ୟର୍କସାୟାର ବିରୋଧରେ ‘ସଂସ୍ଥାଗତ ବର୍ଣ୍ଣବୈଷମ୍ୟ’ ଅଭିଯୋଗ, ପୂଜାରା ବି ହୋଇଥିଲେ ଶିକାର

ଲଣ୍ଡନ: ଇଂଲଣ୍ଡର ଲୋକପ୍ରିୟ କାଉଣ୍ଟି କ୍ରିକେଟ୍ ଦଳ ୟର୍କସାୟାର ବିରୋଧରେ ‘ସଂସ୍ଥାଗତ ବର୍ଣ୍ଣବୈଷମ୍ୟ’କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। କ୍ଲବ୍‌ର କିଛି ପୂର୍ବତନ କର୍ମଚାରୀ ଓ କ୍ରି‌କେଟର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏପରିକି ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଏହି କ୍ଲବ୍ ତରଫରୁ କାଉଣ୍ଟି ଖେଳୁଥିଲା ବେଳେ ମଧ୍ୟ ଜାତିଆଣ ଭେଦଭାବର ଶିକା‌ର ହୋଇଥିବା ସଂପୃକ୍ତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ୟର୍କସାୟାର କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିଲା ବେଳେ ପୂର୍ବତନ ଖେଳାଳିମାନେ ତା’ର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବରଖାସ୍ତ କରିବା ଦାବି ଉଠାଇଛନ୍ତି।

ୟର୍କସାୟାର ବିରୋଧରେ ଏଭଳି ଅଭିଯୋଗ ପ୍ରଥମେ ଇଂଲଣ୍ଡର ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟର ଅଜିମ ରଫିକ ଆଣିଥିଲେ। ରଫିକଙ୍କ ଏହି ଅଭିଯୋଗକୁ ପୂର୍ବତନ ୱେଷ୍ଟଇଣ୍ଡିଜ୍ ‌ବୋଲର ଟିନୋ ବେଷ୍ଟ ଓ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ରାଣା ନଭିଦୁଲ ହାସନ ସମର୍ଥନ କରିଛନ୍ତି। ଏମାନଙ୍କ ସହ କ୍ଲବର ଦୁଇ ଜଣ ପୂର୍ବତନ କର୍ମଚାରୀ ତାଜ୍ ବଟ୍ଟ ଓ ଟୋନି ବାୱରି ମଧ୍ୟ ୟର୍କସାୟାର ବିରୋଧରେ ସାକ୍ଷୀ ଦେଇଛନ୍ତି। ଚାରିଜଣ ଯାକ ମାମଲାର ତଦନ୍ତକାରୀ ଦଳକୁ କ୍ଲବ୍ ବିରୋଧରେ ଠୋସ୍ ପ୍ରମାଣ ବି ଦେଇଛନ୍ତି। କ୍ଲବ୍‌ର କ୍ରୀଡ଼ା ସଂସ୍କୃତି ଉପରେ ଘୋର ଆପତ୍ତି ଉଠାଇ ଏକଦା ୟର୍କସାୟାର କ୍ରିକେଟ୍ ପ୍ରତିଷ୍ଠାନର ଗୋଷ୍ଠୀ ଊନ୍ନୟନ ଅଧିକାରୀ ଥିବା ବଟ୍ଟ କହିଛନ୍ତି ଯେ ଏସୀୟ ଖେଳାଳିଙ୍କ କଥା ହେଲା ବେଳେ କ୍ଲବ୍‌ର ଗୋରା ଅଧିକାରୀ ଓ ଖେଳାଳିମାନେ ନିୟମିତ ଭାବେ ସେମାନଙ୍କୁ ଟ୍ୟାକ୍ସି ଚାଳକ ଓ ହୋଟେଲ କର୍ମଚାରୀ ବୋଲି ସମ୍ବୋଧନ କରନ୍ତି। ‘‘କୃଷ୍ଣକାୟ ଏବଂ ବାଦାମୀ ରଙ୍ଗର ଖେଳାଳିଙ୍କୁ ସେମାନେ ଜାତି ଓ ଧର୍ମ ନିର୍ବିଶେଷରେ ଷ୍ଟିଭ୍ ବୋଲି ଡାକନ୍ତି। ତା’ ଭିତରେ ଭାରତୀୟ କ୍ରିକେଟ୍ ତାରକା ଚେତେଶ୍ବର ପୂଜାରା ବି ଥିଲେ। ସେତେବେଳେ ପୂଜାରା ଜଣେ ବିଦେଶୀ ପେସାଦାର ଭାବେ କ୍ଲବ୍‌ରେ ଯୋଗ ଦେଇଥିଲେ। ସବୁ ଏସୀୟଙ୍କୁ ଷ୍ଟିଭ୍ ଡାକିବାର କାରଣ ଏହା ଥିଲା ଯେ ସେମାନେ (ଗୋରା ଅଧିକାରୀ ଓ ଖେଳାଳି) ଆମ ନାଁକୁ ଉଚ୍ଚାରଣ କରିବାରେ କଷ୍ଟ ଅନୁଭବ କରନ୍ତି’’ ବୋଲି ମଧ୍ୟ ବଟ୍ଟ ଆହୁରି କହିଥିଲେ। ସେଥିପାଇଁ କାମରେ ଯୋଗ ଦେବାର ମାତ୍ର ୬ ମାସ ଭିତରେ ସେ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ୟର୍କସାୟାର କିଭଳି ଭାବେ ‘ସଂସ୍ଥାଗତ ବର୍ଣ୍ଣବୈଷମ୍ୟ’କୁ ପ୍ରୋତ୍ସାହନ ଦିଏ ତା’ର ଆଉ ଏକ ନମୁନା ଦେଖାଇଛନ୍ତି ଏକଦା ଏହି କ୍ଲବ୍‌ର ପ୍ରଶିକ୍ଷକ ଥିବା ବାୱରି।

ବାୱରି ୧୯୯୬ ମସିହା ପର୍ଯ୍ୟନ୍ତ ଦଳର ପ୍ରଶିକ୍ଷକ ରହିବା ପରେ ୧୯୯୬ରୁ ୨୦୧୧ ପର୍ଯ୍ୟନ୍ତ ୟର୍କସାୟାରର ବୋର୍ଡ ସଦସ୍ୟ ଥିଲେ। ଏହା ପରେ ତାଙ୍କୁ କୃଷ୍ଣକାୟଙ୍କ ଭିତରେ କ୍ରିକେଟ୍‌ ଖେଳର ପ୍ରସାର ଲାଗି କ୍ଲବ୍‌ର କ୍ରିକେଟ୍ ବିକାଶ ପ୍ରବନ୍ଧକ ଭାବେ ନିଯୁକ୍ତି ମିଳିଥିଲା। ନିଜ ତିକ୍ତ ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ ବାୱରି କହିଛନ୍ତି ‘‘ବହୁ ଯୁବ ଖେଳାଳି ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିଲେ। ଅନ୍ୟ କେତେକଙ୍କ ପାଇଁ ଡ୍ରେସିଂ ରୁମ୍‌ର ପରିବେଶ ଅତ୍ୟନ୍ତ କଷ୍ଟକର ରହୁଥିଲା। ରଙ୍ଗଭେଦ ପାଇଁ ସେମାନଙ୍କୁ ଉଚିତ ବ୍ୟବହାର ମଧ୍ୟ ମିଳୁ ନଥିଲା। ଏହା ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଥିଲା। ଶେଷରେ ସେମାନଙ୍କୁ ‘ଅଡ଼ୁଆ ସୃଷ୍ଟିକାରୀ’ର ଆଖ୍ୟା ମିଳୁଥିଲା’’।

୨୦୧୮ ମସିହାରେ ୟର୍କସାୟାର ଛାଡ଼ିଥିବା ରଫିକ ତାଙ୍କୁ ମିଳିଥିବା ଅପମାନଜନକ ବ୍ୟବହାର ପାଇଁ ଏକଦା ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା ମଧ୍ୟ ମତ ଦେଇଛନ୍ତି। ଗତ ମାସରେ ନିରପେକ୍ଷ ତଦନ୍ତକାରୀଙ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ମୋ ଜାତି ଓ ରଙ୍ଗ ପାଇଁ ମୋତେ ନିୟମିତ ଟାହି ଟାପରା କରାଯାଉଥିଲା। ରଫିକ କହିଥିବା କଥା ସଂପୂର୍ଣ୍ଣ ସତ ବୋଲି ୨୦୦୮-୦୯ରେ କ୍ଲବ୍‌ ତରଫରୁ ବିଦେଶୀ ପେସାଦାର ଭାବେ ଖେଳିଥିବା ବେଷ୍ଟ ଓ ହାସନ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି। ରଙ୍ଗଭେଦ ଦୂର କରିବା ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏବଂ ୟର୍କସାୟାର ନେଇଥିବା ପଦକ୍ଷେପକୁ ଏମାନେ ସମସ୍ତେ କିନ୍ତୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର