୪୨ ପଦକ ପରେ ବିଶ୍ରାମ ନେବେ ମଇଁଷି ଧାବକ

କୋଚି: କର୍ଣ୍ଣାଟକର ପ୍ରସିଦ୍ଧ କମ୍ବାଲା ମଇଁଷି ଦୌଡ଼ର ଚର୍ଚିତ ଧାବକ ଶ୍ରୀନିବାସ ଗୌଡ଼ ଚଳିତ ଋତୁରେ ୪୨ ପଦକ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗୋଟିଏ ଦୌଡ଼ ବାକିଥାଇ ଶ୍ରୀନିବାସ ହୁକେରି ସେଟ୍ଟୀଙ୍କ କୀର୍ତ୍ତିମାନ ଭାଙ୍ଗିଛନ୍ତି। ହୁକେରି ଏହା ପୂର୍ବରୁ ଗୋଟିଏ ଋତୁରେ ସର୍ବାଧିକ ୩୨ ପଦକ ଜିତିଥିଲେ। ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶେଷ ଦୌଡ଼ ପରେ ଶ୍ରୀନିବାସ ମାସକ ପାଇଁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି। ‌କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ପ୍ରଶିକ୍ଷଣ ପାଇଁ ଦେଇଥିବା ପ୍ରସ୍ତାବ ଉପରେ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ମୁଁ ମାସକ ପାଇଁ ବିଶ୍ରାମ ‌ନେବାକୁ ଚାହୁଁଛି। କାରଣ କମ୍ବାଲା ଋତୁ ବହୁତ ଲମ୍ବା ଏବଂ କଠିନ ପରିଶ୍ରମଭରା ହୋଇଥାଏ। ବିଶ୍ରାମ ପରେ ମୁଁ ମୋଦବିଦ୍ରିରେ ଥିବା ଅଲଭାସ୍ ମହାବିଦ୍ୟାଳୟ ପ୍ରଶିକ୍ଷକଙ୍କ ସହ ଅଭ୍ୟାସ କରିବି। ‌ସେଠାରେ ଭଲ କରିବା ପରେ ଯାଇ ସାଇ ପ୍ରଶିକ୍ଷକଙ୍କ ପାଖକୁ ଯିବି।

ସମ୍ବନ୍ଧିତ ଖବର