଭାରତୀୟ ହକି ତାରକାମାନେ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ମ୍ୟାଚ୍‌ ସବୁ ତ ବାତିଲ ବା ସ୍ଥଗିତ ରହିଲା। କରୋନା ମହାମାରୀ ମଧ୍ୟ ସେମାନଙ୍କ ଜୀବନ ଶୈଳୀକୁ ବିଗାଡ଼ିବାକୁ ବସିଲାଣି। କେତେଦିନ ଧରି କଟକଣା ମଧ୍ୟରେ ତିଷ୍ଠିପାରିବେ ସେନେଇ ଚିନ୍ତା ବଢ଼ିଗଲାଣି। ଏପରିସ୍ଥଳେ ଉଭୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନେ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିବାର ସୁଯୋଗ ଦେବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଉଭୟ ପୁରୁଷ ଓ ମହିଳା ହକି ଖେଳାଳିମାନେ କରୋନା ମହାମାରୀ ଆତଙ୍କ ଯୋଗୁଁ ଏବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବେଙ୍ଗାଲୁରୁ ଓ ପାତିଆଲା କେନ୍ଦ୍ରରେ ଏକରକମ ସଂଗରୋଧ ସ୍ଥିତି‌ରେ ପ୍ରାୟ ଦୁଇମାସ ହେଲା ସମୟ ବିତାଉଛନ୍ତି। ଗୁରୁବାର ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ (ଆଥ୍‌ଲେଟ୍‌, ପ୍ରଶିକ୍ଷକ ଓ ହାଇପର୍ଫମାନ୍‌ସ ଡାଇରେକ୍ଟର)ଙ୍କ ସହ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କଥା ହୋଇଛନ୍ତି। ଏକ ଭିଡିଓ କନ୍‌ଫରେନ୍‌ସ ଜରିଆରେ ସେ ପ୍ରାୟ ଦୁଇଘଣ୍ଟା ଧରି ସେମାନଙ୍କ ସହ ବାର୍ତାଳାପ କରିଥିଲେ। ଏହି ଅବସରରେ କରୋନା ମହାମାରୀକୁ ଦୃଷ୍ଟି‌ରେ ରଖି ନିୟଂତ୍ରିତ ପରିବେଶରେ ଅଭ୍ୟାସ ଆରମ୍ଭ କରାଯାଇପାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଶରୁ ଲକ୍‌ଡାଉନ୍‌ ଉଠିଯିବା ପରେ ପଡ଼ିଆରେ ଏଭଳି ପରିବେଶରେ ଅଭ୍ୟାସ ଆରମ୍ଭ କରାଯିବ ବୋଲି ରିଜିଜୁ ନିର୍ଭର ପ୍ରତିଶ୍ରୁତି ଦେବା ହକି ଖେଳାଳିଙ୍କୁ କିଛିଟା ଆଶ୍ବସ୍ତ କରିଛି। ଖେଳାଳିଙ୍କ ସହ ଏହି ଅନ୍‌ଲାଇନ୍‌ ବାର୍ତାଳାପ ବେଳେ କ୍ରୀଡ଼ା ମନ୍ତ୍ରୀ ରିଜିଜୁଙ୍କ ବ୍ୟତୀତ କ୍ରୀଡ଼ା ସଚିବ ରବି ମିତ୍ତଲ, ‘ସାଇ’ ମହାସଚିବ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ୍‌ ସଂଘ ସଭାପତି ଡ. ନରିନ୍ଦର ବାତ୍ରା, ‘ହକି ଇଣ୍ଡିଆ’ ସଭାପତି ମହମ୍ମଦ ମୁସ୍ତାକ୍‌ ଅହମ୍ମଦ, ‘ହକି ଇଣ୍ଡିଆ’ର ହାଇପର୍ଫମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌, ଉଭୟ ପୁରୁଷ ଓ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ ଓ ଜୋଏର୍ଡ ମାରିନ୍‌, ହକି ସଂଘଗୁଡ଼ିକର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆଥ୍‌ଲେଟ୍‌ ଓ ପ୍ରଶିକ୍ଷକମାନେ ‘ସାଇ କ୍ୟାମ୍ପସ୍‌’ ମଧ୍ୟରେ ଛୋଟ ଛୋଟ ଦଫା (୪/୫ ଜଣ ଖେଳାଳିଙ୍କୁ ନେଇ)ରେ ତାଲିମ ପୁନଃଆରମ୍ଭ କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ।

