ହକି ସିରିଜ୍ ଫାଇନାଲ୍ସ ନେଇ କ୍ରୀଡ଼ା ବିଭାଗ ଆଶାବାଦୀ

ଭୁବନେଶ୍ବର: ପ୍ରଳୟ ରଚିଥିବା ଫନି ପ୍ରଭାବରେ ବିଧ୍ବସ୍ତ କଳିଙ୍ଗ ଷ୍ଟାଡିୟମ୍‌କୁ ନେଇ ଏଫ୍‌ଆଇଏଚ୍‌ ଏବଂ ହକି ଇଣ୍ଡିଆ ଚିନ୍ତିତ ଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସକରାତ୍ମକ ମନୋଭାବରେ ରହିଛି। ଜୁନ୍‌ ୬ରୁ ୧୫ ତାରିଖ ମଧ୍ୟରେ କଳିଙ୍ଗ ହକି କଂପ୍ଲେକ୍ସରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍ ଫାଇନାଲ୍ସକୁ ନିର୍ଧାରିତ ସମୟରେ ଆୟୋଜନ କରିବା ନେଇ କ୍ରୀଡ଼ା ବିଭାଗ ପ୍ରସ୍ତୁତ ରହିଛି। କିନ୍ତୁ ଗତବର୍ଷ ବିଛା ଯାଇଥିବା ଟର୍ଫର କିଛି ଅଂଶ କ୍ଷତବିକ୍ଷତ ହୋଇଥିବାରୁ ଏହାକୁ ନେଇ ଏକମାତ୍ର ଚିନ୍ତା ରହିଛି। ଅନ୍ୟାନ୍ୟ ଆନୁସଙ୍ଗିକ ଆୟୋଜନରେ କିଛି ଅସୁବିଧା ନାହିଁ ବୋଲି ସୋମବାର ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ। ମଙ୍ଗଳବାର ହକି ଇଣ୍ଡିଆର ପ୍ରତିନିଧି ଆସି ଟର୍ଫ ଅନୁଧ୍ୟାନ କରିବେ ଏବଂ ଏଫଆଇଏଚ୍‌କୁ ରିପୋର୍ଟ ପ୍ରଦାନ କରିବେ। ଆବଶ୍ୟକ ତାରିଖ ମଧ୍ୟରେ ଏହା ମରାମତି ସାପେକ୍ଷ ଥିଲେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଆୟୋଜନ କରିବାରେ କିଛି ଅସୁବିଧା ହେବ ନାହିଁ। ଷ୍ଟାଡିୟମ୍‌ରେ ଗଛ ହଟାଇବା କାମ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଷ୍ଟାଡିୟମ୍‌ ପରିସର ପରିସ୍କାର ପରିଛନ୍ନ ହୋଇଯିବ। ପ୍ରତିଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ କୌଣସି ଆଲୋଚନା କି ଚିନ୍ତା କରାଯାଇ ନାହିଁ। ଟର୍ଫ ସ୍ଥିତିକୁ ସବୁଜ ସଙ୍କେତ ମିଳିଲେ ନିର୍ଧାରିତ ସମୟରେ ଏହା କରାଯାଇ ପାରିବ ବୋଲି ଶ୍ରୀ ଦେବ ଆଶା ପ୍ରକାଶ କରିଥିଲେ। ‘କହିବାକୁ ଗଲେ ହକି ଷ୍ଟାଡିୟମ୍‌କୁ ଫନି ବିଶେଷ କ୍ଷତି ପହଞ୍ଚାଇ ନାହିଁ। ଟର୍ଫକୁ ଛାଡ଼ି ଆମକୁ ପୂର୍ତ ବିଭାଗ ଏବଂ ଇଡ୍‌କୋରୁ ଠିକଣା ସମର୍ଥନ ମିଳିଲେ ଏଫଆଇଏଚ୍ ହକି ସିରିଜ୍ ଫାଇନାଲ୍ସକୁ କରାଇବାରେ କିଛି ଅସୁବିଧା ହେବ ନାହିଁ’ ବୋଲି କହିଛନ୍ତି କଳିଙ୍ଗ ଷ୍ଟାଡିୟମ୍‌ ଭାରପ୍ରାପ୍ତ ଅଧିକାରୀ ବାରିଜ ରଂଜନ ମହାନ୍ତି। ତେବେ ହକି ଇଣ୍ଡିଆ ଏବଂ ଏଫଆଇଏଚ୍‌ ଚୂଡ଼ାନ୍ତ ନିଷ୍ପତ୍ତି‌ ନେବେ‌ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ ସମେତ ରାଜ୍ୟର ଅନ୍ୟ କ୍ରୀଡ଼ା ଭିତ୍ତିଭୂମି ଫନିର ତାଣ୍ଡବର ଶିକାର ହୋଇଥିବା କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ପ୍ରକାଶ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍ ଆଥ୍‌ଲେଟିକ୍ସ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ପୁରୀ ଇନ୍‌ଡୋର୍ ଷ୍ଟାଡିୟମ୍‌ ମଧ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କଟକସ୍ଥିତ ଜବାହରଲାଲ୍ ନେହେରୁ ଇନଡୋର୍‌ ଷ୍ଟାଡିୟମ୍‌ର ଛାତ ମଧ୍ୟ ଉଡ଼ିଯାଇଥିବା ଖବର ମିଳିଛି। କିନ୍ତୁ କ୍ରୀଡ଼ା ଓ ଯୁବସେବା ବିଭାଗ ନିକଟକୁ ବିସ୍ତୃତ ଭାବେ କ୍ଷୟକ୍ଷତିର ବିବରଣୀ ପହହଞ୍ଚି ନାହିଁ। ଏସବୁ ଆସିବା ପରେ ଆମେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ଶ୍ରୀ ଦେବ ପ୍ରକାଶ କରିଥିଲେ।
ସୂଚନା‌ଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍‌ରେ ଏଫଆଇଏଚ୍‌ ସିରିଜ୍‌ ଫାଇନାଲ୍ସ କରାଇବା ଆଶଙ୍କା ‌ ଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଚାର କରାଯାଉଥିବା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଲକ୍ଷ୍ନୌ କିମ୍ବା ରାୟପୁର ଏହି ଦୌଡ଼ରେ ଆଗୁଆ ରହିଥିବା କୁହାଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍ ମରାମତି କାମ ୩ ସପ୍ତାହ ମଧ୍ୟରେ ଶେଷ ହେବା ଆଶଙ୍କା ଥିବାରୁ ଏଫ୍‌ଆଇଏଚ୍‌ ସିରିଜ୍‌କୁ ଆମକୁ ସ୍ଥାନାନ୍ତର କରିବାକୁ ପଡ଼ିବ’ ବୋଲି ହକି ଇଣ୍ଡିଆର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଥିଲେ। ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଟୋକିଓ ଅଲିମ୍ପିକ୍ସ ପାଇଁ ଏକ ପ୍ରାକ୍‌ ଯୋଗ୍ୟତା ପ୍ରତିଯୋଗିତା। ଭାରତ ସହିତ ଉଜ୍‌ବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଏବଂ ମେକ୍ସିକୋ ଏଥିରେ ଭାଗନେବେ। ଶୀର୍ଷ ଦୁଇ ଦଳ ଅକ୍ଟୋବରରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିବେ।

ଆଗୁଆ ଛୁଟି ହେଲା କ୍ରୀଡ଼ା ଛାତ୍ରାବାସ
ଭୁବନେଶ୍ବର: ଫନି ପ୍ରଭାବରେ କଳିଙ୍ଗ ଷ୍ଟାଡିୟମ୍‌ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ଏହା ପରିସରରେ ଥିବା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଏବଂ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅନ୍ତେବାସୀମାନେ ପାଣି, ବିଦ୍ୟୁତ ବିନା ପ୍ରଚଣ୍ଡ ଅସୁବିଧାର ସମ୍ମୁଖୀନ ହେବାରୁ ଗ୍ରୀଷ୍ମକାଳୀନ ଛୁଟିକୁ ସରକାର ଆଗୁଆ କରି ଦେଇଛନ୍ତି। ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଭାରପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ। ସୂଚନ‌ାଯୋଗ୍ୟ, ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ୧୫୦ ବାଳିକାଙ୍କ ସହିତ ମୋଟ ୨୪୦ ଜଣ ଅନ୍ତେବାସୀ ରହି ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ନେଉଥିଲେ। ଫନି ତାଣ୍ଡବ ପରଠାରୁ କିନ୍ତୁ ସେମାନଙ୍କ ଗାଧୋଇବା,‌ ଶୋଇବା ଏବଂ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ କ୍ରୀଡ଼ା ଓ ଯୁବସେବା ବିଭାଗ ସପ୍ତାହକ ପୂର୍ବରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରି ଦେଇଛି। ବିଗତ ଦୁଇ ଦିନ ହେବ ଅନ୍ତେବାସୀମାନେ ଛାତ୍ରାବାସ ଛାଡ଼ି ଘର ବାହୁଡ଼ି ଯାଇଛନ୍ତି।

ସମ୍ବନ୍ଧିତ ଖବର