ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ ଆଜି: ହରାରେରେ ହାରିନି ଭାରତ

ରାହୁଲ ଅଭ୍ୟାସ କଲେ: ଧାୱନ, ଇଶାନ ଓ ଗିଲ୍ ନାଚିଲେ

ହରାରେ: ଭ୍ରମଣକାରୀ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବାକୁ ଥିବା ତିନି ଟିକିଆ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ଖେଳାଯିବ। ଏହି ମ୍ୟାଚ୍ ହରାରେର ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଆୟୋଜିତ ହେବ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ମାତ୍ର ଦୁଇ ମାସ ପୂର୍ବରୁ ଖେଳାଯାଉଥିବା ଏହି ଶୃଙ୍ଖଳାରେ ଭାରତ ତା’ର ଯୁବ ବାହିନୀର ପରୀକ୍ଷା ନିରୀକ୍ଷା କରିବ। ସେହିଭଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବା ଆଶାରେ ଥିବା ଯୁବ ଖେଳାଳିମାନେ ଏହି ଶୃଙ୍ଖଳାରେ ନିଜ ଛାପ ଛାଡ଼ି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିବେ। ତେବେ ଓପ୍‌ନର ତଥା ଅଧିନାୟକ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଏହି ଶୃଙ୍ଖଳାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦିଗ ହେବ। ଗତ ମେ’ରେ ଖେଳାଯାଇଥିବା ଆଇପିଏଲ୍ ଏଲି‌ମିନେଟର ମ୍ୟାଚ୍ ପରେ ରାହୁଲଙ୍କର ଏହା ପ୍ରଥମ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍ ଓ ଶୃଙ୍ଖଳା ହେବ। ଊରୁସନ୍ଧିରେ ଆଘାତ ଲାଗିବା ଏବଂ କୋଭିଡ୍ ସଂକ୍ରମଣ ହେବା ଯୋଗୁଁ ଭାରତୀୟ ଦଳର ଗତ କିଛି ଶୃଙ୍ଖଳାରୁ ଦୂରେଇ ରହିଥିଲେ ସେ।

ତେବେ ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ରେ ହରାରେରେ ହିଁ ରାହୁଲ ନିଜ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ଏଥରର ଗସ୍ତକୁ ବି ସ୍ମରଣୀୟ କରିବାକୁ ନିଶ୍ଚିତ ଆଶା ରଖିଥିବେ। ସେପଟେ ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଆଘାତ ଜନିତ ସମସ୍ୟାରୁ ମୁକୁଳି ଦୀର୍ଘ ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିବେ। ଜିମ୍ବାୱେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ତା’ର ଚୂଡ଼ାନ୍ତ ଦଳ ବାଛିବ। ବାଂଲାଦେଶ ବିପକ୍ଷ ଶୃଙ୍ଖଳାର ଭଲ ପ୍ରଦର୍ଶନ ଏହି କ୍ଷେତ୍ରରେ ଘରୋଇ ଜିମ୍ବାୱେ ପାଇଁ ମନୋବଳବୃଦ୍ଧିକାରୀ ଫଳାଫଳ ହୋଇପାରେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଭଲ କରିଥିବାରୁ ଶୁବମନ ଗିଲ୍ ଭାରତ ପାଇଁ ପାଳି ଆରମ୍ଭ କରିପାରନ୍ତି। ତେବେ ରାହୁଲ କିମ୍ବା ଉପଅଧିନାୟକ ଶିଖର ଧାୱନ ତାଙ୍କ ଯୋଡ଼ିଦାର ହେବେ, ସେ ନେଇ ସଂଶୟ ରହିଛି। ଭାରତ ପାଇଁ ସବୁଠାରୁ ଭଲ କଥା ହେଲା ହରାରେରେ ଟିମ୍ ଇଣ୍ଡିଆ ଆଦୌ ହାରିନି। ବରଂ ଜୁଲାଇ ୨୦୧୩ ମସିହାଠାରୁ ଏଠାରେ ଭାରତ ଲଗାତାର ୯ ଦିନିକିଆ ଜିତି ସାରିଛି। ଭାରତ ଏହି ଶୃଙ୍ଖଳା ରାହୁଲ ଦ୍ରାବିଡ଼ଙ୍କ ପରିବର୍ତ୍ତେ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଖେଳିବ।

ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍, ଶିଖର ଧାୱନ, ରାହୁଲ ତ୍ରିପାଠୀ, କେଏଲ୍ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ୍, ଦୀପକ ହୁଦା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ/ଶାହବାଜ ଅହମ୍ମଦ, ଆୱେଶ ଖାନ୍, ମହମ୍ମଦ ସିରାଜ/ଦୀପକ ଚହର।

ସମ୍ଭାବ୍ୟ ଜିମ୍ବାୱେ: ତାଡିୱାନସେ ମାରୁମନି, ତାକୁଜ୍ବାନ୍‌ସେ କାଇତାନୋ, ଇନୋସେଣ୍ଟ କାଇଆ, ୱେସଲି ମାଧେଭେରେ, ସିକନ୍ଦର ରାଜା, ରେଜିସ୍ ଚକଭା (ଅଧିନାୟକ), ଟୋନି ମୁନୟୋଙ୍ଗା, ଲୁକ୍ ଜଙ୍ଗୱି, ଭିକ୍ଟର ନାଉଚି, ତନକା ଚିଭାଭା।

ରାହୁଲ ଅଭ୍ୟାସ କଲେ: ଧାୱନ, ଇଶାନ ଓ ଗିଲ୍ ନାଚିଲେ
ଦୀର୍ଘ ବ୍ୟବଧାନ ପରେ କ୍ରିକେଟ୍‌କୁ ଫେରିଥିବା‌ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଗୁରୁବାର ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ବୁଧବାର ଢେର ସମୟ ଧରି ନେଟ୍ସ କରୁଥିବାର ଫଟୋ ଓ ଭିଡିଓ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି ସେ। ରାହୁଲ ପ୍ରକାଶ କରିଥିବା ଅନ୍ୟ ଏକ ଫଟୋରେ ଭାରତୀୟ ଖେଳାଳିମାନେ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ୯ ବର୍ଷର ବ୍ୟବଧାନ ପରେ ଜିମ୍ବାୱେରେ ମ୍ୟାଚ୍ ଖେଳିବାକୁ ଯାଉଥିବା ଶିଖର ଧାୱନ ଘରୋଇ ଦଳକୁ ହାଲକା ଭାବେ ନନେବାକୁ ସାଥୀ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି। ନିଜେ ଧାୱନ ପ୍ରକାଶ କରିଥିବା ଭିଡିଓରେ ତାଙ୍କ ସହ ଈଶାନ କିଶନ ଓ ଶୁବମନ ଗିଲ୍ ଫରାସତ୍ ଆନିସଙ୍କ ଗୀତ ‘ବିବା’ର ତାଳେତାଳେ ନାଚୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ନାଚ ଦେଖି ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ହସୁଛନ୍ତି। ଈଶାନଙ୍କ ନାଚ କିନ୍ତୁ ମହମ୍ମଦ ସିରାଜଙ୍କୁ ବେଶ୍ ପସନ୍ଦ ଆସୁଛି। ଭରତୀୟ ଦଳର ଅନ୍ୟତମ ଯୁବ ତାରକା ଶ୍ରେୟସ୍ ଆୟର ମଧ୍ୟ ଧାୱନ, ଈଶାନ ଓ ଗିଲ୍‌ଙ୍କ ନାଚକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର