ଭୁବନେଶ୍ବର: ୨୦୨୩ ଡିସେମ୍ବର ମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶାର ଆଥ୍ଲେଟ୍ ଓ ପାରା ଅଥ୍ଲେଟ୍ଙ୍କୁ ଶୁକ୍ରବାର ରାଜ୍ୟ ସରକାର ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ୩୧ ଜଣଙ୍କୁ ୧ କୋଟି ୧୨ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଖେଳ ଜୀବନ ଯାତ୍ରାରେ ଏହା ତୁମକୁ ପ୍ରେରିତ କରିବ। ଡିସେମ୍ବରରେ ଭୋପାଳରେ ଅନୁଷ୍ଠିତ ଜାତୀୟ କାନୋସ୍ପ୍ରିଣ୍ଟ୍ ପ୍ରତିଯୋଗିତାରେ ଓଭର୍ ଅଲ୍ ବିଜେତା ଓଡ଼ିଶା କାୟାକିଂ ଓ କୋନାଇଂ ଦଳ ୧୮ଟି ଇଭେଣ୍ଟରୁ ମୋଟ ୬୬ ପଦକ ଜିତିଥିଲେ। ସେହିଭଳି ପାରା କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ା (୩୪ ଲକ୍ଷ), ଜୟନ୍ତୀ ବେହେରା (୩୦ ଲକ୍ଷ), ଦୀପ ରଂଜନ ବିଶୋଇ (୧୮ ଲକ୍ଷ), ଶୁଭ୍ରଜିତ ମହାରଣା (୪ ଲକ୍ଷ) ପ୍ରମୁଖ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଅନ୍ୟପକ୍ଷରେ ବିଶ୍ବ ଆବିଲିଟି ସ୍ପୋର୍ଟସରେ ଅଂଶଗ୍ରହଣ କରିଥିବା ଜି ଦିଲେଶ୍ବର ରାଓ, ନୁରୁଲ ହାସନ୍ ଖାନ୍, ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୂଜାସ୍ବିନୀ ନାୟକ, ଶୀଲା ମନ୍ତ୍ରୀ, ପବିତ୍ର ସାହୁ, ମାଳତି ପନୌରେ ପ୍ରମୁଖଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ପ୍ରୋତ୍ସାହିତ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp