ସୁନ୍ଦରଗଡ଼: ୨୦୨୧ରେ ସାଢ଼େ ୫ ହଜାର କିଲୋମିଟର ଦୂର ଟୋକିଓ ଅଲିମ୍ପିକ୍ସ ପଡ଼ିଆକୁ ଯାଇ ପୁଅ ଅମିତ ରୋହିଦାସଙ୍କ ହକି ଖେଳର ଯାଦୁ ଦେଖିବା ମା’ ଗୋଲାପିଙ୍କ ପାଇଁ ସମ୍ଭବ ନଥିଲା। ଏବେ କିନ୍ତୁ ଘରପାଖରେ ମାତ୍ର ଶହେ କିଲୋମିଟର ଦୂର ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ବିଶ୍ବକପ୍ରେ ଭାଗ ନେଇଥିବା ଭାରତୀୟ ଦଳର ଉପଅଧିନାୟକ ଭାର ସମ୍ଭାଳିଥିବା ପୁଅ ଅମିତଙ୍କ ଖେଳ ଦେଖିବାକୁ ତାଙ୍କ ମା’ଙ୍କ ମନ ଉଚ୍ଛନ୍ନ। ହେଲେ ତାଙ୍କୁ ଏ ଯାଏ ପାସ୍ ମିଳିନି। ତେଣୁ ପୁଅର ଖେଳ ଦେଖିପାରିବେ କି ନାହିଁ, ସେ ନେଇ ସନ୍ଦେହରେ ରହିଛନ୍ତି ସରକାରୀ ରୀତି ଓ କଟକଣା ବିଷୟରେ ଅନଭିଜ୍ଞ ସରଳ ମହିଳା ଜଣକ।
ଘରପାଖରେ ବିଶ୍ବର ମର୍ଯ୍ୟାଦାପୂର୍ଣ୍ଣ ପ୍ରତିଯୋଗିତା ବିଶ୍ବକପ୍ରେ ପୁଅର ଖେଳ ଦେଖିନପାରିଲେ ତାହା ତାଙ୍କ ପାଇଁ ବଡ଼ ଅବସୋସ ହୋଇ ରହିଯିବ ବୋଲି କହିଛନ୍ତି ଗୋଲାପି। ହକି ବିଶ୍ବକପ୍ରେ ସୁନ୍ଦରଗଡ଼ ମାଟିର ଦୁଇ ତାରକା ଅମିତ ଓ ନୀଲମ ସଞ୍ଜୀପଙ୍କ ଖେଳ ଦେଖିବାକୁ ସାରା ସୁନ୍ଦରଗଡ଼ ସମେତ ଓଡ଼ିଶା ଉତ୍କଣ୍ଠିତ ହୋଇପଡ଼ିଥିବା ବେଳେ ଭାରତ ଏଥର ନିଜ ଜନ୍ମମାଟିରେ ବିଶ୍ବକପ୍ ଚାମ୍ପିଅନ୍ ହେବ ବୋଲି ଦେଶବାସୀ ଆଶା ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଖେଳ ଦେଖିବାକୁ ଦୁଇ ତାରକାଙ୍କ ମା’ ଓ ପରିବାରର ଅନ୍ୟମାନଙ୍କୁ ଓଡ଼ିଶା ସରକାର ବା ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରିବା ଉଚିତ। କିନ୍ତୁ ଏ ଯାଏ ସେମାନେ ସେ ସମ୍ପର୍କିତ କୌଣସି ସୂଚନା ପାଇ ନଥିବା କହିଛନ୍ତି ଅମିତଙ୍କ ମା’।