ମୂଳ ସାମର୍ଥ୍ୟ ଭିତ୍ତିରେ ଯଦି ଆମେ ତାଲିମ ଆରମ୍ଭ କରିବାକୁ ସକ୍ଷମ ହୋଇପାରିବା ଏବଂ ଛୋଟ ଛୋଟ ଗୋଷ୍ଠୀ ହୋଇ ପେନାଲ୍‌ଟି କର୍ନର ଭଳି ଅନ୍ୟାନ୍ୟ ଟେକ୍‌ନିକ୍‌ ଉପରେ କାର୍ଯ୍ୟ କଲେ ତାହା ଆମକୁ ଅଲିମ୍ପିକ୍‌ ପ୍ରସ୍ତୁତି ଦିଗରେ ଆଗେଇନେବ ବୋଲି ପ୍ରସ୍ତାବ ବାଢ଼ିଥିଲେ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂହ। ସେହିପରି ମହିଳା ଦଳର ଅଧିନାୟିକା ରାଣୀ ରାମ୍‌ପଲ୍‌ କହିଥିଲେ, ଫିଟ୍‌ନେସ୍‌ ଭିତ୍ତିରେ ସେମାନେ ଉପରେ ରହିଛନ୍ତି, ହେଲେ ସହନଶକ୍ତି ତଥା ଦୃଢ଼ତା ବଢ଼ାଇବା ସାଙ୍ଗକୁ ଅଲିମ୍ପିକ୍‌ ଉପରେ ନଜର ରଖିବାକୁ ହେଲେ ଆମକୁ ପଡ଼ିଆରେ ଅଭ୍ୟାସ କରିବା ଦରକାର। ଆମେ ‘ସାଇ’ରେ ନିରାପଦରେ ଅଛୁ। ଘରେ ରହିଲା ଭଳି ଅନୁଭବ ପାଉଛୁ। ସ୍ବାସ୍ଥ୍ୟ ଓ ସାମାଜିକ ଦୂରତା ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ଆମେ ଅଭ୍ୟାସ ଆରମ୍ଭ କରିପାରିବା ବୋଲି ମୁଁ ଭାବୁଥିବା କହିଛନ୍ତି ରାଣୀ।

ଅନ୍ୟପକ୍ଷରେ ଦୁଇମାସ ହେଲା ସାଇ କେନ୍ଦ୍ରରେ ସେମାନଙ୍କୁ କୋଠରୀ ମଧ୍ୟରେ ଆବଦ୍ଧ ହୋଇ ରହିବା ଏବଂ ପରିବାର ସଦସ୍ୟଙ୍କୁ ଭେଟିନପାରିବା ଯୋଗୁଁ ଅନେକ ଗୃହମନସ୍କ ହୋଇପଡ଼ିଲେଣି। ତେଣୁ ଏପରି ସମୟରେ ମାନସିକ ସ୍ଥିତି ବଜାୟ ରଖିବା ଆମମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଆଉ ପ୍ରଶିକ୍ଷଣ ଆରମ୍ଭ ହୋଇଗଲେ ସମ୍ଭବତଃ ଆମ ମାନସିକ ଅବସ୍ଥାରେ ପରିବର୍ତନ ଆସିପାରନ୍ତା ବୋଲି କହିଛନ୍ତି ପୁରୁଷ ଦଳର ତାରକା ପିଆର୍‌ ଶ୍ରୀଜେସ୍‌। ଏଭଳି କଷ୍ଟକର ସମୟରେ ଆମେ ସରକାରଙ୍କଠୁ ସହଯୋଗ ଆବଶ୍ୟକ କରିବୁ। ଆଉ ଯଦି ଥରେ ବରିଷ୍ଠ ଦଳ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଦିଏ, ତାହାଲେ ଆମେ କନିଷ୍ଠ ଦଳମାନଙ୍କ ଅଭ୍ୟାସ କରିବା କଥା ଚିନ୍ତା କରିବୁ। କାରଣ ୨୦୨୧‌ରେ କନିଷ୍ଠ ବିଶ୍ବକପ୍‌ ହେବାକୁ ଥିବାରୁ କନିଷ୍ଠ ଖେଳାଳିଙ୍କ ପାଇଁ ପଡ଼ିଆରେ ପ୍ରସ୍ତୁତି କରିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ।

ସମ୍ବନ୍ଧିତ ଖବର